ଠକଙ୍କ ଟାର୍ଗେଟ୍ରେ ଜନସେବା କେନ୍ଦ୍ର ; ଖସୁଛନ୍ତି ଠକ - ଫଶୁଛନ୍ତି ମାଲିକ
(ଜିତେନ୍ଦ୍ର ସାହୁ)୨୩ା୫ : ପୁଲିସ ଡାଳେ ଡାଳେ ଗଲେ ଅପରାଧି ମାନେ ପତ୍ରେ ପତ୍ରେ ଯାଉଛନ୍ତି । ପୁଲିସ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ସାଇବର ଠକ ନୂଆ ତରିକା ଆପଣାଇ କରୁଛନ୍ତି ଲକ୍ଷ ଲକ୍ଷ ଠକେଇ । ଏବେ ସାଇବର ଠକ ତାଙ୍କ ଠକେଇ ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରକୁ କରିଛନ୍ତି ଟାର୍ଗେଟ । ଲୋକଙ୍କ ଠାରୁ ଠକେଇ କରି ଟଙ୍କା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ଆଣୁଛନ୍ତି । ପରେ ସେଠାରୁ ସାଇବର ଠକ ମାନେ ଜନସେବା କେନ୍ଦ୍ରର ପିଲାଙ୍କ ଠାରୁ ଟଙ୍କା ଉଠାଇ ନେଇଯାଉଛନ୍ତି । ସାଇବର ଠକ ଟଙ୍କା ନେଇ ପାର ହୋଇଯାଉଥିବା ବେଳେ ପୁଲିସ ଜାଲରେ ଫସୁଛନ୍ତି ଜନସେବା କେନ୍ଦ୍ରର ମାଲିକ । ପରେ ପୁଲିସ ଜନସେବା କେନ୍ଦ୍ରର ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍୍ କରି ଦେଉଛନ୍ତି । ଆକାଉଣ୍ଟ ଟ୍ରାଞ୍ଜାକ୍ସନ ବନ୍ଦ ହୋଇଯାଇଥିବାରୁ ମାଲିକ ମାନେ ଆଉ କରିପାରୁ ନାହାନ୍ତି ବ୍ୟବସାୟ । ପୁଲିସକୁ ନିକଟକୁ ଗଲେ ପୁଲିସ ତାଙ୍କୁ ଅଭିଯୁକ୍ତ ଧରାଇ ଦେବାକୁ କହୁଛି, ଅପରାଧି ଧରା ନହେବା ପର୍ଯ୍ୟନ୍ତ ଜନସେବା କେନ୍ଦ୍ରର ଆକାଉଣ୍ଟ ଫ୍ରିଜ୍ ହୋଇ ରହୁଛି । ଏଭଳି ଘଟଣା ସାଇବର ଥାନାକୁ ଏକାଧିକ ମାମଲା ଆସୁଛି । ବିଶେଷ କରି ଜନସେବା କେନ୍ଦ୍ର ଏବଂ ଗ୍ରମାଞ୍ଚଳରେ ଥିବା ଛୋଟ ବଡ ଦୋକାନ,ମଦ ଦୋକାନ ଏବଂ ପେଟ୍ରୋଲ ପମ୍ପ ଆକାଉଣ୍ଟକୁ ସାଇବର ଠକ ଟଙ୍କା ଆଣୁଛନ୍ତି । ପରେ ସେମାନେ ଏହି ଦୋକାନୀଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାଞ୍ଜାକ୍ସନ କରି ନିଅନ୍ତି । ପରେ ସାଇବର ଠକମାନେ ବିିଭିନ୍ନ ବାହାନା କରି, ସେମାନଙ୍କୁ ସାଙ୍ଗ ଟଙ୍କା ପଠାଉଛି, ଭଉଣୀ ପଠାଇଥିବା ଆଦି ବିଭିନ୍ନ ବାହାନା କରି ଟଙ୍କା ଆଣିଥାନ୍ତି । କିନ୍ତୁ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ପଠାଇବାକୁ କହୁଛନ୍ତି । ଏହିଭଳି ଏକାଧିକ ଜନସେବା କେନ୍ଦ୍ରକୁ ସାଇବର ଠକ ମୋହରା କରି ଠକେଇ କରିଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବିଶେଷ କରି ସାଇବର ଠକ ଓଏଲ୍ଏକ୍ସ’ରେ ଘର ଭଡ଼ା ଦେବା ଏବଂ ଗାଡ଼ି ବିକ୍ରି କରିବା ବିଜ୍ଞାପନ ଦେଉଛନ୍ତି । ଏହାକୁ ଦେଖି ଲୋକେ ଫୋନ୍ କଲେ ଠକ କଥା ହୋଇ ଘର ଦେବାକୁ କହି ଅଗ୍ରିମ ଟଙ୍କା ପଠାଇବାକୁ କହୁଛନ୍ତି । ଘର ଭଡ଼ା ପାଇଁ ଲୋକ ବାଧ୍ୟ ହୋଇ ଅଗ୍ରମ ଟଙ୍କାକୁ ପଠାଇବାକୁ ରାଜି ହେଉଛନ୍ତି । ଠକ ଦେଇଥିବା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ଶିକାର ହୋଇଥିବା ବ୍ୟକ୍ତି ପଠାଉଛନ୍ତି । ସେମାନଙ୍କୁ ଘର ଭଡ଼ା ନମିଳିବାରୁ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହେଉଛନ୍ତି । ଟଙ୍କା ପଠାଇଥିବା ଜନସେବା କେନ୍ଦ୍ର ନାମରେ ଅଭିଯୋଗ କରିବା ପରେ ଟଙ୍କା ଯାଇଥିବା ପୁଲିସ ପ୍ରମାଣ ପାଇବା ପରେ ଆକାଉଣ୍ଟ ଫ୍ରିଜ କରି ଦେଉଛି ।
ଗାଇଡ ଲାଇନ୍ ମାନୁନାହାନ୍ତି ଜନସେବାକେନ୍ଦ୍ର:
ବିଭିନ୍ନ ସହର ଏବଂ ଗ୍ରାମରେ ଥିବା ଜନସେବା କେନ୍ଦ୍ରକୁ ସରକାର ଏକ ଗାଇଡ୍ଲାଇନ୍ ଜାରି କରିଛନ୍ତି । ସେମାନଙ୍କୁ ନିଜର ଆକାଉଣ୍ଟରୁ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ କରିପାରିବେ ନାହିଁଁ । କେବଳ ଗ୍ରାହକଙ୍କ ଆକାଉଣ୍ଟରୁ ସେମାନେ ଟ୍ରାଞ୍ଜାକ୍ସନ କରିପାରିବେ । କିନ୍ତୁ ଏହାକୁ ମାନୁନାହନ୍ତି ଜନସେବା କେନ୍ଦ୍ର । ଏପରିକି କିଏ ଟଙ୍କା ପଠାଇଲା, କିଏ ନେଲା ସମସ୍ତ ଗ୍ରାହକଙ୍କ ଆଧାରକାର୍ଡ ରେଜକ୍ସ,ଫିଙ୍ଗର ପ୍ରିଣ୍ଟ ଏବଂ ଅନ୍ୟାନ ତଥ୍ୟ ରଖିବାକୁ କୁହାଯାଇଛି । କିନ୍ତୁ ଓଡ଼ିଶାରେ ଥିବା ଏକାଧିକ ଜନସେବା କେନ୍ଦ୍ର ଗ୍ରାହକଙ୍କ ତଥ୍ୟ ରଖୁନାହାନ୍ତି । ଯେଉଁଥି ପାଇଁ ସାଇବର ଠକ ସେମାନଙ୍କୁ ଠକିବା ପାଇଁ ସୁଯୋଗ ପାଉଛନ୍ତି । ଆଉ ପୁଲିସ ଠକଙ୍କୁ ଗିରଫ କରିବାରେ କଷ୍ଟକର ବ୍ୟାପାର ହେଉଛି । ଅନ୍ୟପଟରେ ପୁଲିସ ଲୋକଙ୍କୁ ସଚେତନ କରିଛି, କୌଣସି ଅଜଣା ବ୍ୟକ୍ତି ତୁମ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହିଲେ, ମନା କରନ୍ତୁ । କାରଣ ଟଙ୍କା ଆସିବା ପରେ ପୁଲିସ ମାମଲାରେ ଫସିବାର ସମ୍ଭାବନା ରହିଛି ।