ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ସ୍ତ୍ରୀର ଆତ୍ମହତ୍ୟା ; ସ୍ୱାମୀ ଗିରଫ
ଭୁବନେଶ୍ୱର, ୧୫ା୪ : ୩ ବର୍ଷ ହେବ କୋର୍ଟରେ ପ୍ରେମ ବିବାହ କରିଥିବା ବେଳେ ପୁଣି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବାକୁ ନେଇ ଘରେ ଆତ୍ମହତ୍ୟା କଲେ ମହିଳା । ହସ୍ପିଟାଲକୁ ନେଇ ମହିଳାଙ୍କ ମୃତଦେହ ଛାଡି ଫେରାର ହୋଇଗଲା ସ୍ୱାମୀ । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ୧୭୦ରେ ମାମଲା ରୁଜୁକରି ତଦନ୍ତ ଚଳାଇ ସୋମବାର ଦିନ ଫେରାର ଅଭିଯୁକ୍ତ ସ୍ୱାମୀକୁ ରଣପୁରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲା ରଣପୁରର ଆଶିଷ କୁମାର ନାୟକ । ପରେ ଦଫା ୪୯୮(ଏ),୩୦୬ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କ ଝିଅ ଗଙ୍ଗା ପାଲ ଏବଂ ଅଭିଯୁକ୍ତ ଆଶିଷ ୩ ବର୍ଷ ପୂର୍ବରୁ ପରସ୍ପରକୁ ଭଲ ପାଇ ଗତ ତା ୧୧.୦୩.୨୦୨୨ ରିଖରେ କୋର୍ଟରେ ବିବାହ କରିଥିଲେ । ବିବାହ ପରେ ଅଭିଯୁକ୍ତ ଆଶିଷ ପୁଣି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଥିବାରୁ ସ୍ତ୍ରୀ ଗଙ୍ଗା ବିରୋଧ କରିବାରୁ ସ୍ୱାମୀ ଆଶିଷ ତାଙ୍କର ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଥିଲେ ଓ ତାଙ୍କୁ ଶାରୀରିକ, ମାନସିକ ସ୍ଥରରେ ନିର୍ଯ୍ୟାତନା ଦେବା ସହ ତାଙ୍କୁ ଆତ୍ମହତ୍ୟା କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ । ଏନେଇ ଗତ ୧୩ ତାରିଖ ସ୍ତ୍ରୀ ଗଙ୍ଗା ଘରକୁ ଆସି ପରିବାର ଲୋକଙ୍କ ଅନୁପସ୍ଥିତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । କିଛି ସମୟ ପରେ ଅଭିଯୁକ୍ତ ଆଶିଷ ଘରକୁ ଫେରି ଗଙ୍ଗାଙ୍କୁ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଆଶିଷ ସ୍ତ୍ରୀର ମୃତଦେହ ଛାଡି ସେଠାରୁ ଫେରାର ହୋଇଯାଇଥିଲା । ଏହି ଖବର ପାଇ ମୈତ୍ରୀବିହାର ଥାନା ପୁଲିସ ପହଞ୍ଚି ମାମଲାର ତଦନ୍ତ କରି ମୃତଦେହକୁ ଜବତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରାଇଥିଲେ ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରିଥିଲେ । ଏନେଇ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଆଜି ଫେରାର ଅଭିଯୁକ୍ତକୁ ଗିରଫ କରାଯାଇଛି ।