ତ୍ରିରଙ୍ଗା ଶୋଭାଯାତ୍ରା
ପୁରୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ ପୂର୍ବକ ଅପରେସନ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଇ ଆତଙ୍କବାଦ ବିଲୋପ ପାଇଁ ଅବ୍ୟାହତ ପ୍ରଚେଷ୍ଟା ଲାଗି ରହିଛି । ଏଥିନିମନ୍ତେ ଭାରତୀୟ ସେନାର ଯବାନମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଯବାନମାନଙ୍କ ବୀରତ୍ୱ, ଅଦମ୍ୟ ସାହସ ଦେଶର ଅଖଣ୍ଡତା ରକ୍ଷା ନିମନ୍ତେ ସେମାନଙ୍କ ମନୋବଳକୁ ଦୃଢ କରିବା ପାଇଁ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି । ସେହି କ୍ରମରେ ସୋମବାର ଦିନ ଜିଲ୍ଳା ପ୍ରଶାସନ ପକ୍ଷରୁ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯବାନମାନଙ୍କୁ ସଲାମ କରିବା ସହିତ ସେମାନଙ୍କ ବୀରତ୍ୱ ନିମନ୍ତେ ସହାନୁଭୂତି ଜଣାଇବା ପାଇଁ ତଥା ମନବଳ ବୃଦ୍ଧି ନିମନ୍ତେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ, ବରିଷ୍ଠ ନାଗରିକ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ । ପୁରୀ ଶରଧାବାଲି ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସମସ୍ତେ ଜାତୀୟ ପତାକା ଧରି ଭାରତ ମାତା କି ଜୟ, ବନେ୍ଦ ମାତରମ ସ୍ଲୋଗାନ୍ ଦେଇଥିଲେ । ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରାଯାଇଥିଲା । ଏହି ଶୋଭାଯାତ୍ରାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ଜିଲ୍ଳା ବିଜେପି ସଭାପତି ଡ଼କ୍ଟର ଦେବେନ୍ଦ୍ର ନାଥ ତରାଇ ପ୍ରମୁଖ ସାମିଲ ହୋଇଥିଲେ ।