ତାଲିବାନର ଦାବି : ପାକ୍ର ୫୮ ଯବାନ ନିପାତ

ନୂଆଦିଲ୍ଲୀ : ତାଲିବାନୀଙ୍କ ଆକ୍ରମଣରେ ପାକିସ୍ତାନର ୫୮ ଯବାନ ନିପାତ ହୋଇଯାଇଛନ୍ତି । ତାଲିବାନ ପକ୍ଷରୁ ଏହି ଦାବି କରାଯାଇଛି । ସୀମାନ୍ତରେ ସୁରକ୍ଷା ପାଇଁ ଆଫଗାନିସ୍ତାନର ଅଧିକାର ରହିଛି ବୋଲି ସେମାନେ କହିଛନ୍ତି ।
ପାକିସ୍ତାନରେ ଲୁଚିଥିବା ଆଇଏସଆଇଏସ ସଦସ୍ୟମାନଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ଦରକାର । ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶରେ ଆଇଏସଆଇଏସ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି । ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକଥା କହିଛନ୍ତି । ଗତକାଲି ରାତିରେ ସେମାନେ ସୀମାନ୍ତରେ ଥିବା ଦୁରାଣ୍ଡ ଲାଇନରେ ଅପରେସନ୍ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆକ୍ରମଣରେ ପାକର ୫୮ ଯବାନ ନିପାତ ହୋଇଥିବାବେଳେ ୨୦ ତାଲିବାନ ସୈନିକଙ୍କର ମୃତ୍ୟୁ ହୋଇଛି ।
ଖାଇବର ପାଖତୁନଖ୍ୱା ଅଞ୍ଚଳରେ ପାକିସ୍ତାନ ଏକ ନୂଆ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିଛି । କରାଚି ଓ ଇସଲାମାବାଦରୁ ଆସିଥିବା ଆଇଏସଆଇଏସ ସେଠାରେ ପ୍ରଶିକ୍ଷଣ ନେଉଛନ୍ତି । ପାକିସ୍ତାନ ପକ୍ଷରୁ କାବୁଲ ଓ ପାକଟିକା ଅଞ୍ଚଳରେ ଏୟାରଷ୍ଟ୍ରାଇକ୍ କରାଯାଇଥିବାବେଳେ ଏହାର କଡ଼ା ଜବାବ ଆଫଗାନିସ୍ତାନ ଦେଇଛି । ଯଦି ପାକିସ୍ତାନ ପୁଣିଥରେ ଏଭଳି ଆକ୍ରମଣ କରେ ତେବେ ଆଫଗାନିସ୍ତାନ ଏହାର ମୁହଁତୋଡ଼ ଜବାବ ଦେବବୋଲି ସେ କହିଛନ୍ତି ।