ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଦରମା ବନ୍ଦ

ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଗୋଟେ ମାସର ଦରମା ବନ୍ଦ କଲେ ଜିଲ୍ଲାପାଳ । କ୍ଷମତାର ଅପବ୍ୟବହାର କରିଥିବାରୁ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ଜବତ ହୋଇଥିବା କେତୋଟି ହାଇୱାକୁ ଛାଡି ଦେଇ ଏବେ ବିବାଦରେ ପଡିଛନ୍ତି । ଘଟଣା ପ୍ରଘଟ ହେବା ପରେ ଜିଲ୍ଲାପାଳଙ୍କ ପକ୍ଷରୁ ତାଙ୍କ ଦରମା ବନ୍ଦ କରାଯାଇଛି । ଏହା ସହ ଗତକାଲି ଚିଠି ଲେଖି କାରଣ ଦର୍ଶାଅ ବୋଲି ନୋଟିସ ଜାରି କରିବା ସହ ଦୁଇ ଦିନ ଭିତରେ ଏହାର ଉତ୍ତର ରଖିବାକୁ କୁହାଯାଇଛିି। ନଚେତ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।  

  ସୂଚନା ଅନୁସାରେ, ଗତ ଡିସେମ୍ବର ୧୧ ତାରିଖରେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ୱରେ ଜୟପୁର ବାଲି ଘାଟରେ  ରାତ୍ରେ ସମୟରେ ଚଢଉ କରାଯାଇ ୨୨ଟି ହାଇୱା ଓ ୨ଟି ଏକ୍ସାଭେଟରକଚ ଜବତ କରାଯାଇଥିଲା  । ପରେ ତତ୍କାଳୀନ ଜିଲ୍ଲା ଖଣି ଅଧିକାରୀ ସତୀଶ କୁମାର ତରାଇ ତିର୍ତ୍ତୋଲ ଥାନାରେ ଏ ସଂକ୍ରାନ୍ତରେ ଏକ ଲିଖିତ ଏତଲା ଦେଇଥିଲେ । ଚଢାଉ ବେଳେ ଅନେକ ହାଇୱା ଚାଳକ ଚମ୍ପଟ ମାରିଥିଲେ ସୁଦ୍ଧା ଢେଙ୍କାନାଳ କାମାକ୍ଷାନଗର ତେନ୍ତୁଳି ସିଂ ଗ୍ରାମର କାଳନ୍ଦୀ ନାୟକ, ତିର୍ତ୍ତୋଲ ଜଗନ୍ନାଥପୁର ଚାନ୍ଦ ଗ୍ରାମର ସ୍ମୃତିରଞ୍ଜନ ଲେଙ୍କା ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦା କାଟବଙ୍ଗ ଗ୍ରାମର ମହମ୍ମଦ ଇଦ୍ରିସ ସେଖ୍‌ ଧରା ପଡିଥିଲେ  ।