ଦୁଇ ଦଫାରେ ହେବ ଜନଗଣନା


ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ : ଜନଗଣନା-୨୦୨୭ ପାଇଁ କେନ୍ଦ୍ର ସରକାର ତାରିଖ ଘୋଷଣା କରିଛନ୍ତି  । ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୬ ଅକ୍ଟୋବର ପହିଲାରୁ ଆରମ୍ଭ ହେବ  । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ୨୦୨୭ ମାର୍ଚ୍ଚ ପହିଲାରୁ କରାଯିବ  । ଏନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।
ପ୍ରଥମ ପର୍ଯ୍ୟାୟରେ ଘର, ଆୟ, ସମ୍ପତ୍ତି ଓ ଅନ୍ୟାନ୍ୟ ସୁବିଧା ସଂକ୍ରାନ୍ତରେ ସର୍ଭେ କରାଯିବ  । ପ୍ରଥମ ଥର ପାଇଁ ଡିଜିଟାଲ ଆଧାରରେ ସର୍ଭେ ହେଉଥିବାରୁ ଘରେ ହିଁ ଲୋକମାନେ ଏହାର ଉତ୍ତର ରଖିପାରିବେ  । ସେହିପରି ଦ୍ୱିତୀୟ ଦଫାରେ ସାମାଜିକ ଓ ଆର୍ଥିକ ସ୍ଥିତି, ସାଂସ୍କୃତିକ, ଭୌଗୋଳିକ, ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯିବ  । ସେହିପରି ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ବି ହେବ  । ଗତ ଅପ୍ରେଲରେ ଏନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ  । ୨୦୨୭ ଜନଗଣନା ପରେ ମହିଳା ସଂରକ୍ଷଣ ଆଇନ୍ କାର୍ଯ୍ୟକାରୀ ସହ ସୀମା ପୁନଃନିର୍ଦ୍ଧାରଣ କରାଯିବ  । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ  । ଜନସଂଖ୍ୟା ଆଧାରରେ ଶେଷ ଥର ପାଇଁ ୧୯୭୬ରେ ଲୋକସଭା ଓ ବିଧାନସଭାର ସୀମା ଓ ସଂଖ୍ୟା ଧାର୍ଯ୍ୟ ହୋଇଥିଲା  । ସୂଚନାଯୋଗ୍ୟଯେ, ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା  । ପ୍ରତି ଦଶ ବର୍ଷରେ ଜନଗଣନା ହେବାର ଥିବାରୁ ୨୦୨୧ରେ ଜନଗଣନା ହେବାର ଥିଲା  । କିନ୍ତୁ କରୋନା ପାଇଁ ଏହା ସମ୍ଭବପର ହୋଇନଥିଲା  । ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇସାରିଛି  । ତେବେ ୨୦୨୭ରେ ଜନଗଣନା ତଥ୍ୟ ଜାରି କରାଯିବ  ।