ତିନିମାସ ମଧ୍ୟରେ ଜବର ଦଖଲ ଜମି ସରକାରୀ ଖାତାକୁ ଯିବ : ରାଜସ୍ୱମନ୍ତ୍ରୀ
ପୁରୀ : ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ସରକାରୀ ଯୋଜନାର ସମୀକ୍ଷା କରାଯାଇଛି । ଜିଲ୍ଳାର ୧୧ଟି ତହସିଲ ଓ ୧୨୨ଗୋଟି ଆର୍.ଆଇ ସର୍କଲ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ସମସ୍ତ ତହସିଲ ଓ ଆର୍.ଆଇ କାର୍ଯ୍ୟାଳୟ ବାୟୋ ମେଟ୍ରିକ୍ ଉପସ୍ଥାନ ଓ ଓସାସ ଫାଇଲ୍ ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଥିଲେ । ବିଭିନ୍ନ ସରକାରୀ ଯୋଜନାକୁ ତର୍ଜମା କରିବା ସହିତ ଜମିଜମା ରେକଡର଼୍ ଉପରେ ଆଲୋଚନା କରାଯାଇଥିଲା । ବସୁନ୍ଧରା ଯୋଜନା, ଅର୍ନ୍ତଦ୍ୱୟ ଯୋଜନା, ଜମିଜମାର ଲିଜ୍ ଏବଂ ଜବରଦଖଲ ଜମି ମାମଲା ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ସମସ୍ତ ସରକାରୀ ଜମି କିଭଳି ଜବରଦଖଲ ମୁକ୍ତ କରାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ତହସିଲଦାରମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୩ମାସ ପରେ ପୁନଃଶ୍ଚ ବୈଠକ କରାଯାଇ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।
ତହସିଲର ଲ୍ୟାଣ୍ଡ ରେକଡର଼୍, ଜାତି ପ୍ରମାଣ ପତ୍ର ଓ ଜବରଦଖଲ ମୋକଦ୍ଦମା ଫଇସଲା କରିବା ସହିତ ଆଗାମୀ ୩ମାସ ମଧ୍ୟରେ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ସଫଳ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ୪୦ ପ୍ରତିଶତ ଲୋକଙ୍କ ନିକଟରେ ରହିବା ପାଇଁ ଜମି ନାହିଁ । ରାଜସ୍ୱ ଆଇନର ବ୍ୟାପକ ସଂଶୋଧନ କରାଯାଉଛି । ଗୋଟିଏ ରାଜସ୍ୱ ଆଇନ ଓଡ଼ିଶାରେ ରହିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଓଡ଼ିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆଇନ ପ୍ରଣୟନ ହେବ । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଜମି ସମସ୍ୟା ଦୂର କରାଯିବ । ଜମି ସମସ୍ୟା ନେଇ ସମସ୍ତ ବିଭାଗ ସହ ଆଲୋଚନା ଚାଲିଛି । ପୁରୀର ଜମିଜମା ସମସ୍ୟା ନେଇ ସ୍ଥାୟୀ ଏବଂ ନିଖୁଣ ଭାବେ ପର୍ଯ୍ୟାୟଲୋଚନା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ସମସ୍ୟାର ବିବରଣୀ ଜିଲ୍ଳାପାଳ, ତହସିଲଦାର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଡ଼ିସେମ୍ବର ମଧ୍ୟ ଭାଗରେ ବିଭିନ୍ନ ବିଭାଗର ବୈଠକ ବସିବ । ପୁରୀ ଜିଲ୍ଲା ଏବଂ ସହରରେ ଥିବା ଜମି ସମସ୍ୟା ସଂପର୍କରେ ଆସନ୍ତା ବୈଠକରେ ଆଲୋଚନା କରାଯିବ । ଜବରଦଖଲ ଜମି ୩ମାସ ମଧ୍ୟରେ ସରକାରୀ ଖାତାକୁ ଆଣିବାକୁ ତହସିଲଦାରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦିଇଛନ୍ତି ।