ନୂଆପଡ଼ାରେ କେଉଁ ଦଳର କେତେ ଦମ୍‌ ?

ନୂଆପଡ଼ାରେ କେଉଁ ଦଳର କେତେ ଦମ୍‌ ?

ଭୁବନେଶ୍ୱର : ସାରା ଓଡ଼ିଶା ଏବେ ନୂଆପଡ଼ା ଆଡେ଼ ଆଖି ପହଁରାଇ ଆଣୁଛି । ଟିକିନିଖି ଖବର ପାଇଁ ସମସ୍ତଙ୍କ ମନରେ ବେଶ୍‌ ଉତ୍ସୁକତା ପରିଲକ୍ଷିତ ହେଉଛି । କିଏ ଜିତିବ ? ବିଜେପିର ତ ଶାସନ କଳ ଅଛି । ଡବଲ ଇଞ୍ଜିନ୍‌ ସରକାର ଅଛି । ବିଜେପି ଜିତିଯିବ ବୋଧେ  । ଯଦି ଜିତିବ କେତେ ଭୋଟରେ ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଚରଣ ଦାସ ଆଦି ଅନେକ ନେତା କହୁଛନ୍ତି ଲଢେ଼ଇ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ବିଜେଡ଼ି କ’ଣ ସତରେ ତିନି ନମ୍ବରରେ ରହିବ ? ଏତେ ନେତା ଦାୟିତ୍ୱ ନେଇଛନ୍ତି, କୋଟି କୋଟି ଉଡୁଛି, ନବୀନ ବାବୁ ବି ପ୍ରଚାରରେ ଯିବେ ତଥାପିି କ’ଣ ବିଜେଡ଼ି ତିନି ନମ୍ବରରେ ରହିବ ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ଗାଏମୋଟ୍‌ ଦେଖିଲେ ନୂଆପଡ଼ାରେ ସିନା ନିର୍ବାଚନ, ହେଲେ ସାରା ରାଜ୍ୟରେ ଏକ ନିର୍ବାଚନୀ ମାହୋଲ ସୃଷ୍ଟିହୋଇଛି । ଗଣମାଧ୍ୟମରୁ ନେଇ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ, ଚା’ ଖଟିରୁ ନେଇ ଛକ ବଜାର ଯାଏଁ ସବୁଠି ଏବେ ନୂଆପଡ଼ା ଚର୍ଚ୍ଚାର ଶିରୋନାମା ପାଲଟିଛି ।

     ଏଭଳି ପରିପ୍ରେକ୍ଷୀରେ ଆମେ କିଛି ରାଜନୀତିକ ସମୀକରଣ ସମ୍ପର୍କରେ ହିଁ ଆଲୋକପାତ କରିବୁ । ନୂଆପଡ଼ାର ରାଜନୈତିକ ବୈଚିତ୍ର୍ୟକୁ ଅନୁଶୀଳନ କଲେ ସବୁ କିଛି ଗଡ଼ବଡ଼ ଲାଗିବ । ନେତା ହୁଅନ୍ତୁ କି କର୍ମୀ କେହି କିଛି ଭୋଟରଙ୍କ ଗତିବିଧିର ଟେର ପାଇବେ ନାହିଁ । ଗତ ୨୦୨୪ରେ ନୂଆପଡ଼ାରେ ବିଜେଡ଼ି ବାଜିମାତ୍‌ କରିଥିଲା । ଯେତେବେଳେକି ସ୍ୱାଧୀନ ପ୍ରାର୍ଥୀ ୨, ବିଜେପି ପ୍ରାର୍ଥୀ ୩ ଓ କଂଗ୍ରେସ ପ୍ରାର୍ଥୀ ୪ ନମ୍ବର ସ୍ଥାନରେ ରହିଥିଲେ । ବିଧାନସଭାରେ ବିଜେପି ଠାରୁ ପ୍ରାୟ ୧୬ ହଜାର ଭୋଟ ଅଧିକ ପାଇଥିଲା ବିଜେଡ଼ି । କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ୍‌ ବିଜେଡ଼ି ଠାରୁ ବି ଅଧିକ ରହିଥିଲା । କିନ୍ତୁ ଲୋକସଭା ଗଣିତ କିନ୍ତୁ ଭିନ୍ନ ଥିଲା । ନୂଆପଡ଼ାରେ ବିଜେପିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ବିଜେଡ଼ି ଓ କଂଗ୍ରେସକୁ ଢେ଼ର ପଛରେ ପକାଇ ଦେଇଥିଲେ । ବିଜେଡ଼ି ଠାରୁ ଏହା ପ୍ରାୟ ୨୫ ହଜାର ଓ କଂଗ୍ରେସ ଠାରୁ ପ୍ରାୟ ୪୫ ହଜାର ଭୋଟ୍‌ ଅଧିକ ପାଇଥିଲା । ଅତଏବ ବିଧାନସଭା ଓ ଲୋକସଭା ଭୋଟ୍‌ରେ ଏଭଳି ତାରତମ୍ୟ ଏବେ ୱାରରୁମ ଦାୟିତ୍ୱରେ ଥିବା ନେତାଙ୍କ ଚିନ୍ତା ବଢ଼ାଇ ଦେବା ସ୍ୱାଭାବିକ ।

   ଆଉ ଟିକେ ଭିତରକୁ ଗଲେ, ନୂଆପଡ଼ାରେ ବିଜେପି ଲୋକସଭାରେ ୭୮ ହଜାରରୁ ଉଦ୍ଧ୍ୱର୍ ଭୋଟ୍‌ ପାଇଥିବାବେଳେ ବିଧାନସଭାରେ କିନ୍ତୁ ୪୫ ହଜାର ଭୋଟ୍‌ ପାଇଥିଲା । ଅତଏବ ନୂଆପଡ଼ାର କିଛି ଲୋକ ବିଜେଡ଼ିକୁ ବିଧାନସଭାରେ ଓ ବିଜେପିକୁ ଲୋକସଭାରେ ଭୋଟ୍‌ ପାଇଥିଲେ । ଗାଏମୋଟ୍‌ କହିଲେ ନବୀନ ଓ ମୋଦିଙ୍କର ସେଠାରେ କ୍ରେଜ୍‌ ରହିଛି । ସେହିପରି ବିଜେଡ଼ି ବିଧାନସଭାରେ ୬୧ ହଜାରରୁ ଅଧିକ ଭୋଟ୍‌ ପାଇଥିଲେବି ଲୋକସଭାରେ ୫୩ ହଜାରରୁ ଅଧିକ ଭୋଟ୍‌ ପାଇଥିଲା । ଅର୍ଥାତ୍‌ ରାଜେନ୍ଦ୍ର ଢୋଲକିଆଙ୍କ ଗୋଟିଚାଳନା ଓ ବ୍ୟକ୍ତିଗତ ଭୋଟ୍‌ ବିଜେଡ଼ିକୁ ବିଜୟୀ କରିଥିଲା । ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ଏବେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢେ଼ାଲକିଆ ବିଜେପି ପ୍ରାର୍ଥୀ । ଇତିମଧ୍ୟରେ ବିଜେଡ଼ିର ପ୍ରାୟ ୫ ହଜାର ଭୋଟ୍‌ ବିଜେପିକୁ ଯାଇଥିବା କୁହାଯାଉଛି । ଜୟଙ୍କ ସହ ଖରିଆର ରୋଡ଼, ନୂଆପଡ଼ା ଓ କୋମନାର କିଛି ବିଜେଡ଼ି ନେତା ରହିଛନ୍ତି  । କିନ୍ତୁ ବିଜେପି ଜୟଙ୍କ ଜରିଆରେ ଯେତିକି ଭୋଟ୍‌ ଭିଡ଼ିବାକୁ ଆକଳନ କରିଥିଲା ସେଭଳି ହୋଇପାରିନାହିଁ । କଂଗ୍ରେସ ଏବେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଓ ଦଳ ଗତଥର ପାଇଥିବା ୧୫ ହଜାର ଭୋଟକୁ ନେଇ ଅଙ୍କ କଷୁଛି  । ତେବେ ଗତଥରର ସମୀକରଣ ଅଲଗା ଥିଲା । ଘାସିରାମଙ୍କୁ ଆଦିବାସୀ ସମାଜ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲା । ସବୁ ଆଦିବାସୀ ସଂଘ ଘାସିରାମଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲା । ଏବେ କିନ୍ତୁ ଘାସିରାମଙ୍କ ସହ ୨୦୨୪ରେ ଥିବା ସବୁ ଲୋକ କି ନେତା ନାହାନ୍ତି । ନୂଆପଡ଼ାରେ ଥିବା ୩ଟି ଆଦିବାସୀ ସଂଗଠନ ମଧ୍ୟରୁ ଗୋଟିଏ ସଂଗଠନ ସମ୍ପୂର୍ଣ୍ଣ ଭାବେ ଘାସିରାମଙ୍କ ସହ ରହିଛନ୍ତି । ହେଲେ ବାକି ଦୁଇ ସଂଗଠନ ମଧ୍ୟରୁ ଗୋଟିଏ ସଂଗଠନର ଆଭିମୁଖ୍ୟ ଏବେବି ଅସ୍ପଷ୍ଟ ରହିଥିବାବେଳେ ଆଉ ଗୋଟିଏ ସଂଘ ବହୁଧା ବିଭକ୍ତ । ସେଥିମଧ୍ୟରୁ କିଛି ନେତା ଘାସିରାମଙ୍କ ସହ ଅଛନ୍ତି । ତେବେ ଭକ୍ତ ଦାସ ଗାଁ ଗାଁ ଯାଇ ପ୍ରଚାରରେ ଆଗରେ ଅଛନ୍ତି  ।

    ରାଜ୍ୟରେ ଏବେ ଡବଲ ଇଞ୍ଜିନ୍‌ ସରକାର ଚାଲିଥିବାରୁ ବିଜେପି ବଡ଼ ବିଜୟ ହାସଲ ପାଇଁ ଅଙ୍କ କଷିଛି । ବିଶେଷକରି ସ୍ନେହାଙ୍ଗିନୀ ଛୁରୀଆଙ୍କୁ ବିଜେଡ଼ି ପ୍ରାର୍ଥୀ କରିବା ପରେ ବିଜେପି ଓ କଂଗ୍ରେସର ଯୋଶ୍‌ ବଢ଼ି ଯାଇଥିଲା । କାହିଁକିନା ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନୂଆପଡ଼ାର ହୋଇଥିଲାବେଳେ ବିଜେଡ଼ି ପ୍ରାର୍ଥୀ ଅନ୍ୟ ଜିଲ୍ଲାର । ଯାହାଦ୍ୱାରା ବିଜେଡ଼ିର ଭୋଟ ପ୍ରଭାବିତ ହେବ ବୋଲି କୁହାଯାଉଥିଲା । ଅପରପକ୍ଷରେ ବିଜେଡ଼ି ପ୍ରାର୍ôଥନୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ରୋଡ଼ଶୋ’ କିନ୍ତୁ ବିଜେପି ଓ କଂଗ୍ରେସକୁ ଚିନ୍ତାରେ ପକାଇ ଦେଇଛି  । ବିଜେପି ପ୍ରାର୍ଥୀ ଦୁଇ ତିନି ହଜାର ଓ କଂଗ୍ରେସ ପ୍ରାର୍ଥୀ ତିନି ଚାରି ହଜାର ଲୋକଙ୍କୁ ନେଇ ଶୋଭାଯାତ୍ରା କରିଥିବାବେଳେ ସ୍ନେହାଙ୍ଗିନୀଙ୍କର ଶୋଭାଯାତ୍ରାରେ ୭ରୁ ୮ ହଜାର ଲୋକ ଥିଲେ । ଅତଏବ ପ୍ରଚାରରେ ଏବେ କଂଗ୍ରେସ ଆଗରେ ଥିଲେ ମଧ୍ୟ ରୋଡ଼ ଶୋ’ରେ ବିଜେଡ଼ି ଆଗରେ ରହିଛି । ସେପଟେ ଶାସକ ବିଜେପି ମୁଖ୍ୟମନ୍ତ୍ରୀଙ୍କର ଏକାଧିକ କାର୍ଯ୍ୟକ୍ରମ, ଦିବଂଗତ ବିଧାୟକ ରାଜେନ୍ଦ୍ରଙ୍କ ପୁଅ ଜୟଙ୍କ ପ୍ରାର୍ଥୀତ୍ୱ, ଦଳରେ ଥିବା ଅସନ୍ତୁଷ୍ଟଙ୍କୁ ବିଭିନ୍ନ ବାଟରେ ସନ୍ତୁଷ୍ଟ କରିଦେଇଥିବାରୁ ଅଙ୍କରେ ଆଗୁଆ ଥିବା କୁହାଯାଇପାରିବ ।

     ଏସବୁ ଭିତରେ ତିନି ଦଳର କିଛି ଦୁର୍ବଳତା ରହିଛି । ଲୋକସଭାରେ ବିଜେପି ଆଗରେ ଥିଲେବି ବିଧାନସଭାରେ ଏତେ ପଛୁଆ ରହିବାର କାରଣ ଅନୁଶୀଳନ କରୁଛି । ସେପଟେ ବସନ୍ତ ପଣ୍ଡାଙ୍କୁ ବିଜେପି ବେଶୀ ଗୁରୁତ୍ୱ ଦେଉଥିବାରୁ ଯଦୁମଣି ପାଣିଗ୍ରାହୀଙ୍କ ଲୋକମାନେ ଅସନ୍ତୁଷ୍ଟ ଥିବା ଜାଣିବାକୁ ମିଳିଛି । ନୂଆପଡ଼ାର ରାଜନୀତିକ ଗତି ବଡ଼ ବିଚିତ୍ର ଥିବାରୁ ତାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଚିନ୍ତାରେ ପକାଇବାକୁ ବାଧ୍ୟ ହୋଇଛି । ସେହିପରି ବିଜେଡ଼ି ବଡ଼ ରୋଡ଼ଶୋ’ରେ ସଫଳ ହୋଇଥିଲେବି ଦଳ ଏଯାଏଁ ବିଜେପି କିମ୍ବା କଂଗ୍ରେସ ନେତାଙ୍କୁ ନିଜ ଆଡ଼କୁ ଆଣିପାରିନାହିଁ । ଗାଏମୋଟ୍‌ କହିଲେ ବିଜେଡ଼ି ଏବେ ନିଜର ୫୦ ହଜାର ଭୋଟକୁ ନିଶ୍ଚିତ କରିବା ଦିଗରେ ହିଁ ଗୋଟିଚାଳନା କରୁଛି । ଆଉ ଏଥିରେ ବି ଅନେକାଂରେ ସଫଳତା ମିଳିଛି । ସେହିପରି ସ୍ୱାଧୀନ ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ୍‌ ମିଶିଲେ କଂଗ୍ରେସ ଜିତିପାରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଘାସିରାମ ଅନୁଶୀଳନ କରିଥିଲେ । କିନ୍ତୁ ସବୁ ନେତା ଆସୁନଥିବାରୁ ଭକ୍ତଙ୍କ ଅଙ୍କ ବି ଗଡ଼ବଡ଼ ହୋଇଯାଇଛି । ସେହିପରି ଆଗକୁ ବିଜେଡ଼ି ଓ ବିଜେପିର ଟଙ୍କା ଖେଳରେ କଂଗ୍ରେସ ସ୍ୟାଣ୍ଡୱିଚ୍‌ ହୋଇଯିବାର ବି ଆଶଙ୍କା ରହିଛି । ନଭେମ୍ବର ପ୍ରଥମ ସପ୍ତାହରେ ହିଁ ନୂଆପଡ଼ା ରାଜନୀତି ନୂଆମୋଡ଼ ନେବବୋଲି ରାଜନୀତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି ।