ଡାକ୍ତରଖାନାରେ ଅଗ୍ନିକାଣ୍ଡ


ଦେଶର ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଇତିହାସରେ ଏବେ ଏବେ ଉତ୍ତରପ୍ରଦେଶ ଝାନ୍ସି ସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ହସ୍ପିଟାଲ୍ ଶିଶୁ ବିଭାଗରେ ଘଟିଥିବା ଅଗ୍ନିକାଣ୍ଡ, ଦୁର୍ଘଟଣାର ଆଉ ଏକ ଦୁଃଖଦ ଫର୍ଦ୍ଦ ଇତିହାସରେ ଯୋଡ଼ି ଦେଇଛି । ଏହି ମେଡ଼ିକାଲ୍ କଲେଜ୍ର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତକ ଶିଶୁ ମୃତୁ୍ୟବରଣ କରିଛନ୍ତି ଏବଂ ୧୬ ଜଣ ନବଜାତକ ଶିଶୁ ଏବେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ମୃତକମାନଙ୍କ ମଧ୍ୟରୁ କେତେ ଜଣଙ୍କର ଶବ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ଏବଂ ଆଉ କିଛି ଶିଶୁ ନିଖୋଜ ହୋଇଥିବା କୁହାଯାଉଛି । ଏହା ଏକ ଦୁର୍ଘଟଣା ବୋଲି ନିଃସନେ୍ଦହରେ କୁହାଯାଇପାରେ । କିନ୍ତୁ ଏଭଳି ଏକ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ତେବେ ଏ ପ୍ରକାରର ଅଗ୍ନିକାଣ୍ଡ ଗୁଡ଼ିକ ସାଧାରଣତଃ ବିଜୁଳି ତାରର ସର୍ଟ୍ ସର୍କିଟ୍ ଯୋଗୁଁ ହେଉଥିବା, ଏସିର ଯାନ୍ତ୍ରିକ ତ୍ରୁଟିରୁ ଘଟୁଥିବା ତଥା ଅନ୍ୟ କିଛି ବାହ୍ୟ କାରଣକୁ ନେଇ ନିଆଁ ଲାଗୁଥିବା ଦେଖାଗଲାଣି । ଦୁର୍ଘଟଣା ସବୁବେଳେ ଦୁର୍ଘଟଣା । କେହି କେବେ ହେଲେ ଏସବୁକୁ ଇଚ୍ଛାକୃତ ଭାବରେ କରିନଥାଏ । ତେବେ ଦୁର୍ଘଟଣା କରିବା ମାତ୍ରକେ ନିଆଁକୁ କିଭଳି ଆୟତ୍ତ କରାଯିବ ସେ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ଚିକିତ୍ସାଳୟ ସମେତ ବଡ଼ ବଡ଼ କୋଠା ଗୁଡ଼ିକରେ ନିହାତି ରହିବା ଆବଶ୍ୟକ । ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ କେବଳ ଲୋକ ଦେଖାଣିଆ ନାମକୁ ମାତ୍ର ଅଙ୍ଗାରକାମ୍ଳ ସିଲିଣ୍ଡର୍ ଡ଼ାକ୍ତରଖାନା, ସରକାରୀ କୋଠାବାଡ଼ି, ମଲ୍, ଜନଗହଳିପୂର୍ଣ୍ଣ ବଜାର, ହାଟ ଗୁଡ଼ିକରେ ରଖାଯାଉଛି । କିନ୍ତୁ ପ୍ରକୃତରେ ସେସବୁର ନିୟମିତ ଯାଞ୍ଚ୍ ହେଉ ନାହିଁ ଏବଂ କେତେ ସମୟ ବ୍ୟବଧାନରେ ସେସବୁର ମରାମତି, ଗ୍ୟାସ୍ ବ୍ୟବସ୍ଥାକୁ ବଦଳାଇବା ଆଦି କରାଯିବା ଆବଶ୍ୟକ ସେଭଳି ନିଦେ୍ର୍ଦଶକୁ କେହି ପାଳନ କରୁନାହାଁନ୍ତି । ଏହା ଫଳରେ ଆବଶ୍ୟକ ସମୟରେ ସେସବୁ କାମରେ ଲାଗୁନାହିଁ । ବିଶେଷ କରି ହସ୍ପିଟାଲ୍ ଗୁଡ଼ିକ କ୍ଷେତ୍ରରେ ପ୍ରତ୍ୟେକ ୱାଡର୍୍ରେ ରୋଗୀଙ୍କ ବେଡ୍ ନିକଟରେ ଅକ୍ସିଜେନ୍ ପାଇପ୍ ଲାଇନ୍ ରହୁଛିା ନିଆଁ ଲାଗିଲେ ଅଙ୍ଗାରକାମ୍ଳ ଗ୍ୟାସ୍ର ପ୍ରୟୋଗ କରାଯାଇ ନିଆଁକୁ ଲିଭାଯାଇଥାଏା ଅନ୍ୟପକ୍ଷରେ ଅମ୍ଳଜାନ ନିଆଁକୁ ଜଳିବାରେ ସାହାଯ୍ୟ କରିଥାଏ । ଡ଼ାକ୍ତରଖାନା ଗୁଡିକରେ ରୋଗୀମନଙ୍କ ପାଇଁ ଅକ୍ସିଜେନ୍ ଏକ ସବୁଦିନିଆ ଏବଂ ୨୪ ଘଣ୍ଟିଆ ଯୋଗାଣ ବ୍ୟବସ୍ଥା ଭିତରେ ରହୁଥିବାରୁ କାର୍ବନ୍ ଡ଼ାଇଅକ୍ସାଇଡ୍ର ଜରୁରୀକାଳୀନ ଆବଶ୍ୟକତାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିାଁ ଏଭଳି ପରିସ୍ଥିତି କେବଳ ଝାନ୍ସିର ଏହି ହସ୍ପିଟାଲ୍ରେ ପ୍ରଥମ ନୁହେଁ; ବରଂ ଏଭଳି ଦୁର୍ଘଟଣା ହସ୍ପିଟାଲ୍ ଗୁଡ଼ିକରେ ଅନେକ ବାର ଘଟିଲାଣି । ତେଣୁ ଅମ୍ଳଜାନ ପାଇଁ ଯେଭଳି ନିୟମିତ ତଦାରଖର ବ୍ୟବସ୍ଥା ରହିଛି କାର୍ବନ୍ ଡ଼ାଇଅକ୍ସାଇଡ୍ ପାଇଁ ମଧ୍ୟ ସେହିଭଳି ନିୟମିତ ତଦାରଖର ଏକ ବ୍ୟବସ୍ଥା କଡ଼ାକଡ଼ି ଭାବରେ ପାଳନ କରିବା ଜରୁରୀ ହୋଇ ପଡ଼ିଲାଣି । ଏ ଦିଗରେ କେବଳ କାର୍ବନ୍ ଡ଼ାଇଅକ୍ସାଇଡ୍କୁ ଅଗ୍ନି ନିର୍ବାପକ ଭାବରେ ବ୍ୟବହାର ନକରି ଆବଶ୍ୟକ ସ୍ଥଳେ ପାଣି ପାଇପ୍ ଲାଇନ୍, ବାଲି ଇତ୍ୟାଦିର ବ୍ୟବସ୍ଥା ମଧ୍ୟ ପ୍ରତ୍ୟେକ ହସ୍ପାଟାଲ୍ ଗୁଡ଼ିକରେ ରହିବା ଉଚିତ୍ । 
ଲୋକମାନେ ହସ୍ପିଟାଲ୍ ଗୁଡ଼ିକୁ ବଞ୍ଚିବା ପାଇଁ ଆସନ୍ତି । ଅଥଚ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାରେ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନଙ୍କ ଜୀବନ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏପ୍ରକାର ଘଟଣା ଭବିଷ୍ୟତରେ ଯେଭଳି ଆଉ କେବେ ନ ଘଟେ ସେଦିଗରେ ସବୁ ହସ୍ପିଟାଲ୍  କର୍ତ୍ତୃପକ୍ଷ ଜରୁରୀକାଳୀନ ଭିତ୍ତିରେ ଦୃଷ୍ଟି ଦେବା ସହିତ ପୁରୁଣା ଅଙ୍ଗାରକାମ୍ଳ ସିଲିଣ୍ଡର ଗୁଡ଼ିକୁ ତୁରନ୍ତ ବଦଳାଇ ସମସ୍ତ ଅଙ୍ଗାରକାମ୍ଳ ସିଲିଣ୍ଡର୍ ଗୁଡ଼ିକୁ ସଦ୍ୟତମ ସ୍ଥିତିକୁ ଆଣ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବା ଉଚିତ୍ । ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଦୁର୍ଘଟଣାଜନିତ ଘଟଣା ଗୁଡ଼ିକ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି କରୁଥିବାରୁ ହସ୍ପିଟାଲ୍ର କୋଠା ନିର୍ମାଣ ସମୟରେ ଅଗ୍ନିକାଣ୍ଡ ଘଟିଲେ ଗୋଟିଏ କୋଠରୀରୁ ଆଉ ଗୋଟିଏ କୋଠରୀକୁ ଯେଭଳି ଏହା ବ୍ୟାପି ନଯିବ ସେ ପ୍ରକାରର ବ୍ୟବସ୍ଥା ମଧ୍ୟ କୋଠା ନିର୍ମାଣ ସମୟରେ କରାଯିବା ନିହାତି ଆବଶ୍ୟକ ।