ତ୍ରିବେଣୀ ସଙ୍ଗମରେ ପରିବାର ସହ ବୁଡ଼ ପକାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ଆଜି ପ୍ରୟାଗରାଜ ଠାରେ ମା’ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ସହ ବୁଡ ପକଇଛନ୍ତି । ଏହି ଅବସରରେ ସେ କହିଛନ୍ତି କି, "ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ । ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭର ଅଲୌକିକ ସଙ୍ଗମର ଅବସର ଉପନୀତ ହୋଇଛି । ଏହି ସଙ୍ଗମରେ ପୂଜ୍ୟ ସାଧୁ ସନ୍ଥ ଏବଂ ଭକ୍ତମାନେ ଏକାଠି ହୋଇଛନ୍ତି । ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ । ଏହିଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ ‘ମହାକୁମ୍ଭ’ରେ ସପରିବାର ଶ୍ରଦ୍ଧାର ସହିତ ସ୍ନାନ କରିବା ମୋ ପାଇଁ ଦିବ୍ୟ ଅନୁଭୁତି ଏବଂ ପରିବାର ପାଇଁ ସୌଭାଗ୍ୟର ବିଷୟ । ମହାକୁମ୍ଭ କେବଳ ଏକ ପର୍ବ ନୁହେଁ ବରଂ ଏହା ଭାରତର ହଜାର ହଜାର ବର୍ଷ ପୁରୁଣା ଅଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନାର ଜୀବନ୍ତ ଜ୍ୟୋତି । ଏହି ଦିବ୍ୟ ଅବସରରେ ସମଗ୍ର ବିଶ୍ୱ ସନାତନ ସଂସ୍କୃତିର ଭବ୍ୟତା, ଶ୍ରଦ୍ଧା ଏବଂ ଭକ୍ତିରେ ମୁଁ ଅଲୌକିକ ଶକ୍ତିକୁ ଅନୁଭବ କରୁଛି ।' ଏହି ଅବସରରେ ମା’ ଗଙ୍ଗାଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାକୁମ୍ଭ ମେଳା ସୁବ୍ୟବସ୍ଥିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି । ତ୍ରିବେଣୀ ସଙ୍ଗମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଗେନ୍ଦର ଉପାଧ୍ୟାୟ, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ରାକେଶ ସଚନ ପ୍ରମୁଖ ବୁଡ ପକାଇଥିଲେ ।