ଦେଶ ବିଭାଜନ ପାଇଁ ନେହରୁ ଦାୟୀ

ଦେଶ ବିଭାଜନ ପାଇଁ ନେହରୁ ଦାୟୀ
  • ସ୍ୱାଧୀନତା ସଂଗ୍ରାମର ଶକ୍ତି ଥିଲା ବନ୍ଦେ ମାତରମ: ମୋଦି
  • ଏବେ ଏହି ବିତର୍କ କାହିଁକି: ପ୍ରିୟଙ୍କା

ନୂଆଦିଲ୍ଲୀ : ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଲୋକସଭାରେ ଆଲୋଚନା ବେଳେ କଂଗ୍ରେସ ଏବଂ ଜବାହରଲାଲ ନେହରୁଙ୍କୁ ସିଧା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଥିଲେ ଯେ କଂଗ୍ରେସ ଜାତୀୟ ସଂଗୀତର ଟୁକ୍‌ଡେ ଟୁକ୍‌ଡେ କରିଥିଲା ଏବଂ ଜବାହରଲାଲ ନେହେରୁ ଦାବି କରିଥିଲେ ଯେ ବନ୍ଦେ ମାତରମ୍‌ ମୁସଲମାନମାନଙ୍କୁ ଉତ୍ତେଜିତ କରିପାରେ । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ତାଙ୍କର ପୂର୍ବ ବକ୍ତବ୍ୟକୁ ପ୍ରତିଫଳିତ କରିଥିଲା ଯେ କଂଗ୍ରେସ ୧୯୩୭ ମସିହାରେ ସଂଗୀତରୁ ମୁଖ୍ୟ ଧାଡିଗୁଡ଼ିକୁ ହଟାଇ ଦେଇଥିଲା । ଯାହା ଦେଶ ବିଭାଜନର ବୀଜ ବୁଣିଥିଲା ବୋଲି ସେ କହିଥିଲେ।ଲୋକସଭାରେ "ଲଜ୍ଜା, ଲଜ୍ଜା’ର ସ୍ଲୋଗାନ ଉଠିବା ମାତ୍ରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଶକ୍ତି ଗତ ଶତାବ୍ଦୀରେ ଜାତୀୟ ସଂଗୀତର ବିଶ୍ୱାସଘାତକତା କରିଥିଲେ ।

     ଆମର ପରବର୍ତ୍ତୀ ପିଢ଼ିକୁ ଜଣାଇବା ଦରକାର ଯେ ଏହା କିଏ କରିଥିଲା । ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ମୁସଲିମ୍‌ ଲିଗ୍‌ (ସ୍ୱାଧୀନତା ପୂର୍ବ) ୧୯୩୭ ମସିହାରେ ବନ୍ଦେ ମାତରମ୍‌ ବିରୁଦ୍ଧରେ ଏକ ଅଭିଯାନ ଚଳାଇଥିଲା । କିନ୍ତୁ କଂଗ୍ରେସ ଓ ନେହରୁ ସେମାନଙ୍କୁ ବିରୋଧ କରିବା ପରିବର୍ତ୍ତେ ବନ୍ଦେ ମାତରମ୍‌ର ତଦନ୍ତ ଆରମ୍ଭ କରିଥିଲେ । ଜିନ୍ନାଙ୍କ ବନ୍ଦେ ମାତରମ୍‌ ବିରୋଧ ପରେ ନେହରୁ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ସେ ବନ୍ଦେ ମାତରମ୍‌ର ପୃଷ୍ଠଭୂମି ପଢ଼ିଛନ୍ତି ଏବଂ ଭାବୁଛନ୍ତି ଯେ ଏହା ମୁସଲମାନମାନଙ୍କୁ ଉତ୍ତେଜିତ ଏବଂ ବିରକ୍ତ କରିପାରେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନେ ବନ୍ଦେ ମାତରମ୍‌ର ବ୍ୟବହାର ଯାଞ୍ଚ କରିବେ ଏବଂ ତାହା ମଧ୍ୟ ବଙ୍କିମ ଚନ୍ଦ୍ରଙ୍କ ବଙ୍ଗଳାରେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ପାଇଁ କଂଗ୍ରେସକୁ ମଧ୍ୟ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ ଯେତେବେଳେ ଜାତୀୟ ସଂଗୀତ ୧୦୦ ବର୍ଷ ପୂରଣ କରିଥିଲା ସେତେବେଳେ ସମ୍ବିଧାନର ଶ୍ୱାସରୁଦ୍ଧ କରାଯାଇଥିଲା । 


      ଯେତେବେଳେ "ବନ୍ଦେ ମାତରମ୍‌’ ୫୦ ବର୍ଷ ପୂରଣ କଲା, ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା । ଯେତେବେଳେ "ବନ୍ଦେ ମାତରମ୍‌’ ୧୦୦ ବର୍ଷ ପୂରଣ କଲା, ଭାରତ ଜରୁରୀକାଳୀନ ପରିସ୍ଥିତିର କବଳରେ ଥିଲା... ସେହି ସମୟରେ ଦେଶପ୍ରେମୀମାନଙ୍କୁ ଜେଲରେ ରଖାଯାଇଥିଲା । ଯେତେବେଳେ ଆମର ସ୍ୱାଧୀନତା ଆନ୍ଦୋନକୁ ଶକ୍ତି ଓ ପ୍ରେରଣା ଦେଇଥିବା ସଂଗୀତ ଦୁର୍ଭାଗ୍ୟବଶତଃ, ଭାରତ ଏକ କଳା ଯୁଗର ସାକ୍ଷୀ ଥିଲା.... "ବନ୍ଦେ ମାତରମ୍‌’ର ୧୫୦ ବର୍ଷ ହେଉଛି ସେହି ଗର୍ବ ଏବଂ ଆମ ଅତୀତର ସେହି ମହାନ ଅଂଶକୁ ପୁନରୁଦ୍ଧାର କରିବାର ଏକ ସୁଯୋଗ... ଏହି ସଂଗୀତ ଆମକୁ ୧୯୪୭ରେ ସ୍ୱାଧୀନତା ହାସଲ କରିବାକୁ ପ୍ରେରଣା ଦେଇଥିଲା... ।


     ଆଜି ସେହି ପବିତ୍ର ବନ୍ଦେ ମାତରମକୁ ମନେ ପକାଇବା ଏହି ଗୃହରେ ଆମ ସମସ୍ତଙ୍କ ପାଇଁ ଏକ ମହାନ ସୌଭାଗ୍ୟ । ଏହା ଆମ ପାଇଁ ଗର୍ବର ବିଷୟ ଯେ ଆମେ ବନ୍ଦେ ମାତରମର ୧୫୦ ବର୍ଷ ପୂରଣ କରିବାର ଐତିହାସିକ ଅବସରର ସାକ୍ଷୀ ହେଉଛୁ ବୋଲି ସେ କହିଥିଲେ । ଲୋକସଭାରେ ‘ବନ୍ଦେ ମାତରମ୍‌ ର ୧୫୦ ବର୍ଷ' ଉପରେ ଆଲୋଚନା ସମୟରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରଶ୍ନ କରିଥିଲେ ଯେ ସ୍ୱାଧୀନତାର ୭୯ ବର୍ଷ ପରେ ଗୃହ କାହିଁକି ଜାତୀୟ ସଂଗୀତ ଉପରେ ବିତର୍କ କରୁଛି । "ଆମେ ଏବେ ଏହି ବିତର୍କ କାହିଁକି କରୁଛୁ’ ବୋଲି ସେ ପଚାରିଲେ । ଆମେ ଏବେ ଏହି ଆଲୋଚନା କାହିଁକି କରୁଛୁ ତାହାର ଦୁଇଟି କାରଣ ଅଛି ଗୋଟିଏ ହେଉଛି ବଙ୍ଗଳା ନିର୍ବାଚନ । ଅନ୍ୟ କାରଣ ହେଉଛି ଶାସକ ବିଜେପି ନେତୃତ୍ୱାଧୀନ ସରକାର ଚାହୁଁଛି ଯେ ଲୋକମାନେ ଅତୀତରେ ଫସି ରୁହନ୍ତୁ ଏବଂ ଭବିଷ୍ୟତ ନ ଦେଖନ୍ତୁ ବୋଲି ପ୍ରିୟଙ୍କା ପାଲଟା ଆକ୍ରମଣ କରିଛନ୍ତି ।