କାଲିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା
ଭୁବନେଶ୍ୱର : ଆସନ୍ତକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାଷୀ ପାଇଁ ମଣ୍ଡି ଗୁଡ଼ିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ଅତି ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଠିକ ସମୟ ରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ, ତାକୁ ତୁରନ୍ତ ହିଁ ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କଟନୀ ଛଟନୀ ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଚାଷୀ ଆଉ ମିଲରଙ୍କ ଭିତରେ ସଲାସୁତୁରା ହୋଇ କଟନୀ ଛଟନୀ ଯଦି କରିବେ । ତେବେ ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱଧୀନ ନୁହେଁ । ଏନେଇ ଆଜି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।