ତ୍ରୟୋଦଶ ଦିବସରେ ପଞ୍ଚ ଠାକୁରାଣୀ ମା'ଙ୍କ ଘଟ ପରିକ୍ରମା 

ବୁଗୁଡ଼ା:  ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ତ୍ରୟୋଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଶ୍ରୀ ତ୍ରିନାଥ ସ୍ୱାମୀ ପରିବା ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା'ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା  । ପଞ୍ଚ ମାନସିକଧାରୀ ମହିଳା ସଙ୍ଗୀତା ଦଳେଇ, ସଞ୍ଜୁଲତା ସ୍ୱାଇଁ, ରଶ୍ମିତା ପ୍ରଧାନ, ଶାନ୍ତିଲତା ପ୍ରଧାନ, ନର୍ମଦା ପ୍ରଧାନ ପ୍ରମୁଖ ଘଟ ଧାରଣ ପୂର୍ବକ ବଳଦେବ ମନ୍ଦିର ପଥ, ଥାନା ରୋଡ, ହାଇସ୍କୁଲ ଛକ, ନୂଆଁ ବସଷ୍ଟାଣ୍ଡ, ମଦନ ମୋହନ ଛକ, ପରିବା ମାର୍କେଟ୍, ବୁଦ୍ଧଖୋଲ ଗେଟ୍, ପୋଲସରା ରୋଡ ଆଦି ପରିକ୍ରମା କରି ସ୍ୱଆସ୍ଥାନକୁ ଫେରିଥିଲେ । ମା'ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ଶିବ-ପାର୍ବତୀ, ନବଦୁର୍ଗା, ରାମ-ଲକ୍ଷ୍ମଣ-ସୀତା , ହନୁମାନ, ରାବଣ, ଜଟାୟୁ ଆଦି ବେଶ ଧାରଣ ପଟୁଆର ଲୋକଙ୍କୁ ବହୁତ ଆକୃଷ୍ଟ କରିଥିଲା  । ଅନ୍ୟପକ୍ଷରେ ଆଜି "କୁମ୍ଭାର ସାହିର "ଶିବ ଲିଙ୍ଗ’ ମେଢ,ପୋଲସରା ରୋଡ ନୂଆସାହିର " ଶିବ-କାର୍ତ୍ତିକ-ଗଣେଶ "ମେଢ ଏବଂ ବ୍ଲକ କଲୋନୀର "ଅନନ୍ତ ଶୟନ’ ମେଢ ଲୋକାର୍ପିତ ହୋଇଥିଲା  । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।