ବାତ୍ୟା ପୂର୍ବରୁ କମିଶନରେଟ ପୁଲିସର ପ୍ରସ୍ତୁତି
ନିଜ ନିଜ ଦାୟିତ୍ୱ ତ୍ୱରିତ କରିବାକୁ ସିପିଙ୍କ କଡ଼ା ନିଦେ୍ର୍ଦଶ
ଭୁବନେଶ୍ୱର, ୨୩ ।୧୦ : ବାତ୍ୟା ଦାନକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଥିବା ବେଳେ, ଏଥିରୁ ବାଦ୍ ପଡ଼ି ନାହିଁ କମିଶନରେଟ ପୁଲିସ । ବାତ୍ୟା ସମୟରେ ପୁଲିସର ଉପସ୍ଥିତି ଏକାନ୍ତ ଜରୁରୀ । ଅସୁବିଧାରେ ପଡ଼ିଥିବା ଲୋକଟି ପ୍ରଥମେ ପୁଲିସକୁ ସବୁ ସମୟରେ ଖୋଜିଥାଏ । ତେଣୁ ଏହି ବାତ୍ୟା ସମୟରେ ସମସ୍ତ ପୁଲିସ କର୍ମଚାରୀ ଖାସ୍ କରି ଦ୍ୱୈତନଗରୀ କଟକ ଭୁବନେଶ୍ୱରର ଖାକି କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ତ୍ୱରିତ ଭାବେ କରିବାକୁ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ବୁଧବାର ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ବୈଠକରେ ଉପସ୍ଥିତି କର୍ମଚାରୀଙ୍କୁ କହିଛନ୍ତି । ଖାସ କରି ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଲୋକମାନଙ୍କର ଯାତାୟତରେ ବାଧା ଉପୁଜିଥାଏ । ସେହିଭଳି କେତେକ ସ୍ଥାନରେ ବିଦୁ୍ୟତ୍ ଖୁଣ୍ଟି ଉପୁଡ଼ି ପଡ଼ିଥିବା ଏବଂ ଇଲେକ୍ଟ୍ରି ତାର ଛିଡ଼ି ଯାଇଥିବାରୁ ଏହା ଲୋକଙ୍କ ପାଇଁ ବିପଦ ଆଣିପାରେ । ତେଣୁ ଏହି ସମୟରେ ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କମିଶନର ଶ୍ରୀ ସିଂ ଉପସ୍ଥିତ ବିଭାଗୀୟ କର୍ମଚାରୀମାନଙ୍କୁ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ସମୟରେ ୨୪ ଘଣ୍ଟା ପୁଲିସ କର୍ମଚାରୀମାନେ ଆର୍ଲଟ ରହିବା ନିହାତି ଆବଶ୍ୟକ । ଲୋକଙ୍କ ସମସ୍ୟା ସଂକ୍ରାନ୍ତରେ ଯଦି କିଛି ସୂଚନା ପାଉଛନ୍ତି ତେବେ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ତାହାର ସମାଧାନ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବା ନିମନ୍ତେ କମିଶନର ପରାମର୍ଶ ଦେଇଛନ୍ତି । ବାତ୍ୟା ସମୟରେ ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସମ୍ପୃକ୍ତ କର୍ମଚାରୀମାନେ ସେହି କାର୍ଯ୍ୟକୁ ସଠିକ୍ ଭାବେ ନିର୍ବାହ କରିବା ନିମନ୍ତେ କମିଶନର ଉପଦେଶ ଦେଇଛନ୍ତି । ବାତ୍ୟାର ପ୍ରାକ୍ ପ୍ରସ୍ତୁତି ଲାଗି ରିଜର୍ଭ ଗ୍ରାଉଣ୍ଡରେ ଅସ୍ଥାୟୀ ଲାଇଟ, ତମ୍ଭୁ, ଗଛ କାଟିବା କଟର, ବୋଟ୍ ପ୍ରମୁଖ ସାମଗ୍ରୀର ଆବଶ୍ୟକତା ଓ ଏହାର ବ୍ୟବହାର ନେଇ ବିଭାଗୀୟ ଅଧିକାରୀଙ୍କ ସହ କମିଶନର ଆଲୋଚନା କରିଥିଲେ । ଏହି ବୈଠକରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ପୁଲିସ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ବିଭିନ୍ନ ଥାନାର ପୁଲିସ ନିଜ ନିଜ ଅଞ୍ଚଳରେ ରହିଥିବା ଆପାଟମେଣ୍ଟଳ ବସ୍ତି, ଗଳିକନ୍ଧି ବୁଲି ଲୋକଙ୍କୁ ସଚେତନତା କରିବା ଆରମ୍ଭ କରିଦେଇଛନ୍ତି ।