ଡ୍ରିମ୍ ୧୧ ସହ ଚୁକ୍ତି ବାତିଲ୍ କଲା ବିସିସିଆଇ 

 ନୂଆଦିଲ୍ଲୀ : ଅନଲାଇନ୍ ଗେମିଂ ଆଇନ କାର୍ଯ୍ୟକାରୀ ହେବା ପରେ ଡ୍ରିମ ୧୧ ସହ ଚୁକ୍ତି ବାତିଲ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) । ଦୁବାଇରେ ଏସିଆ କପ୍ ଆରମ୍ଭ ହେବାର ମାତ୍ର ଦୁଇ ସପ୍ତାହ ପୂର୍ବରୁ, ଭାରତୀୟ କ୍ରିକେଟ୍ ଦଳକୁ ଏକ ନୂତନ ଅଂଶୀଦାର ଖୋଜିବାକୁ ପଡିବ  । ଡ୍ରିମ୧୧ର ପ୍ରତ୍ୟାହାର ଯୋଗୁଁ ବୋର୍ଡକୁ ୧୧୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ  । ଡ୍ରିମ୧୧ର ଜଣେ ପ୍ରତିନିଧି ବିସିସିଆଇ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସିଇଓ ହେମାଙ୍ଗ ଅମିନଙ୍କୁ ଜଣାଇଥିଲେ ଯେ, ସେମାନେ ଆଉ ପ୍ରୟୋଜକ କରିବେ ନାହିଁ ।  ୧୮ ବର୍ଷ ପୂର୍ବେ ଲଞ୍ଚ ହୋଇଥିବା ଡ୍ରିମ୧୧ ହେଉଛି ଦେଶର ସର୍ବବୃହତ ଫ୍ୟାଣ୍ଟାସି ଗେମିଂ ପ୍ଲାଟଫର୍ମ । ଏହା ଜୁଲାଇ ୨୦୨୩ରେ ୩୫୮ କୋଟି ଟଙ୍କାର ଏକ ତିନି ବର୍ଷର ଚୁକ୍ତିରେ ବିସିସିଆଇର ଟାଇଟଲ୍ ପ୍ରାୟୋଜକ ହେବାର ଅଧିକାର ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ ଏବଂ ଜସପ୍ରିତ ବୁମରାହଙ୍କ ସମେତ ଅନେକ ଶ୍ରେଷ୍ଠ ଖେଳାଳି ଏହାର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି ।