ଦଳିତଙ୍କ ଉପରେ ଆକ୍ରମଣ ବିରୋଧରେ ରାଜ୍ୟପାଳଙ୍କୁ ଦାବିପତ୍ର 

 ଭଦ୍ରକ : ଓଡ଼ିଶା ମାନବତା ବଞ୍ଚାଓ ଅଭିଯାନ, ଓଡ଼ିଶା ରାଜ୍ୟ କିମିଟିର ଆହ୍ୱାନ କ୍ରମେ  ଭଦ୍ରକ ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅଗଣି ଚରଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଳାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଳାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ବିଭିନ୍ନ ବର୍ଗର ମହିଳାମାନଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାର ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । 
ଉକ୍ତ ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଛି । ସମଗ୍ର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ମହିଳାମାନଙ୍କର ସାମାଜିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି । ବିଶେଷ କରି ନିକଟରେ ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଘଟିଯାଇଥିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ଘଟଣା ଯୋଗୁଁ ଯେଉଁ ବ୍ୟକ୍ତିମାନେ ଶାରିରୀକ ଓ ମାନସିକ ଯନ୍ତ୍ରଣାରେ ପୀଡ଼ିତ ହେବା ସହ ସେମାନଙ୍କର ସାମାଜିକ ଅଧିକାର କ୍ଷୁର୍ଣ୍ଣ ହୋଇଛି, ସେମାନଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବାକୁ ଦାବି କରିବା ସହ ଡେଙ୍କାନାଳ, ଗଞ୍ଜାମ, ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରିବାକୁ ଦାବିପତ୍ରରେ ଦର୍ଶାଯାଇଛି । ଦାବିପତ୍ର ପ୍ରଦାନ କରିଥିବା ପ୍ରତିନିଧି ମଣ୍ଡଳୀରେ ଆଇନଜୀବୀ ଗିରିଧାରୀ ନାଥ, ଦିବ୍ୟସିଂହ ନାୟକ, ସିପିଆଇଏମ୍ ଜିଲ୍ଲା ସମ୍ପାଦକ, କାଳନ୍ଦୀ ପାତ୍ର, ରମେଶ ଜେନା, ଚନ୍ଦ୍ରଶେଖର ନାୟକ, ସମର ବଳ ପ୍ରମୁଖ ସାମିଲ ହୋଇଥିଲେ ।