ଟ୍ରମ୍ପ୍‌ଙ୍କ ଟାରିଫ୍‌ ତାଲିକା "ଡାର୍ଟି ୧୫ ଦେଶ ତାଲିକାରେ ଭାରତ'

ଟ୍ରମ୍ପ୍‌ଙ୍କ ଟାରିଫ୍‌ ତାଲିକା "ଡାର୍ଟି ୧୫ ଦେଶ ତାଲିକାରେ ଭାରତ'

ନୂଆଦିଲ୍ଲୀ : ଅନ୍ୟଦେଶ ଉପରେ ନୂଆ ଶୁଳ୍କ (ଟାରିଫ) ଲଗାଇବାକୁ ଯାଉଛନ୍ତି ଟ୍ରମ୍ପ୍‌ ସରକାର । ଯେଉଁ ଦେଶଗୁଡ଼ିକ ଆମେରିକା ରପ୍ତାନୀ ଉତ୍ପାଦ ଉପରେ ମାତ୍ରାଧିକ ଶୁଳ୍କ ଲଗାଉଛନ୍ତି, ସେହି ଦେଶମାନେ ଏବେ ଆମେରିକାର ଉତ୍ପାଦ ଶୁଳ୍କ ଦଶା ଭୋଗିବେ ବୋଲି ହ୍ୱାଇଟ୍‌ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଏପ୍ରିଲ୍‌ ୨ରୁ ଆମେରିକା ନିର୍ଦ୍ଦିଷ୍ଟ କେତେକ ଦେଶ ଉପରେ ଆମଦାନୀ ଶୁଳ୍କ ଲଗାଇବାକୁ ଯୋଜନା କରିଥିବା ବେଳେ ଆଜି ‘ଡାର୍ଟି ୧୫’ ନାମରେ ଏକ ତାଲିକା ଜାରି କରିଛି । ଏହାସହ ଆଜିର ଦିନକୁ ଟ୍ରମ୍ପ୍‌ ସରକାର ଆମେରିକାରେ ‘ମୁକ୍ତି ଦିବସ’ ଘୋଷଣା କରିଛନ୍ତି । ତେବେ ସେହି ୧୫ଟି ଦେଶଗୁଡ଼ିକ ହେଉଛି ଚୀନ୍‌, ୟୁରୋପିଅନ୍‌ ୟୁନିଅନ୍‌, ମେକ୍ସିକୋ, ଭିଏତନାମ, ଆର୍ୟଲାଣ୍ଡ, ଜର୍ମାନୀ, ତାଇୱାନ, ଜାପାନ, ଦକ୍ଷିଣ କୋରିଆ, ଭାରତ, କାନାଡ଼ା, ଥାଇଲାଣ୍ଡ, ଇଟାଲୀ, ସ୍ୱିଜରଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ ଇତ୍ୟାଦି ।  ଆମେରିକାର ଅର୍ଥ ସଚିବ ସ୍କଟ୍‌ ବେସେଣ୍ଟ ସମ୍ପ୍ରତି ଏହି ୧୫ ରାଷ୍ଟ୍ରକୁ ଉଚ୍ଚଶୁଳ୍କ ଗ୍ରହିତା ବୋଲି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆମେରିକାରେ ବ୍ୟବସାୟିକ ଅସଙ୍ଗତି ଦେଖାଦେବାର ପ୍ରମୁଖ କାରଣ ରୂପେ ଏହି ୧୫ଦେଶକୁ ଦାୟୀ କରିଛନ୍ତି । ଏଣୁ ଆଜି ଠାରୁ ଏହି ଦେଶଗୁଡ଼ିକ ପ୍ରତି ବାଣିଜ୍ୟକ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରାଯାଇପାରେ । ଏହାବାଦ ଆମେରିକା ସହିତ ବାଣିଜ୍ୟ ସମ୍ପର୍କ ଖରାପ କରିଥିବା ପ୍ରାୟ ୨୧ଟି ଦେଶକୁ ତାଲିକାଭୁକ୍ତ କରିଛି ୟୁଏସ୍‌ଟିଆର (ଆମେରିକାର ପ୍ରମୁଖ ବାଣିଜ୍ୟ ପ୍ରତିନିଧି) । ସେଗୁଡ଼ିକ ହେଉଛି ଏହି ୧୫ ଦେଶ ବାଦ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, ରୁଷ୍‌, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ ଏବଂ ଇଂଲଣ୍ଡ । ହ୍ୱାଇଟ୍‌ ହାଉସ୍‌ ନିଷ୍ପତ୍ତି ଅନୁସାରେ ଆମେରିକା ଠାରୁ ଆମଦାନୀ କରାଯାଉଥିବା ଇସ୍ପାତ, ଆଲୁମିନିୟମ୍‌ର ଶିଳ୍ପ ଉତ୍ପାଦ ସମେତ ଅଟୋମୋବାଇଲ୍‌ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ଲାଗୁ କରାଯିବ । ସେହିପରି ଏପ୍ରିଲ ୪ରୁ ଆମେରିକୀୟ ଔଷଧ ଏବଂ ସେମିକଣ୍ଟକ୍ଟର୍‌ (ମୋବାଇଲ୍‌, ଲାପଟପ୍‌ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ) ଉତ୍ପାଦ ଉପରେ ସ୍ୱତନ୍ତ୍ର ଶୁଳ୍କ ଲଗାଯିବ ।