ବେଙ୍ଗଲ ଏସ୍ଆଇଆର ନେଇ ସୁପ୍ରିମ ନିର୍ଦ୍ଦେଶ : ଯୁକ୍ତିଯୁକ୍ତ ଅସଙ୍ଗତି ତାଲିକା ପ୍ରଦର୍ଶନ କର
ପଞ୍ଚାୟତରେ ଡକ୍ୟୁମେଣ୍ଟ ଗ୍ରହଣ କର
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା (ଏସଆଇଆର) ସ୍ୱଚ୍ଛ ହେବା ଉଚିତ ଓ କୌଣସି ଅସୁବିଧା ସୃଷ୍ଟି ନକରିବା ଉଚିତ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ଏହାସହ କୋର୍ଟ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ "ଯୁକ୍ତିଯୁକ୍ତ ଅସଙ୍ଗତି’ ତାଲିକାରେ ଥିବା ଲୋକଙ୍କ ନାମ ଗ୍ରାମ ପଞ୍ଚାୟତ ଭବନ ଓ ବ୍ଲକ କାର୍ଯ୍ୟାଳୟରେ ପ୍ରଦର୍ଶନ କରନ୍ତୁ । ଯେଉଁଠାରେ ଦଲିଲ ଓ ଆପତ୍ତି ମଧ୍ୟ ଦାଖଲ କରାଯିବ। ୨୦୦୨ ଭୋଟର ତାଲିକା ସହିତ ସଂଯୁକ୍ତ ସନ୍ତାନସନ୍ତତିରେ ଯୁକ୍ତିଯୁକ୍ତ ଅସଙ୍ଗତିରେ ପିତାମାତାଙ୍କ ନାମ ମେଳ ନ ହେବା ଓ ଭୋଟର ଏବଂ ତାଙ୍କ ପିତାମାତାଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୧୫ ବର୍ଷରୁ କମ୍ କିମ୍ବା ୫୦ ବର୍ଷରୁ ଅଧିକ ହେବା ଅନ୍ତର୍ଭୁକ୍ତ ।
ରାଜ୍ୟର ୧.୨୫ କୋଟି ଭୋଟର "ଯୁକ୍ତିଯୁକ୍ତ ଅସଙ୍ଗତି’ ତାଲିକାରେ ଅଛନ୍ତି ବୋଲି ଉଲ୍ଲେଖ କରି ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଦୀପଙ୍କର ଦତ୍ତ ଓ ଜୟମାଲ୍ୟ ବାଗଚୀଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ପଞ୍ଚାୟତ ଭବନ କିମ୍ବା ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଡକ୍ୟୁମେଣ୍ଟ ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ କାର୍ଯ୍ୟାଳୟ ସ୍ଥାପନ କରାଯିବା ଉଚିତ । ଏନେଇ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ପର୍ଯ୍ୟାପ୍ତ ମାନବସମ୍ବଳ ଯୋଗାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଏହାସହ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଶ୍ଚିତ କରିବାକୁ ବାଧ୍ୟ ହେବେ ଯେପରି କୌଣସି ଆଇନ ଶୃଙ୍ଖଳା ସମସ୍ୟା ନହୁଏ ଓ ସମସ୍ତ କାର୍ଯ୍ୟକଳାପ ସୁରୁଖୁରୁରେ ଶେଷ ହେବ । ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ ଚାଲିଥିବା ଏସଆଇଆରରେ ସ୍ୱେଚ୍ଛାଚାରିତା ଓ ପ୍ରକ୍ରିୟାଗତ ଅନିୟମିତତା ଅଭିଯୋଗ ଆରୋପିତ ଆବେଦନଗୁଡ଼ିକର ଶୁଣାଣି କରିଥିଲେ, ଯେଉଁଥିରେ "ଯୁକ୍ତିଯୁକ୍ତ ଅସଙ୍ଗତ’ ବର୍ଗ ସହିତ ଜଡିତ ମାମଲା ଅନ୍ତର୍ଭୁକ୍ତ ଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ କିମ୍ବା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ ।
Samir Kumar Rout