ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ସମାନ ଶିକ୍ଷା ପାଇଁ ତ୍ରିପାକ୍ଷିକ ଏମଓୟୁ : ସମାନ ଶିକ୍ଷା ଜାତୀୟ ଶିକ୍ଷାନୀତିର ମୂଳ ବିଚାର
ନୂଆଦିଲ୍ଲୀ/ଭୁବନେଶ୍ୱର : ଦିବ୍ୟାଙ୍ଗଜନଙ୍କ ପାଇଁ ସମାନ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମାବେଶୀ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଡିପାର୍ଟମେଣ୍ଟ ଅଫ୍ ଏମ୍ପପାୱାରମେଣ୍ଟ୍ ଅଫ୍ ପର୍ସନ ୱିଥ୍ ଡିଜାବିଲିଟି (ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ), ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏନଆଇଓଏସ) ଏବଂ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି), ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ସମାନ ଶିକ୍ଷା ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ବିଚାର । ଆଜିର ବୁଝାମଣାପତ୍ର ଜାତୀୟ ଶିକ୍ଷା ନୀତିର ଏହି ଭାବନାକୁ ଆଗକୁ ବଢ଼ାଇବା ଦିଗରେ ଏକ ଭଲ ପ୍ରୟାସ । ଏହି ବୁଝାମଣାପତ୍ର ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା, ଶିକ୍ଷାରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ଏକ ସମାବେଶୀ ଭାରତ ଗଠନ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ । ଦିବ୍ୟାଙ୍ଗ ପିଲାମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଏବଂ ସେମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସେମାନଙ୍କ ଶିକ୍ଷା ପାଇଁ ପ୍ରଭାବଶାଳୀ ବିକଳ୍ପ ପ୍ରସ୍ତୁତ କରିବା ଆମର ଦାୟିତ୍ୱ । ଉଲ୍ଲେଖନୀୟ ଯେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏହି ବୁଝାମଣାପତ୍ର ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ, ୨୦୧୬ଏବଂ ଜାତୀୟ ଶିକ୍ଷା ନୀତି ସମନ୍ୱୟରେ ଦିବ୍ୟାଙ୍ଗଜନଙ୍କ ପାଇଁ ସୁଲଭ, ଉଚ୍ଚ-ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସହଯୋଗୀ ଢାଞ୍ଚା ସ୍ଥାପନ କରିବ ।