ଦାର୍ଜିଲିଂରେ ବର୍ଷା ଓ ଭୂସ୍ଖଳନ

ଉତ୍ତର-ପୂର୍ବ ପରେ ଦାର୍ଜିଲିଂରେ ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟି ୨୦ ଜଣଙ୍କ ଜୀବନ ଯାଇଛି । ଏଥିରେ ୮ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲା ମିରିକରେ ଘଟିଛି ଏହି ଅଘଟଣ ।  ଜିଲ୍ଲା ସହର ଓ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ଭୁଶୁଡ଼ି ପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ହୁସେନ ଖୋଲାରେ ମଧ୍ୟ ଭୂସ୍ଖଳନ ଘଟିଛି । ଯାହା କର୍ସିଓଙ୍ଗ ନିକଟବର୍ତ୍ତୀ ଜାତୀୟ ରାଜପଥ ୧୧୦ ପାର୍ଶ୍ୱରେ ଅବସ୍ଥିତ । ଫଳରେ ସିଲିଗୁଡ଼ି ଓ ଦାର୍ଜିଲିଂ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ କରିଦେଇଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ପରେ ତିସ୍ତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ସିଲିଗୁଡ଼ିରୁ ସିକିମକୁ ଯାଇଥିବା ଏନଏଚ ୧୦ ବନ୍ଦ ହୋଇଯାଇଛି ।

ଉତ୍ତର ବଙ୍ଗରେ ନିରନ୍ତର ପ୍ରବଳ ଦ୍ଭ ବର୍ଷା ଯୋଗୁଁ ଦାର୍ଜିଲିଂ, କାଲିମ୍‌ପୋଙ୍ଗ ଓ କର୍ସିଓଙ୍ଗର ପାହାଡ଼ି ଅଞ୍ଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଭୂସ୍ଖଳନ ଓ ବନ୍ୟା ଯୋଗୁଁ ସିଲିଗୁଡି, ତରାଇ ଓ ଡୁଅର୍ସ ସମତଳ ଅଞ୍ଚଳ ସହିତ ଯୋଗାଯୋଗ ଓ ପରିବହନ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇଛି । ଧର ଗାଁ'ରେ ଭୂସ୍ଖଳନ ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଛି । ଭଗ୍ନାବଶେଷ ତଳୁ ୪ଜଣଙ୍କୁ ଉଦ୍ଧାର କରାଯାଇଛି । ରାସ୍ତା ଅବରୋଧ ଓ ଭୂସ୍ଖଳନ ଯୋଗୁଁ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଆଶ୍ୱାସନା ଦେଇଛନ୍ତି । ହୋଟେଲଗୁଡ଼ିକ ସେମାନଙ୍କଠାରୁ ଅଧିକ ଚାର୍ଜ ନେବା ଉଚିତ୍‌ ନୁହେଁ । ସେମାନଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି ସେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ସାମିଲ ହୋଇଛି । ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ  ମଧ୍ୟ ପ୍ରଭାବିତ ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି ଓ କେନ୍ଦ୍ର ପକ୍ଷରୁ ସାହାଯ୍ୟ ଏବଂ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।