ମେଜରଙ୍କୁ ଥାନାରେ ମାଡ଼ମରା ଘଟଣା, ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମର ତନାଘନା ; ୫ ଅଧିକାରୀ ନିଳମ୍ବିତ
ଭୁବନେଶ୍ୱର, ୧୮ା୯ : ଥାନାକୁ ନ୍ୟାୟ ଆଶାରେ ଯାଇଥିବା ସେନାର ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନା ପୁଲିସ ନ୍ୟାୟ ଦେବା ବଦଳରେ ମାଡ଼ମାରିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ପୁଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ । ଏହି ମାମଲାର ତଦନ୍ତ କରିବାକୁ ଡିଜିପି କ୍ରାଇମବ୍ରାଞ୍ଚକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ଅଙ୍କିତାଙ୍କ ନାମରେ ହୋଇଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ମଧ୍ୟ ଡିଜିପି ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ତେବେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ପରେ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଡିଏସ୍ପି ପାହ୍ୟାର ଜଣେ ଅଧିକାରୀ ଭରତପୁର ଥାନାରେ ପହଞ୍ଚି ୪ ଘଣ୍ଟା ଧରି ଥାନାର କର୍ମଚାରୀଙ୍କୁ ପଚରା ଉଚରା କରିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଘଟଣାଦିନ କେଉଁ କେଉଁ କର୍ମଚାରୀ ଥିଲେ ସେମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଡାକି ପଚରା ଉଚରା କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗିରଫ ଅଙ୍କିତାଙ୍କ ଜାମିନ ଆବେଦନ ଉପରେ ବୁଧବାର ହାଇକୋର୍ଟରେ ହେବାକୁ ଥିବା ବେଳେ ତାଙ୍କ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ଅଙ୍କିତାଙ୍କୁ ଘଟଣା ଦିନ ମାଡ଼ ମରାଯାଇଥିବା ଉଲ୍ଲେଖ ରହିଛି । ଏହି ରିପୋର୍ଟକୁ ଦେଖି କୋର୍ଟ ତୁରନ୍ତ ଅଙ୍କିତାଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତୀ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେନାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯିବାକୁ ଦାବି କରାଯାଇଥିବା ବେଳେ, ଆଜି ଭରତପୁର ଥାନାର ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ରବିବାର ଅବା ୧୫ ତାରିଖ ବିଳମ୍ବିତ ରାତିରେ ଭାରତୀୟ ସ୍ଥଳ ସେନାର ମେଜର ଗୁରୁୱନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆରୁ ଭରତପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳର କିଛି ଯୁବକ ତାଙ୍କ ଗାଡ଼ି ଅଟକାଇ ଉଭୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ଅଭିଯୋଗ କରିବାକୁ ଅଙ୍କିତା ଏବଂ ମେଜର ଥାନାକୁ ଆସିଥିଲେ ମଧ୍ୟ ଥାନାରେ ତାଙ୍କ କଥା କେହି ଶୁଣି ନଥିଲେ । ବରଂ ଅଭିଯୋଗ କରିବାକୁ ଆସିଥିବା ମେଜର ଏବଂ ତାଙ୍କ ବାନ୍ଧବୀ ନିଶା ସେବନ କରି ଆସି ଥାନାରେ ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ ଖବର ଜଣାପଡ଼ିବା ପରେ ସେନାର ସେଣ୍ଟ୍ରାଲ କମାଣ୍ଡର ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିବା ସହ କମିଶନରେଟ ପୁଲିସ ମିଥ୍ୟା ଖବର ପ୍ରସାରିତ କରୁଥିବା ଅଭିଯୋଗ ଆଣିଥିଲେ । ଏପରିକି ଓଲଟା ପୁଲିସ ଘଟଣା ଦିନ ଅଭିଯୋଗକାରୀଙ୍କୁ ଥାନାରେ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ସଦ୍ୟ ନିର୍ମିତ ଭରତପୁର ଥାନାରେ ସିସିଟିଭି ନଥିବା କଥା ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯାହାକି ହାସ୍ୟାସ୍ପଦ ବୋଲି ସେନା ପକ୍ଷରୁ କୁହାଯାଇଛି । ଏଥିସହ ପୁଲିସ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ଅନ୍ୟାୟ କରିବା ସହ ଅଯଥାରେ ଭାରତୀୟ ସେନାର ଜଣେ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରାଯାଇଛି ।