ଟେଣ୍ଡର ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଭେଟିଲେ ଅଧ୍ୟକ୍ଷ ଓ ପାରିଷଦ

ବ୍ୟାସନଗର : ୨୬ଗୋଟି ୱାର୍ଡ଼ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ପୌର ପାରିତ ପ୍ରସ୍ତାବ ମତେ ୪ଗୋଟିରୁ ଅଧିକ ଟଙ୍କାର ଟେଣ୍ଡର ଅଟକି ରହିଛି । ଗଲା ୨୬ତାରିଖ  ପାରିତ ପ୍ରସ୍ତାବକୁ କାର୍ଯ୍ୟକାରୀ ଦାବିରେ ନିର୍ବାହୀ ଅଧିକାରୀଙ୍କୁ ଦାବି କରିଥିଲେ ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ବଳଙ୍କ ସମେତ ୧୯ପାରିଷଦ । ହେଲେ ତହିଁପର ଦିନ ୬ ପାରିଷଦ ପାରିତ ପ୍ରସ୍ତାବରେ ପକ୍ଷପାତିତା ଭଳି ଅଭିଯୋଗ ଆଣିଥିବା କଥା ସାମ୍ବାଦିକ ସମ୍ମିଳନୀ ମାଧ୍ୟରେ କହିଥିଲେ । ଟେଣ୍ଡରକୁ ନେଇ୨୦/୬ରେ ପାରିଷଦ ଦୁଇଭାଗ ହୋଇଯାଇଥିବା ବେଳେ ପୈାର ବିକାଶ ଏକ ପ୍ରକାର ଅଚଳାବସ୍ତାରେ ରହିଛି । ଏଭଳି ସ୍ଥିତିରେ ନୂତନ କରି ଯୋଗ ଦେଇଥିବା ନିର୍ବାହୀ ଅଧିକାରୀ ହଠାତ ଛୁଟିରେ ଚାଲିଯାଇଛନ୍ତି । ଗଲା ୨୬ତାରିଖ  ଛୁଟି ପରେ ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବାର ପ୍ରତିଶ୍ରୁତି ଦେଇଥିବା ଅଧିକାରୀ ଛୁଟିରେ ଚାଲଯିବା ପରେ ଆଜି ଅଧ୍ୟକ୍ଷ ଶ୍ରୀ ବଳଙ୍କ ସମେତ ପାରିଷଦ ବିଜୟ କୁମାର ଜେନା, ଶିବାନନ୍ଦ ନାୟକ, ଦିଲ୍ଲୀପ ସେଠୀ, ପାର୍ଥସାରଥୀ ନାୟକ, କୁନି ହାଁସଦା, ବୁଦୁନି ଦରାଇ, ଅଶୋକ ଦାସ, ସିଦ୍ଧାର୍ଥ ଶଙ୍କର ସାମଲ, ସନ୍ତୋଷ ବରାଳ, ପାରିଷଦଙ୍କ ପ୍ରତିନିଧି ପ୍ରକାଶ ପରିଡ଼ା, ବିକାଶ ଆଏଚ, ମନୋଜ ପରିଡା, ମନୋଜ ରାଉତ, ପ୍ରଭାତ ସାହୁ, ପ୍ରଶାନ୍ତ ଖୁଂଟିଆ, ପ୍ରମୋଦ ବେହେରା ପ୍ରମୁଖ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ଭେଟି ସହରର ବିକାଶ ପାଇଁ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିବେଦନ କରିବା ସହ ବିସ୍ତୃତ ଆଲୋଚନା କରିଥିଲେ । ସହରର ବିକାଶ ନେଇ ପୂର୍ବ କାଉନସିଲ ବୈଠକରେ ପାରିତ ପ୍ରସ୍ତାବ ଆଧାରରେ ପ୍ରାୟ ୨ମାସ ହେବ ଟେଣ୍ଡର କରାଯିବା ନେଇ ପ୍ରସ୍ତାବ ଗୃହୀତ ହେବା ପରେ ମଧ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀ ଜାଣିଶୁଣି ଟେଣ୍ଡର ପ୍ରକ୍ରିୟା ବିଳମ୍ବ କରୁଥିବା ଏବଂ ପଚାରିଲେ ତାଙ୍କ ଉପରେ ରାଜନୈତିକ, ପ୍ରଶାସନିକ ଚାପ ରହିଥିବା ଏବଂ କିଛି ପାରିଷଦ ଏନେଇ ଜିଲାପାଳଙ୍କ ନିକଟରେ ଟେଣ୍ଡରକୁ ନେଇ ଅଭିଯୋଗ କରିଥିବାରୁ ଜିଲାପାଳ ମଧ୍ୟ ଟେଣ୍ଡର ପ୍ରକ୍ରିୟା କିଛି ଦିନ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ ବୋଲି ଅବଗତ କରିଥିଲେ । ଜିଲାପାଳ ସମସ୍ତ କଥା ଶୁଣିବା ପରେ ଲିଖିତ ଭାବେ ଦେବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ଲିଖିତ ଭାବେ ସମସ୍ତ ସୂଚନା ରଖିବା ପରେ ଜିଲାପାଳ ତୁରନ୍ତ ପ୍ରକଳ୍ପ ଅଧିକାରୀ ବା ପିଡ଼ି ତଦନ୍ତ କରିବେ ଏବଂ  ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଟେଣ୍ଡର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବା ନେଇ ଅଧ୍ୟକ୍ଷ ଏବଂ ପାରିଷଦମାନେ ଆଶାବାଦୀ ରହିଥିଲେ ବି କେଁ ପସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ । ଏଣୁ ଦେଖିବାର ଅଛି ୨୦/୬ ପାରିଷଦ ଭିତରେ ଚାଲିଥିବା ତୁ ତୁ ମେଁ ମେଁ ଭିତରେ ପୈାର ଆଇନ ମତେ ଟେଣ୍ଡର ହେଉଛି ନାଁ ଅଟକି ରହୁଛି ।