ବାଲି ମାଫିଆଙ୍କ ଦୌରାତ୍ମ୍ୟ : ପ୍ରତିବାଦ କଲେ ମିଳୁଛି ଧମକ, ଭୟରେ ପରିବାର

 ଯାଜପୁର ଟାଉନ : ବାଲି ମାଫିଆଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହେଲେଣି ପରିବାର । ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ମିଳୁଛି ଧମକ । ଏପରି ଘଟଣା ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ମଇଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଏନେଇ ଯାଜପୁର ବିରଜା ମନ୍ଦିର ମା’ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିମିଳିଆ ମଇଦପୁର ଅଞ୍ଚଳର ଜଗନ୍ନାଥ ପଣ୍ଡାଙ୍କ ପରିବାର ଭୟଭୀତର କାହାଣୀ ବଖାଣିଥିଲେ ।  ବୁଢ଼ା ନଦୀରୁ ବେଆଇନ ଭାବେ ମାଫିଆ ବାଲି ଉତ୍ତୋଳନ କରି ମଇଦପୁର ଗ୍ରାମର ଜଗନ୍ନାଥ ପଣ୍ଡାଙ୍କ ଜମିରେ ବାଲି ଗଚ୍ଛିତ ରଖିଥିଲେ । ଏହାକୁ ଜଗନ୍ନାଥ ପଣ୍ଡାଙ୍କ ପରିବାର ସଂପୃକ୍ତ ବାଲି ମାଫିଆଙ୍କୁ ବାଲି ଜମିରୁ ହଟାଇବା ପାଇଁ ବାରମ୍ବାର କହିଥିଲେ ମଧ୍ୟ ବାଲି ମାଫିଆ କଥାକୁ ଶୁଣିନଥିଲେ । ଏନେଇ ଜଗନ୍ନାଥ ପରିବାର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିମାଫିଆ ଜଗନ୍ନାଥ ପରିବାରକୁ ଧମକ ଦେବା ସହ ଥାନାରେ କ’ଣ ପାଇଁ ତାଙ୍କ ନାମରେ ଅଭିଯୋଗ କରିଛ ବୋଲି ଧମକ ଦେବା ସହ କଚେରୀ ଗାଁରେ ଖରସ୍ରୋତା ନଦୀ ଘାଟରେ ଯେଉଁ ଘଟଣା ଘଟିଥିଲା ସେହି ଘଟଣା ତୁମ ଠାରେ ଘଟିବ ବୋଲି ସିଧାସଳଖ କହିଥିଲେ । ଏହାପରେ ଜଗନ୍ନାଥ ପରିବାର ଭୟଭୀତ ହୋଇଖଣି ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପାଇଲା ପରେ ଖଣି ବିଭାଗ ଗଚ୍ଛିତ ବାଲି ସ୍ଥାନରେ ପହଂଚି ତହସିଲ ପ୍ରଶାସନ ଉପସ୍ଥିତିରେ ବାଲିକୁ ଜବତ କରିବା ସହ ନାଲି ପତାକା ମାରି ଥିଲେ । କିନ୍ତୁ ପୂର୍ବପରି ବାଲିି ମାଫିଆ ଏହି ସ୍ଥାନରୁ ବାଲି ଉତୋଳନ କରି ବିଭିନ୍ନ ସ୍ଥାନକୁ ପଠାଉଥିବା ଜଗନ୍ନାଥ ଅଭିଯୋଗ କରିଥିଲେ । ଏନେଇ ଜଗନ୍ନାଥ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିଲେ । ଯଦି ଜିଲା ପ୍ରଶାସନ ଓ ଖଣି ବିଭାଗ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ସପରିବାର ଜିଲାପାଳ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଚେତାବନୀ ଶୁଣେଇଛନ୍ତି ।