ସାଲିଆସାହିରୁ ୪୨ କେଜି ଗଞ୍ଜେଇ ଜବତ; ୫ ଗିରଫ
ଭୁବନେଶ୍ୱର,୨୩ା୧ : ମୈତ୍ରୀବିହାର ପୁଲିସ ଗୁରୁବାର ଦିନ ୪୨ କେଜି ଗଞ୍ଜେଇ ସହ ୫ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସାଲିଆସାହି ଆଦିବାସୀ ଗାଁରେ ରହୁଥିବା ଦିଲ୍ଲୀପ କୁମାର ବରାଳ ଓରଫ ଦିଲୁଆ (୫୫), ବାଜପେୟୀ ନଗରର ଜିତେନ୍ଦ୍ର ପ୍ରଧାନ ଓରଫ ମୁଣ୍ଡା ଜିତୁ (୨୪),ପ୍ରକାଶ ଖଟୁଆ ଓରଫ ମିଥୁନ (୩୨),ରବି ନାରାୟଣ ସାହୁ ଓରଫ ବାପୁନ (୨୪),ନିଖିଳେଶ ପଣ୍ଡା ଓରଫ ପପୁ (୩୬) । ଗିରଫ ସମସ୍ତ ଅଭିଯୁକ୍ତ ସାଲିଆସାହି ଓ ଏହାର ଆଖପାଖ ଅଞ୍ଚଳରେ ରୁହନ୍ତି ।
ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତମାନେ ଗୁରୁବାର ସକାଳେ ମୈତ୍ରୀବିହାର ଥାନା ଅନ୍ତର୍ଗତ ହାତିଆଶୁଣୀ ନିକଟରେ ଗଞ୍ଜେଇ ଧରି ଗ୍ରାହକ ଅପେକ୍ଷାରେ ଥିଲେ । ଏନେଇ ଥାନାଧିକାରୀ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଥାନାର ସ୍ପେଶାଲ ଟିମକୁ ପଠାଇ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଏହି ୫ ଗଞ୍ଜେଇ ବେପାରୀଙ୍କୁ ଗୋଡାଇ ଗୋଡାଇ ଗିରଫ କରାଯାଇଥିଲା । ପରେ ସେମାନଙ୍କ ତଲାସି ବେଳେ ଅଭିଯୁକ୍ତଙ୍କ ଠାରୁ ପୁଲିସ ୪ ଲକ୍ଷ ଟଙ୍କାର ୪୨ କେଜି ଗଞ୍ଜେଇ,୨୦ ହଜାର ଟଙ୍କା, ୩ଟି ବାଇକ ଜବତ କରିଛି । ସମସ୍ତଙ୍କୁ ଗିରଫ କରି ଥାନାକୁ ଅଣାଯିବା ସହ ମାମଲା ରୁଜୁକରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଅଞ୍ଚଳରୁ କେମିତି ନିଶା ଓ ଅପରାଧ ମୁକ୍ତ କରାଯାଇପାରିବ ସେ ନେଇ ନିଜେ ଡ଼ିସିପି ପିନାକ ମିଶ୍ର ଦିନ ରାତି ଏକ କରି ସମସ୍ତ ଥାନାର ଅଧିକାରୀ ଓ ଜୋନ ଏସିପିଙ୍କ ଉପରେ ନଜର ରଖିବା ସହ ନିଜେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲି ତଦାରଖ କରୁଛନ୍ତି ।