ତହସିଲଦାରଙ୍କ କାର୍ଯ୍ୟାଳୟକୁ ଗଲା ଚପଲ, ପଡ଼ିଲା ଚୌକି
ଆନନ୍ଦପୁର : ଉପଖଣ୍ଡ ଘସିପୁରା ତହସିଲଦାରଙ୍କ କାର୍ଯ୍ୟାଳୟ ପରିସର ଜୋତା ବାହାରେ ରଖି ଭିତରକୁ ପ୍ରବେଶ କରିବାକୁ ସୂଚନା ଫଳକ ଲଗାଯାଇଥିବା ବେଳେ, କାର୍ଯ୍ୟାଳୟ ଭିତରେ ଲୋକଙ୍କ ପାଇଁ ବସିବା ପାଇଁ ଚୌକି ବାରଣ କରାଯାଇଥିଲା ।
ଅନ୍ୟପକ୍ଷରେ ନିଜ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବାଲି ଏବଂ ପଥର ମାଫିଆଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ନଥିଲା । ଏ ସମ୍ପର୍କରେ ତହସିଲଦାର ଅଭୟ ସ୍ୱାଇଁଙ୍କୁ ପଚାରିବାରୁ ତାଙ୍କ ଚାମ୍ବରରେ ଠାକୁରଙ୍କ ଫୋଟ ଅଛି ତେଣୁ ଲୋକମାନେ ଚପଲ ପିନ୍ଧି ଭିତରେ ପ୍ରବେଶ କଲେ ଏହା ଅପରିଷ୍କାର ହେବ ସେଥିପାଇଁ ନପିନ୍ଧି ଆସିବାକୁ ସୂଚନା ଦିଆଯାଇଛି । ସେହିପରି ଚେୟାର ପକାଇଲେ ଲୋକ ମାନେ ଆସି ଘଣ୍ଟା ଘଣ୍ଟା ବସିବେ ସେଥିପାଇଁ ଏହାକୁ ଉଠାଇ ଦିଆଯାଇଥିବା କହିଥିଲେ । ଏନେଇ ସୂର୍ଯ୍ୟପ୍ରଭା ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ନିଜ ଟାଣ ପଣରେ ରହିଥିବା ତହସିଲଦାର ସୂଚନା ଫଳକକୁ ହଟାଇ ଦେଇଥିବା ବେଳେ, କାର୍ଯ୍ୟାଳୟ ଭିତରେ ସାଧାରଣ ଲୋକଙ୍କ ପାଇଁ ଚୌକି ପକାଇଥିବା ଦେଖିବାକୁ ମିଳିଥିଲା. ତେବେ ଲୋକଙ୍କ ସମସ୍ୟା କେବେ ଦୂର ହେଉଛି ଦେଖିବାକୁ ବାକି ରହିଲା ।