ଜୈବିକ ଚାଷ ପ୍ରତି ବିମୁଖ ଚାଷୀ
ବିଭିନ୍ନ ସମୟରେ ଚାଷୀମାନେ ରାସାୟନିକ ସାର ବ୍ୟବହାର କରି ଫସଲର ବିଭିନ୍ନ ପର୍ଯ୍ୟା/ରେ ଏହାକୁ ପ୍ରୟୋଗ କରୁଛନ୍ତି । ତେଣୁ ଫସଲ ଅଧିକ ହେଉଛି ସତ; କିନ୍ତୁ ଏଭଳି ଉତ୍ପାଦିତ ଫସଲରୁ ପ୍ରସ୍ତୁତ ଖାଦ୍ୟ ଖାଇ ବିଭିନ୍ନ ପ୍ରକାରର ରୋଗରେ ଲୋକେ ପଡୁଥିବାର ଜଣାଗଲାଣି । ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ଜୈବିକ କୃଷି ଉପରେ ଅଗ୍ରାଧିକାର ଦେବାକୁ ରାଜ୍ୟ କୃଷିମନ୍ତ୍ରୀ କୃଷକମାନଙ୍କୁ ନିବେଦନ କରିଲେଣି । ତେବେ ବର୍ତ୍ତମାନର ଉନ୍ନତ କିସମର ବିହନ ବ୍ୟବହାର ହେଉଥିବା ବେଳେ ସେଥିରୁ ଆବଶ୍ୟକମତେ ଉତ୍ପାଦନ ପାଇବାକୁ ହେଲେ ଜୈବିକ ଚାଷ ଅପେକ୍ଷା ରାସାୟନିକ ସାର ଉପରେ ଅଧିକ ନିର୍ଭର କରିିବାକୁ ପଡୁଛି ।
ରାଜ୍ୟରେ ୟୁରିଆ ଏବଂ ଅନ୍ୟାନ୍ୟ ସାରର ଘୋର୍ ଅଭାବ ଦେଖା ଦେଉଛି । ଏହି ସାର ଅଭାବକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀମାନେ କୃଷି ଅଧିକାରୀ ଏବଂ ପ୍ୟାକ୍ସ କର୍ମଚାରୀମାନଙ୍କୁ ତାଲା ପକାଇବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବାର ଘଟଣା ଘଟିଗଲାଣି । ଚାଷୀମାନେ ବହୁବର୍ଷ ହେଲା ଆଉ ପଶୁ ଶକ୍ତିର ବ୍ୟବହାର କରୁନାହାନ୍ତି । ସେମାନେ ଯନ୍ତ୍ରଶକ୍ତିର ବ୍ୟବହାର କରି ଚାଷ କରୁଥିବାରୁ ଆଉ ଗାଈବଳଦ ବି ନାହାନ୍ତି । ତେଣୁ ଚାଷ ପାଇଁ ଆବଶ୍ୟକ ଖତ ଆଉ ମିଳୁନାହିଁ । ଅନେକ ସ୍ଥାନରେ ଚାଷୀମାନେ ଗାଈଗୋରୁ ବିକ୍ରି କରିଦେଲେଣି । ଟ୍ରାକ୍ଟର ଏବଂ ହାର୍ଭେଷ୍ଟର ବ୍ୟବହାର ପରେ ଗାଈଗୋରୁ ରଖି ସେମାନଙ୍କ ଯତ୍ନ ନେବା ଲୋକଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ । ଆଧୁନିକ ଜୀବନଶୈ÷ଳୀରେ ମଧ୍ୟ ବାସଗୃହ ନିର୍ମାଣ ସହିତ ଗାଈଗୋରୁ ରଖିବା ପାଇଁ ବ୍ୟବସ୍ଥା ହୋଇପାରୁନାହିଁ । ତେଣୁ କୃଷିକ୍ଷେତ୍ର ନିମିତ୍ତ ଆବଶ୍ୟକ ହେଉଥିବା ଖତ କିମ୍ବା ଜୈବିକ କମ୍ପୋଷ୍ଟ ଆଉ ମିଳୁନାହିଁ । ଚାଷୀମାନେ ବାଧ୍ୟ ହୋଇ ରାସାୟନିକ ସାର ଉପରେ ନିର୍ଭର କରୁଛନ୍ତି ।
ଅନ୍ୟପକ୍ଷରେ ରାସାୟନିକ ସାରର ଅତିମାତ୍ରାରେ ବ୍ୟବହାର ତଥା କୀଟନାଶକର ବ୍ୟବହାର ଯୋଗୁଁ କୃଷି ଉତ୍ପାଦିତ ଖାଦ୍ୟର ଗୁଣବତ୍ତା ଧୀରେ ଧୀରେ ନଷ୍ଟ ହୋଇ ସେଥିରେ ବିଷାକ୍ତ ଉପାଦାନମାନ ରହୁଛି । ଏଭଳି କୃଷିଜାତ ପଦାର୍ଥ ଖାଇବା ଦ୍ୱାରେ ବିଭିନ୍ନ ପ୍ରକାରର ଜଟିଳ ରୋଗ ହେଉଥିବା ଚିକିତ୍ସା ବିଜ୍ଞାନୀମାନେ କହିଲେଣି । ଖାଦ୍ୟର ଅପମିଶ୍ରଣ ଯେଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରସଙ୍ଗ ଠିକ୍ ସେହିପରି ରାସାୟନିକ ସାରର ବ୍ୟବାହର ଏବଂ କୀଟନାଶକ ସାରର ବ୍ୟବହାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଗତ ପ୍ରସଙ୍ଗ । ଏହାକୁ କୌଣସି ମତେ ଏଡ଼ାଇ ଯିବାକୁ ଚେଷ୍ଟା କରିଲେ ମଧ୍ୟ ହୋଇପାରୁନାହିଁ । ଧାନ, ଗହମ ଠାରୁ ଆରମ୍ଭ କରି ଡ଼ାଲି ଏବଂ ପରିବା ଜାତୀୟ ଫସଲରେ ଅତିମାତ୍ରାରେ କୀଟନାଶକ ପ୍ରୟୋଗ ହେଉଛି । କୀଟନାଶକର ପ୍ରୟୋଗ କରାନଗଲେ ଖେତରେ ବାଈଗଣ କି ଭେଣ୍ଡିଟିଏ ମଧ୍ୟ ଭଲ ଭାବରେ ଉତ୍ପାଦିତ ହୋଇପାରିବ ନାହିଁ । ଏଥିସହିତ ଆଶାନୁରୂପ ଫସଲ ଆମଦାନୀ ହେବ ନାହିଁ । ତେଣୁ ଜୈବିକ କୃଷି ପଦ୍ଧତି ଅବଲମ୍ବନ କରିବା ନିହାତି ଆବଶ୍ୟକ । ହେଲେ ତାହା ଯନ୍ତ୍ର ସଭ୍ୟତା ଯୁଗରେ ଆଉ ସମ୍ଭବ ହେବା ଭଳି ମନେ ହେଉନାହିଁ । ଯେତିକି ଜମିରେ ଚାଷ ହେଉଛି ସେତିକି ପାଇଁ ରାସାୟନିକ ସାରର ଅଭାବ ପଡୁଛି । ତେବେ ଏପରି କ୍ଷେତ୍ରରେ ଜୈବିକ ସାର ବା ଖତ, କମ୍ପୋଷ୍ଟ୍ ଆଦି ମିଳିବ କେମିତି? ବର୍ତ୍ତମାନ କମ୍ପୋଷ୍ଟ୍ ପ୍ରସ୍ତୁତ କରିବା ପାଇଁ ଚାଷୀ ନିକଟରେ ଆଉ ସ୍ଥାନ ନାହିଁ । ଯେତିକି ସ୍ଥାନ ତାହା ପାଖରେ ରହିଥିଲା ସେତିକିରେ ଘର କରି ସାରିଲେଣି । ଦିନକୁ ଦିନ ପରିବାରର ବୃଦ୍ଧି, ଜନସଂଖ୍ୟା ବୃଦ୍ଧି, ବାସଗୃହର ଆବଶ୍ୟକତା, ଆଧୁନିକ ଜୀବନଶେଳୀକୁ ନେଇ ଯାନବାହାନର ଗ୍ୟାରେଜ୍ ଆଦି ଆବଶ୍ୟକ ପଡୁଥିବା ବେଳେ କୃଷିରେ ପଶୁ ଶକ୍ତିର ବ୍ୟବହାର ପାଇଁ ପଶୁପାଳନ କରିବାକୁ ସ୍ଥାନ ନାହିଁ । ତେବେ ରାସାୟନିକ ସାରର ଅଳ୍ପ ବ୍ୟବହାର କରି କୃଷିକାର୍ଯ୍ୟ କରାଯାଇପାରିବ ଏବଂ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଚାଷୀମାନେ ଚିନ୍ତା କରିବା ଉଚିତ୍ ।