ନୟାପଲ୍ଲୀ ୩୮ ନମ୍ବର କର୍ପୋରେଟରଙ୍କ ପାର୍ଟି ଅଫିସକୁ ବୋମା ମାଡ

ଭୁବନେଶ୍ୱର,୧୭ା୫ : ମୁଣ୍ଡ ଉପରେ ନିର୍ବାଚନ ଭାର ରହିଥିବା କମିଶନରେଟ୍ ପୁଲିସ ଏବେ ନିଦ୍ରାରେ । ରାଜଧାନୀରେ ନିର୍ବାଚନୀ ପାଇଁ କଡାକଡି ଚେକିଂ, ବ୍ଲକିଂ ଓ ପାଟ୍ରୋଲିଂ କରାଯାଉଥିବାର ଡେଙ୍ଗୁରା ପିଟୁଥିବା ବାସ୍ତବରେ କେତେ ସତ୍ୟ ? ତାହା ପ୍ରତେକ ଦିନ ରାଜଧାନୀ ବୁଲିଲେ ଜଣାପଡୁଛି । ରାତି ୧୧ଟା ପରେ ରାଜଧାନୀରେ କିଛି ଛକ ଛାଡିଦେଲେ ବାକି ଥାନାର ପୁଲିସ ସବୁ ନିଦ୍ରାରେ । ଯାହା ଫଳରେ ଖୁଲମଖୁଲା ଅପରାଧୀ, ମଦୁଆ, ଅସମାଜିକ ଯୁବକ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି ମଦ ଦୋକାନ । ଯାହାଦ୍ୱାରା ମଦ ପି ଅପରାଧୀ ମାନେ ରାଜଧାନୀରେ ବୁଲିବା ସହ ସେମାନଙ୍କ ହାତରେ ରହୁଛି ଖଣ୍ଡା, ଭୁଜାଲି, ବୋମା ଓ ବନ୍ଧୁକ । ଯାହାକୁ ଦେଖିଲେ ଆକ୍ରମଣ କଲେ ଓ ଟଙ୍କା ନେଇ କେଉଁଠି ଆକ୍ରମଣ ତ କେଉଠି କଲେଣି ବୋମାମାଡ । ଯାହା ପୁଲିସ ଉପରକୁ ଇସାରା କରୁଛି । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି, ଭରତପୁର ଥାନା ଅଧିନ ଆଳୁଗୋଦି ଠାରେ ରହିଥିବା ଏକ ବାର ସାମ୍ନାରେ କିଛି ଦୁର୍ବୃତ୍ତ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିବା ବେଳେ ଖଣ୍ଡଗିରି ଛକରେ ରହିଥିବା ୭ ମାଇଲ୍ସ ବାର ଜିଏକି ବାର ନାଁରେ ତଳେ ଖୁଲମଖୁଲା ବିଳମ୍ବିତ ରାତି ପର୍ଯ୍ୟନ୍ତ କରାଯାଉଛି ମଦ କାରବାର । ସେଠାରେ ଜମୁଛି ମଦୁଆ ଓ ଅପରାଧୀଙ୍କ ଭିଡ଼ । ସାଧାରଣ ଲୋକେ ଏକା ଯିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି । ସେହିଭଳି ନୟାପଲ୍ଲୀ ଥାନା ଅଧିନ ୩୮ ନମ୍ବର କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀଙ୍କ ନୟାପଲ୍ଲୀ ଗଡ଼ସାହିରେ ରହିଥିବା ବିଜେଡି କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ କାର୍ଯ୍ୟାଳୟ ଉପରକୁ ଅଚାନକ ହୋଇଛି ବୋମାମାଡ । ସିସିଟିଭି ଫୁଟେଜରୁ ଯାହା ଜଣାପଡ଼ିଛି, ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଅଫିସ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଏହି ବୋମାମାଡରେ ଏକ କାର ଓ ୨ଟି ବାଇକ ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡ଼ିଛି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟଯେ, ଗୁରୁବାର ବିଳମ୍ବିତ ରାତିରେ ନୟାପଲ୍ଲୀ ଗଡ଼ସାହିରେ ପଦ୍ମଜା ପ୍ରିୟଦର୍ଶିନୀଙ୍କ ବିଜେଡି କାର୍ଯ୍ୟାଳୟରେ ୨୦ରୁ ୨୫ ଜଣ କର୍ମୀ ଅଫିସରେ ବସି ବୈଠକ ଚଳାଇଥିଲେ । ଭୋଜି ଭାତ ମଧ୍ୟ ଚାଲିଥିଲା । ଏହି ସମୟରେ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା । ବିସ୍ପୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସମସ୍ତ ଅଞ୍ଚଳ ଥରି ଉଠିଥିଲା । ଏତିକି ବେଳେ ବାହାରେ ରହିଥିବା ଏକ କାର ଓ ୨ଟି ବାଇକ ବିସ୍ପୋରଣରେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଘଟଣା ଘଟାଇ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଞ୍ଚଳକୁ ଯାଇ ସିସିଟିଭି ଯାଞ୍ଚ ବେଳେ ଯାଣିବାକୁ ପାଇଛି ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି ।