ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

ବ୍ରହ୍ମବରଦା : ବ୍ରହ୍ମବରଦା ପଂଚାୟତ ଢିଅସାହି ଗ୍ରାମର ମେଳଣ ପଡିଆ ନିକଟରେ ଥିବା ଦଳିତ ସାହିରେ ବିଭତ୍ସ ଅଗ୍ନିକାଣ୍ଡ । ଏଥିରେ ଦୁଇ ଭାଇ ବାବୁଲି ଦାସ ଓ କାବୁଲି ଦାସଙ୍କ ଦୁଇ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ଯାହାଦ୍ୱାରା ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଖବର ଅନୁଯାୟୀ, ଆଜି ସନ୍ଧ୍ୟାରେ ବାବୁଲି ଓ କାବୁଲିଙ୍କ ଘରେ ରୋଷେଇ ଚାଲୁଥିବା ସମୟରେ ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁ ଘର ଚାଳରେ ନିଆଁ ଲାଗିଯାଇଥିଲା । ଏହାଦେଖି ପରିବାର ଲୋକେ ପାଟି କରିବାରୁ ସାଇ ପଡ଼ିଶା ଓ ଗାଁ ଲୋକେ ପହଁଚି ନିଆଁକୁ ଲିଭାଇବାକୁ ପ୍ରୟାସ କରିଥିବା ବେଳେ ବରୁଆଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଦୁଇ ବଖରା ଘର ସହିତ ଘରେ ଥିବା ୨୦ବସ୍ତା ବାଦାମ ଓ ସମସ୍ତ ଆସବାବ ପୋଡି ଜଳି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଥିଲା । ବାବୁଲି ଓ କାବୁଲି ଦୁଇ ଭାଇ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।