ଦକ୍ଷତା ବିକାଶ ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମ
ନୂଆପଡା : ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଓ ଜାତୀୟ ସେବା ଯୋଜନା ମହିଳା ମହାବିଦ୍ୟାଳୟ ରାୟଗଡାରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ଓ ବୃତ୍ତି ପରାମର୍ଶ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୧୫ଗୋଟି ବିଶ୍ୱବିଦ୍ୟାଳୟର ସ୍ୱାଚ୍ଛାସେବୀ ଯୋଗଦାନ କରିଥିବାବେଳେ ନୂଆପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ର ଯୁଧିଷ୍ଠିର ଦଣ୍ଡସେନା ଜାତୀୟ ସେବା ଯୋଜନାର ସ୍ୱାଚ୍ଛାସେବୀ ଭାବରେ ଯୋଗଦାନ କରିଥିଲେ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ତରଫରୁ ମନୋନୀତ ହୋଇ ସେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଦକ୍ଷତାର ପରିଚୟ ସୃଷ୍ଟି କରିପାରିଛନ୍ତି । କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ଓ ଅଧ୍ୟକ୍ଷ ଅବନୀ କୁମାର ଖମାରୀଙ୍କ ମାର୍ଗଦର୍ଶନ ଓ ପ୍ରେରଣା ତାଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ସୁଯୋଗ ଦେଇଛି ବୋଲି ସେ ଉଭୟ ଅଧ୍ୟକ୍ଷ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ବାସ୍ତବରେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ,କାର୍ଯ୍ୟକ୍ରମ ଅଧିକାରୀ , ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସହ ଅନେକ ଦିଗରେ ମାର୍ଗଦର୍ଶନ କରୁଛନ୍ତି । ତେଣୁ ଏହି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ସମୟରେ ରାଜ୍ୟ ଓ ରାଜ୍ୟ ବାହାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କରୁଛନ୍ତି ।