ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ 

 ଟାଙ୍ଗୀ-ଚୌଦ୍ୱାରା, ୧୨ା୧୨:  କଟକ ଜିଲ୍ଲା ଚୌଦ୍ୱାର ଠାରେ ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ପୌରପାଳିକାର ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚଷାପଡା ସ୍ଥିତ ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣ, ବାଣୀପଦା ଗ୍ରାମ ପଞ୍ଚାୟତ ସ୍ଥିତ ଦେବୀନଗର ଉ.ପ୍ରା ବିଦ୍ୟାଳୟ ପରିସରରେ ଏବଂ ୱାର୍ଡ ନମ୍ବର ୧୭ ସ୍ଥିତ ନୂଆସାହିରେ ଏହି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରି ଇମ୍ଫାକୁ ଧନ୍ୟବାଦ ଦେବା ସହ ଏଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୋନ୍ ୧୧ର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ, ଇନ୍ଦ୍ରାଣୀପାଟଣା ପଞ୍ଚାୟତର ସରପଞ୍ଚ ନମିତା ମଲ୍ଲିକ, ବାଣୀପଦାର ସରପଞ୍ଚ ଦିଲ୍ଲୀପ କୁମାର ଭୋଇ, ୧୭ ନମ୍ବର ୱାର୍ଡ ପାରିଷଦ ଆଶୁତୋଷ ଦାସ ପ୍ରମୁଖ ଯୋଗ ଦେଇ ଇମ୍ଫାକୁ ଧନ୍ୟବାଦ ଦେବା ସହ ସ୍ଥାନୀୟ ଲୋକେ ଏହି ପ୍ରକଳ୍ପ ମାଧ୍ୟମରେ ବହୁ ଉପକୃତ ହେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇମ୍ଫାର ମାନବ ସମ୍ବଳ ପ୍ରବନ୍ଧକ ନିରଞ୍ଜନ ସାହୁ, ସାମାଜିକ ଦାୟିତ୍ୱ ଶାଖାର ପ୍ରବନ୍ଧକ  ମାନସ ପ୍ରଧାନ, ଲୋକସମ୍ପର୍କ ଅଧିକାରୀ ଅଭିଷେକ ଘୋଷ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ଥିତପ୍ରଜ୍ଞା ଦାସ, ଶୁଭଶ୍ରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ ।