ପ୍ରଥମ ପ୍ରାଇଭେଟ ରକେଟ ଉନ୍ମୋଚିତ
ଘରୋଇ ମହାକାଶ କ୍ଷେତ୍ର ପାଇଁ ଐତିହାସିକ ପଦକ୍ଷେପ
ନୂଆଦିଲ୍ଲୀ : ଭାରତର ଘରୋଇ ମହାକାଶ ଗବେଷଣା କ୍ଷେତ୍ର ପାଇଁ ଆଜି ଥିଲା ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । କମ୍ପାନୀର ପ୍ରଥମ କକ୍ଷପଥ ରକେଟ୍ ବିକ୍ରମ-୧କୁ ମଧ୍ୟ ଉନ୍ମୋଚନ କରିଥିଲେ, ଯାହା କକ୍ଷପଥକୁ ଉପଗ୍ରହ ଉତକ୍ଷେପଣ କରିବାର କ୍ଷମତା ରଖିଛି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି । ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ମୋଦି କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ । ପ୍ରଧାନମନ୍ତ୍ରୀ ପବନ କୁମାର ଚନ୍ଦନା ଏବଂ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା । ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ । ଷ୍ଟାର୍ଟଅପ୍ ଏବଂ ଶିଳ୍ପକୁ ନବସୃଜନ ସହିତ ଯୋଡ଼ିବା ପାଇଁ ପ୍ରୟାସ କରାଯାଇଛି ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଇସ୍ରୋର ସୁବିଧା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବା ପାଇଁ ଇନସ୍ପେସ ପ୍ରତିଷ୍ଠା କରାଯାଇଛି । ଆଜି ୩୦୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଭାରତର ମହାକାଶ ଭବିଷ୍ୟତକୁ ନୂତନ ଆଶା ପ୍ରଦାନ କରୁଛନ୍ତି । ଏହି ଷ୍ଟାର୍ଟଅପ୍ ମଧ୍ୟରୁ ଅଧିକାଂଶ ଅଳ୍ପ କିଛି ଲୋକ ଏବଂ ଛୋଟ ପ୍ରୟାସଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, ମହାକାଶ କ୍ଷେତ୍ରରେ ଭାରତରେ ଥିବା କ୍ଷମତା ବିଶ୍ୱର କେବଳ ଅଳ୍ପ କିଛି ଦେଶ ପାଖରେ ଅଛି । ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି । ଦେଶରେ ଏବେ ୧.୫ ଲକ୍ଷରୁ ଅଧିକ ପଞ୍ଜିକୃତ ଷ୍ଟାର୍ଟଅପ୍ ଅଛନ୍ତି, ସେଗୁଡିକ ମଧ୍ୟରୁ ଅନେକ ୟୁନିକର୍ଣ୍ଣ ସ୍ଥିତି ହାସଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଏବଂ ନବସୃଜନ ପାଣ୍ଠି ଦେଶବ୍ୟାପୀ ଯୁବପିଢ଼ିଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନର ଭାବନା ସୃଷ୍ଟି କରିବା ପାଇଁ ୧୦,୦୦୦ ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି ଏବଂ ଆଗାମୀ ଦିନରେ ୫୦,୦୦୦ ନୂତନ ଲ୍ୟାବ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ ଚାଲିଛି । ଏହି ପ୍ରୟାସଗୁଡ଼ିକ ଭାରତରେ ନୂତନ ଉଦ୍ଭାବନର ମୂଳଦୁଆ ସ୍ଥାପନ କରୁଛି । ଆଗାମୀ ଯୁଗ ଭାରତ, ଏହାର ଯୁବପିଢ଼ି ଏବଂ ଏହାର ଉଦ୍ଭାବନର ଉପରେ ଆଧାରିତ ହେବ । କାର୍ଯ୍ୟକ୍ରମରେ ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଉପସ୍ଥିତ ଥିଲେ ।
ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟର ଇନଫିନିଟି କ୍ୟାମ୍ପସ୍ ଏକ ଅତ୍ୟାଧୁନିକ ପରିସର ଯାହା ପ୍ରାୟ ୨ ଲକ୍ଷ ବର୍ଗଫୁଟ କାର୍ଯ୍ୟକ୍ଷେତ୍ର ସହିତ ଏକାଧିକ ପ୍ରକ୍ଷେପଣ ଯାନ ଡିଜାଇନ୍, ବିକାଶ, ସମନ୍ୱୟ ଏବଂ ପରୀକ୍ଷଣ ପାଇଁ କାର୍ଯ୍ୟ କରିଥାଏ । ପୃଥିବୀର କକ୍ଷପଥକୁ ଯାଇପାରୁଥିବା ଗୋଟିଏ ରକେଟ୍ ପ୍ରତି ମାସରେ ନିର୍ମାଣ କରିବାର କ୍ଷମତା ଏଠାରେ ରହିଛି । ସ୍କାଏରୁଟ୍ ହେଉଛି ଭାରତର ଅଗ୍ରଣୀ ଘରୋଇ ମହାକାଶ କମ୍ପାନୀ, ଯାହା ପବନ ଚନ୍ଦନା ଏବଂ ଭରତ ଡାକାଙ୍କ ଦ୍ୱାରା ପ୍ରତିଷ୍ଠିତ । ଉଭୟ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି)ର ପୂର୍ବତନ ଛାତ୍ର । ୨୦୨୨ ନଭେମ୍ବରରେ ସ୍କାଏରୁଟ୍ ଏହାର ସବ-ଅର୍ବିଟାଲ୍ ରକେଟ୍ ବିକ୍ରମ-ଏସ ଉତକ୍ଷେପଣ କରିଥିଲା ଏବଂ ମହାକାଶକୁ ରକେଟ୍ ଉତକ୍ଷେପଣ କରିଥିବା ପ୍ରଥମ ଭାରତୀୟ ଘରୋଇ କମ୍ପାନୀ ହୋଇଥିଲା।