ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ତଲାଶ କାର୍ଯ୍ୟକ୍ରମ

 ଭୁବନେଶ୍ୱର  : ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଏକ ପ୍ରଥମ ଡିଜିଟାଲ କାର୍ଯ୍ୟକ୍ରମ ତଲାଶ୍ର ଶୁଭାରମ୍ଭ ହୋଇଛି । ଦି ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ୍ସ (ଏନଇସେଟିଏସ) ୟୁନିସେଫ୍ର ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । 
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ସହିତ ଜଡ଼ିତ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶରେ ୧.୩୮ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ । ମାନସିକ ମୂଲ୍ୟାଙ୍କନ ମାଧ୍ୟମରେ ସେମାନଙ୍କର ଦକ୍ଷତା ଚିହ୍ନଟ କରିବା, କ୍ୟାରିଅର ମାର୍ଗଦର୍ଶନ କରିବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଜୀବନ କୌଶଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଲାଭ ପହଞ୍ଚାଇବ । ଏହାକୁ ଓଡିଶାରେ କାର୍ଯ୍ୟକାରୀ କରିବା ଉଦେ୍ଦଶ୍ୟରେ ତିନି ଦିନବ୍ୟାପୀ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଆୟୋଜିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ୪୭ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ ୯୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ  । ଏହି ଅଧିବେଶନଗୁଡ଼ିକରେ କ୍ୟାରିୟର ପରାମର୍ଶ, ଆତ୍ମସମ୍ମାନ ବୃଦ୍ଧି ଏବଂ ଜୀବନ କୌଶଳ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟକ୍ତିଗତ କ୍ୟାରିୟର କାର୍ଡ ବିକାଶ କରିବା ଉପରେ ଧ୍ୟାନ ଦିଆଯାଇଥିଲା । ଶିକ୍ଷାଗତ ଓ କ୍ୟାରିୟର ଚୟନ କରିବାରେ ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ତଲାଶ୍ ବହୁ ମାତ୍ରାରେ ସହାୟକ ହୋଇପାରିବ ।  ଆଜି ଏହାର ଉଦଯାପନୀ ସମାରୋହରେ ଓଏମଟିଇଏସର ଯୁଗ୍ମ ନିଦେ୍ର୍ଦଶକ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଉପ ଶାସନସଚିବ ପ୍ରଣତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।