ଠିକାଦାରଙ୍କ ମନମାନି, ସରୁନି ବିଜୁସେତୁ
କେନ୍ଦ୍ରାପଡା : ଧାର୍ଯ୍ୟ ଅବଧି ଶେଷ ପରେ ବି ଶେଷ ହୋଇପାରିନି ବିଜୁ ସେତୁ ନିର୍ମାଣ କାମ । ତିନୋଟି ଭିନ୍ନ ଭିନ୍ନ ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । କିନ୍ତୁ ଅବଧି ଶେଷ ପରେ ବି ନିର୍ମାଣ କାମ ଶେଷ ହୋଇପାରୁନି । ଅସୁବିଧା ଭୋଗୁଛନ୍ତି ଲକ୍ଷାଧିକ ଲୋକେ । କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଏବଂ ଆଳି ର ତିନି ନଦୀ ଉପରେ ନିର୍ମାଣଧୀନ ବିଜୁ ସେତୁ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଏ ଅଧାପନ୍ତରିଆ ପଡିରହିଥିବା ସେତୁ ହେଉଛି କେନ୍ଦ୍ରାପଡା ସହର ଗୁଲନଗର ସ୍ଥିତ ବିଜୁ ସେତୁର ଦୃଶ୍ୟ ।ପୂର୍ବରୁ ଏଠି ଗୋଟିଏ ସେତୁ ଥିବା ବେଳେ, ସହରର ଜନଗହଳିକୁ ଲକ୍ଷକରି ଗୋବରୀ ନଦୀ ଉପରେ ଆଉ ଏକ ସେତୁ ନିର୍ମାଣ ର ବ୍ୟବସ୍ଥା କରାଯାଇଥିଲା । ନଦୀ ଉପରେ ସେତୁ ପାଇଁ ୩ଟି ପିଲର ଷ୍ଟାଣ୍ଡ କରାଯିବାପରେ, କାମ ସେଉଠୁ ବନ୍ଦ ହୋଇ ପଡ଼ିରହିଛି । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଏହି ସେତୁ ର ନିର୍ମାଣ କାର୍ଯ୍ୟ ଏଯାଏ ସରିବାର ନାଁ ଧରୁନି । ଯାହାଫଳରେ କଟକ ଚାନ୍ଦବାଲି ରାସ୍ତାରେ, ତିନିମୁହାଣୀ ଛକ ଦେଇ ଯାତାୟାତ ରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ସବୁଠୁ ବଡ଼ କଥା ହେଲା ଏହି ସେତୁ ର ୫୦ମିଟର ଦୂରରେ ଜିଲ୍ଲାର ପୂର୍ତ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ, ନିର୍ମାଣ କାର୍ଯ୍ୟର ବିଳମ୍ବ କୁ ନେଇ ଲୋକେ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।ଏ କେବଳ ଗୋଟିଏ ନୁହେଁ, ଜିଲ୍ଲାର ପଟ୍ଟାମୁଣ୍ଡାଇ ଏବଂ ଆଳି ବ୍ଲକ ରେ ବି ସମ ଦଶା । ଆଳି ବ୍ଲକ ଓ ରାଜନଗର ବ୍ଲକ କୁ ସଂଯୋଗ କରୁଥିବା ଅରେହିକଣା ଗ୍ରାମ ନିକଟରେ ଅର୍ଦ୍ଧନିର୍ମିତ ସେତୁ ଏବଂ ପଟ୍ଟାମୁଣ୍ଡାଇର ଜଗନ୍ନାଥପୁର ନିକଟରେ ଆରମ୍ଭ ହୋଇଥିବା ସେତୁର ନିର୍ମାଣ ଅବଧି ସରିଗଲାଣି । କିନ୍ତୁ ଅସମ୍ପୂର୍ଣ ସେତୁ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ୨୦୨୪ ନିର୍ବାଚନ ବୈତରଣୀ ପାର କରିବାକୁ ଯାଇଉଭୟ ସେତୁକୁ ଲୋକଦେଖାଣିଆ ଭାବେ କାମ କରିଥିଲେ । କିନ୍ତୁ ନିର୍ବାଚନ ସାରିବାପରେ ଉଭୟ ଠିକାଦାର ଏବଂ ବିଭାଗ ର ଦାଇତ୍ୱ ହୀନତା ପାଇଁ ଏବେ ଲୋକେ ଅସୁବିଧାରେ । ତେବେ ନୁଆ ସରକାର ଆସିବାପରେ ବନ୍ଦ ପଡ଼ିଥିବା ସେତୁ ନିର୍ମାଣ କାମ ତୁରନ୍ତ ଆରମ୍ଭ କରି ସମ୍ପୂର୍ଣ୍ଣ କରିବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।