ଧାର ଟଙ୍କା ମାଗିବାରୁ ଯୁବତୀଙ୍କୁ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଧାର ଟଙ୍କା ମାଗିବାରୁ ଯୁବତୀଙ୍କୁ ଆକ୍ରମଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୧୭ା୪ : ନିବିଡ଼ ସମ୍ପର୍କରେ ଧୋକ୍କା ଖାଇଲେ ଯୁବତୀ । ସୁନା ବନ୍ଧକ ରଖି ବିଶ୍ୱାସରେ ପୁରୁଷ ବନ୍ଧୁକୁ ୧୦ ଲକ୍ଷ ଟଙ୍କା ଧାର ଦେଇଥିବା ଟଙ୍କାକୁ ମାଗିବାରୁ ଯୁବତୀଙ୍କୁ ପୁରୁଷ ବନ୍ଧୁଙ୍କ ପରିବାରଙ୍କ ଠାରୁ ସୁଣିବାକୁ ପଡ଼ିଛି ଗାଳି ଗୁଲଜ ଓ ଖାଇବାକୁ ପଡ଼ିଛି ମାଡ । ଏନେଇ ଯୁବତୀ ଜଣଙ୍କ ଆହତ ହେବା ସହ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୯୪ରେ ମାମଲା ରୁଜୁକରି ତଦନ୍ତ କରିବା ସହ ବୁଧବାର ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଭିମଟାଙ୍ଗୀ ଫେଜ୍-୧  ଅଞ୍ଚଳ ଘର ନମ୍ବର ଏଇ/୮୮ରେ ରହୁଥିବା କେଦାର ମାର୍ଥା । ପରେ ଦଫା ୩୪୧, ୩୨୩, ୨୯୪, ୪୧୭, ୪୨୦, ୪୯୩,୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ଦୁହେଁ ପୂର୍ବରୁ ପରିଚିତ ଓ ସେମାନଙ୍କ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ । ଏହା ଭିତରେ ପୁରୁଷ ବନ୍ଧୁର ଟଙ୍କା ଆବଶ୍ୟକ ଥିବାରୁ ସେ ଏନେଇ ଅଭିଯୋଗକାରିଣୀଙ୍କୁ ଜଣାଇଥିଲେ । ଏଭଳି କଥା ସୁଣି ଅଭିଯୋଗକାରିଣୀ ବିଶ୍ୱାସରେ ତାଙ୍କର ସମସ୍ତ ଗହଣାକୁ ବନ୍ଧକ ରଖି ଅଭିଯୁକ୍ତଙ୍କୁ ବିଭିନ୍ନ ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେବା ପରେ ଅଭିଯୁକ୍ତ ଜଣଙ୍କ ଆଉ ଯୁବତୀଙ୍କୁ ଟଙ୍କା ଫେରସ୍ତ କରିନଥିଲେ । ଯାହାଫଳରେ ଯୁବତୀ ଜଣଙ୍କ ଗତ ୩ ତାରିଖ ଦିନ ଅଭିଯୁକ୍ତର ଘରକୁ ଯାଇ ତାଙ୍କୁ ଟଙ୍କା ମାଗିଥିଲେ । ଏହି ସମୟରେ ଅଭିଯୁକ୍ତ ଟଙ୍କା ଫେରସ୍ତ କରିବା ବଦଳରେ ପରିବାର ଓ ଜଣେ ବନ୍ଧୁସହ ମିଶି ଅଭିଯୋଗକାରିଣୀଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତର ଆକ୍ରମଣରେ ଅଭିଯୋଗକାରିଣୀଙ୍କ ବାମ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ଏନେଇ ଯୁବତୀ ଜଣଙ୍କ ଆହତ ଅବସ୍ଥାରେ ଏୟାରଫିଲ୍ଡ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତ ଜଣକ ଜାଣିପାରି ଫେରାର ହୋଇଯାଇଥିଲା । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇବା ସହ ଆଜି ଅଭିଯୁକ୍ତକୁ ଗିରଫ କରିଛି ।