ଦିଲ୍ଲୀ ବିମାନବନ୍ଦରରେ ଗୁରୁତର ଯାନ୍ତ୍ରିକ ତ୍ରୁଟି : ଉଡିପାରିଲାନି ୮୦୦ ବିମାନ
ନୂଆଦିଲ୍ଲୀ : ଦେଶର ସବୁଠୁ ବ୍ୟସ୍ତବହୁଳ ଦିଲ୍ଲୀ ବିମାନ ବନ୍ଦରରେ ଦେଖାଦେଇଛି ଗୁରୁତର ଯାନ୍ତ୍ରିକ ତ୍ରୁଟି । ଫଳରେ ଆକାଶରେ ଉଡିପାରିଲା ନାହିଁ ୮ଶହରୁ ଉଦ୍ଧ୍ୱର୍ ବିମାନ । ଶୁକ୍ରବାର ଦିନ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାୟ ୮୦୦ ବିମାନ ଉଡାଣରେ ବିଳମ୍ବ ହୋଇଛି । ଯାନ୍ତ୍ରିକ ତ୍ରୁଟି ପାଇଁ ଏଟିସିକୁ ମିଳୁନି ଫ୍ଲାଇଟ ସିଡ୍ୟୁଲ । ବିମାନ ଉଡାଣ ବିଳମ୍ବ ପାଇଁ ହଜାର ହଜାର ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡିଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) କହିଛି ଯେ ଦଳଗୁଡ଼ିକ ଏଟିସି ତଥ୍ୟକୁ ସମର୍ଥନ କରୁଥିବା ସ୍ୱୟଂଚାଳିତ ବାର୍ତ୍ତା ସ୍ୱିଚିଂ ସିଷ୍ଟମ୍ (ଏଏମଏସଏସ) ପୁନଃସ୍ଥାପନ କରିବା ପାଇଁ କାମ କରୁଛନ୍ତି ।
ଏହାସହ ମାନୁଆଲି ଫ୍ଲାଇଟ ସିଡ୍ୟୁଲ ପ୍ରସ୍ତୁତ ପାଇଁ ବିମାନ ବନ୍ଦର କର୍ତ୍ତ୍ୟପକ୍ଷ ଉଦ୍ୟମ ଜାରି ରଖିଛନ୍ତି । ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ବିମାନ ଅପଡେଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଏୟାରଲାଇନ୍ସ କହିଛି ଯେ ସେମାନଙ୍କର କର୍ମଚାରୀମାନେ ଯାତ୍ରୀମାନଙ୍କ ଅସୁବିଧା କମ କରିବାରେ ସାହାଯ୍ୟ କରୁଛନ୍ତି । ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ହେଉଛି ଭୂମିରୁ ପରିଚାଳିତ ଏକ ସେବା ଯେଉଁଠାରେ ନିୟନ୍ତ୍ରକମାନେ ଭୂମି ଏବଂ ଆକାଶମାର୍ଗରେ ବିମାନର ଗତିବିଧି ଉପରେ ନଜର ରଖନ୍ତି ଏବଂ ନିର୍ଦ୍ଦେଶ ଦିଅନ୍ତି । ଏହି ସମୟରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତେବେ ଏହି ତ୍ରୁଟି ଆଜି ନୁହେଁ ଗତକାଲି ରାତିରୁ ଆରମ୍ଭ ହୋଇଛି । ଦିଲ୍ଲୀ ବିମାନ ବନ୍ଦରରେ ଦୈନିକ ୧,୫୦୦ ରୁ ଅଧିକ ବିମାନ ଚଳାଚଳ କରେ ବୋଲି ଜଣାପଡିଛି ।