ତୁଳିଲେ ଅଶାନ୍ତି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ନିଜକୁ ଅନ୍ୟ ସହିତ ତୁଳନା କରିବା କେମିତି ଅଶାନ୍ତିର କାରଣ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜଣିଏ ମଣିଷଠୁ ଆଉ ଜଣେ ମଣିଷଙ୍କ ପ୍ରକୃତି ଭିନ୍ନ । ଦୁନିଆର କାହା ପ୍ରକୃତି କାହା ସଙ୍ଗେ ସମାନ ନୁହଁ । ତେବେ କିଛି ପ୍ରକୃତି ଅନେକଙ୍କ ଠାରେ ସମାନ ଭାବରେ ଦେଖାଯାଏ । ସେଥିମଧ୍ୟରୁ ପ୍ରତିକଥାରେ ଅନ୍ୟ ସହିତ ନିଜକୁ ତୁଳନା କରିବା ଗୋଟିଏ । ମନସ୍ତତ୍ତ୍ୱ ବିଜ୍ଞାନ କହୁଛି ଯେ କେହି କାହା ସହିତ ସମାନ ନୁହଁନ୍ତି । ସମସ୍ତେ ସ୍ୱତନ୍ତ୍ର । ତେଣୁ କାହାରିକୁ କେବେ ଆଉ ଜଣଙ୍କ ସହିତ ତୁଳନା କରିବା ଉଚିତ୍ ନୁହେଁ । ହେଲେ କଥା କଥାକେ ଅନେକ ବ୍ୟକ୍ତି 'ତୁ ତାହା ପରି ହେଉନୁ', 'ୟା ପରି ହେଉନୁ', 'ସିଏ ଏତେ ଅଧିକ ନମ୍ବର ରଖିଲା, ତୁ ରଖୁନୁ' ଭଳି ଅନେକ ଗୁଡିଏ ତୁଳନା କରି କଥା କୁହନ୍ତି । ପ୍ରତିକଥାରେ ନିଜକୁ ଅନ୍ୟ ସହିତ ତୁଳନା କରିବା, ପିଲାଙ୍କୁ ଆଉ କାହା ସହିତ ତୁଳନା କରିବା ବାପାମାଆ ତଥା ଅନେକ ବ୍ୟକ୍ତିଙ୍କ ଠାରେ ମଧ୍ୟ ଦେଖାଯାଏ । କାହାରିକୁ ଅନ୍ୟ ସହିତ ତୁଳନା କରିବା ହେଉଛି ଏକ ମାନସିକ ବିସଙ୍ଗତି ।
ସିଏ ଭଲ ପଢିଲା, ମୋର ପାଠ ହେଉନି, ତାର ହେଲା, ମୋର ହେଲା ନାହିଁ, ସିଏ ଭଲ ରୋଜଗାର କରୁଛି କିନ୍ତୁ ମୋର ହେଉନାହିଁ, ତାହା ଘରଟି ମୋ ଘରଠୁ ସୁନ୍ଦର ଇତ୍ୟାଦି ଅନେକ ପ୍ରକାରର ତୁଳନାତ୍ମକ ମନୋବୃତ୍ତି ମନ ଭିତରେ ରଖନ୍ତି । ଏସବୁ କରିବା ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ଅଗ୍ରଗତି କରିବା ସ୍ଥଳେ ପଶ୍ଚାତ୍ ଗତି ହୁଏ । ଛାତ୍ରଛାତ୍ରୀଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରିଲେ ସେମାନଙ୍କ ପାଠପ?ା ଦିନକୁ ଦିନ ଖରାପ ହୁଏ । ବୟସ୍କ ବ୍ୟକ୍ତିମାନେ ଅନ୍ୟମାନଙ୍କ ପରିସ୍ଥିତିକୁ ନିଜ ପରିସ୍ଥିତି ସହିତ ତୁଳନା କରିଲେ ମାନସକି ଅଶାନ୍ତି ଗୁଡିଏ କେବଳ ଭୋଗନ୍ତି । ମୋଟ୍ ଉପରେ ଜଣଙ୍କୁ ଅନ୍ୟ ଜଣକ ସହିତ ତୁଳନା କରିଲେ ମନ ଭିତରେ ଅଶାନ୍ତି ବୃଦ୍ଧି ପାଇବା ସହିତ ହତାଶା ମଧ୍ୟ ସୃଷ୍ଟି ହୁଏ । ଭବିଷ୍ୟତରେ ଅସହିଷ୍ଣୁ ମନୋଭାବ ଶତ୍ରୁତାରେ ପରିଣତ ହୋଇ ବାଦ ବିବାଦର ରୂପ ନେଇଥାଏ ।
ନିଜକୁ ଅନ୍ୟ ଠାରୁ ନୁ୍ୟନ ଭାବରେ ଦେଖିବା ଅନୁଚିତ୍ । ନିଜେ ନିଜ ପରି ହିଁ ସବୁବେଳେ ବଞ୍ଚିବା ଉଚିତ୍ । କାହାରିକୁ ଆଦର୍ଶ ଭାବରେ ଗ୍ରହଣ କରୁଥିଲେ ତାହା କେବଳ ସକାରାତ୍ମକ ଭାବରେ ହେବା ଉଚିତ୍ । ଅନ୍ୟଥା ମାନସିକ ଦୁଶ୍ଚିନ୍ତା ହିଁ ଦୁଶ୍ଚିନ୍ତା ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।