୩ ଲୁଟେରା ଗିରଫ ; ୭ଟି ସୁନା ଚେନ୍ ଜବତ ; ରହିଛି ୬ ମାମଲା

୩ ଲୁଟେରା ଗିରଫ ; ୭ଟି ସୁନା ଚେନ୍ ଜବତ ; ରହିଛି ୬ ମାମଲା


 ଭୁବନେଶ୍ୱର, ୧୫ା୬ : ରାଜଧାନୀରେ ସକାଳୁ ଓ ସନ୍ଧ୍ୟାରେ ରାସ୍ତାରେ ଯାତାୟତ କରୁଥିବା ଓ ହାଟକୁ ଆସୁଥିବା ଧନୀ ମହିଳାଙ୍କ ଟାର୍ଗେଟ କରି ପଛପଟରୁ ସୁନା ଚେନ୍ ଝାମ୍ପି ନେଉଥିବା ୩ ଜଣିଆ ଲୁଟେରା ଗ୍ୟଙ୍ଗ୍ ଏବେ ବଡ଼ଗଡ଼ ପୁଲିସ ଜାଲରେ । ୩ ଲୁଟେରାଙ୍କ ଠାରୁ ୭ଟି ସୁନା ଚେନ୍, ଏକ ବାଇକ ଓ ଏକ ମୋବାଇଲ ଜବତ କରାଯାଇଛି । ଗିରଫ ୩ ଲୁଟେରା ହେଲେ, ଯୋଡା ବଡ଼ବିଲର ପବି ପ୍ରସାଦ ସାହୁ, ସୁଧାକର ମହାପାତ୍ର ଓ ପାହାଳ ଅଞ୍ଚଳର ସୁରେଶ କୁମାର ଭୋଇ । ଏମାନଙ୍କ ନାମରେ ବଡ଼ଗଡ଼ ଥାନାରେ ୨ଟି, ପାହାଳ ଥାନାରେ ଗୋଟେ, କ୍ୟାପିଟାଲ ଥାନାରେ ଗୋଟେ, ଭରତପୁର ଓ ଖାରବେଳନଗର ଥାନାରେ ଗୋଟାଏ ଲେଖା ମାମଲା ରହିଅଛି ।
ସୂଚନାଯୋଗ୍ୟଯେ, ଗତ ୭ ତାରିଖ ସନ୍ଧ୍ୟା ସମୟରେ ଜଣେ ଶାନ୍ତିପ୍ରୀୟା ଦାସ ନାମକ ମହିଳା ବନଗଡ଼ ମେଘେଶ୍ୱର କଲୋନୀ ଲେନ-୮ ଦେଇ ଯାଉଥିବା ବେଳେ ତାଙ୍କ ପଛରୁ ୩ ଜଣ ଏକ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଏନେଇ ମହିଳା ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ୩୯୩ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଶୁକ୍ରବାର ରାତିରେ ୩ ଜଣ ଲୁଟେରାଙ୍କୁ ସାଲିଆସାହି ଅଞ୍ଚଳରୁ ଗିରଫ କରାଯାଇଥିଲା । ପରେ ସେମାନଙ୍କ ଥାନାରେ ଅଟକ ରଖି ପଚରା ଉଚରା ବେଳେ ଜଣାପଡ଼ିଥିଲା ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୬ଟି ମାମଲା ରହିଅଛି । ଏମାନେ ପ୍ରାୟତ ଧନୀ ଘରର ମହିଳାଙ୍କୁ ଟାର୍ଗେଟ କରି ପଛରୁ ଆସି ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଥାନ୍ତି । ପରେ ସେହି ସୁନା ଚେନକୁ ନେଇ କଟକରେ ବିକ୍ରି କରିଦେଇଥାନ୍ତି । ଏଭଳି ଏମାନେ ଗତ ୧ ମାସ ଭିତରେ ଭୁବନେଶ୍ୱରର ୫ଟି ଥାନା ଅଞ୍ଚଳରୁ ୭ଟି ସୁନା ଚେନ୍ ଲୁଟ୍ କରିଥିବା ବେଳେ ସେମାନଙ୍କ ଠାରୁ ୭ଟି ସୁନା ଚେନ୍ ଜବତ କରିବାରେ ସଫଳ ହୋଇଛି ବଡ଼ଗଡ଼ ଥାନା ପୁଲିସ ।