ଦୁଇଟି ରାସ୍ତା ଶୋଚନୀୟ, ମରାମତି ଦାବି

 ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଟିଆଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଟିଆଗୁଡା ହାଇସ୍କୁଲ ସମ୍ମୁଖରେ ଥିବା ବେହେରାପିଟା ରାସ୍ତା ଏବଂ ସାଗୁନଭାଡି ଗ୍ରାମର ଡମଗୋଡ ରାସ୍ତା ଶୋଚନୀୟ ହୋଇପଡିଛି । ଯାହାଫଳରେ ଲୋକେମାନେ ଯାତାୟତ ପାଇଁ ନାନାଦି ଅବସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାଟି କୋଭିଡ୍ ୧୯ ପୂର୍ବରୁ ମାଟି କାମ ହୋଇକି ମଧ୍ୟ ଏ ପର୍ଯ୍ୟନ୍ତ ମୁରମ କି ମେଟାଲିଙ୍ଗ କାମ ହୋଇପାରିନି । ବେହେରାପିଟା ରାସ୍ତାରେ  ୭୦ଜଣ ଚାଷୀ ଏବଂ ଡମଗୋଡ ରାସ୍ତାରେ ୪୫ଜଣ ଚାଷୀ ଯାତାୟତ କରି ନିଜ ଚାଷ ଜମି ପର୍ଯ୍ୟନ୍ତ ଖତ, ସାର, ଧାନ ବିହନ, ଚାଷ ଉପକରଣ ନେବାକୁ ପଡିଥାଏ । ବର୍ଷା ଋତୁରେ ଏହି ଦୁଇ ରାସ୍ତା କାଦୁଅ ପଚପଚ ହୋଇଯାଏ । ଯାହାଫଳରେ ଚାଷ ଉପକରଣ ଯଥା ଟ୍ରାକ୍ଟର, ପାୱାରଟିଲର, ହଳନଙ୍ଗଳ, ଖତ ବୋଝାଇ ମୋଟର ସାଇକଲ, ସାଇକଲ ଯିବା ତ ଦୂରର କଥା  ଏହି ରାସ୍ତାରେ ଖାଲିପାଦରେ ଚାଲିକି ଯିବାବି ବହୁତ କଷ୍ଟ ହୋଇଥାଏ । ବେହେରାପିଟା ରାସ୍ତା କଡରେ ବର୍ତ୍ତମାନ ୪ ପରିବାର ବସବାସ କରୁଛନ୍ତି ।  ସେମାନେ ମଧ୍ୟ ଏହି ବେହେପିଟା ରାସ୍ତା ଭରସାରେ ତାଙ୍କ ଘରକୁ ଯାତାୟତ କରନ୍ତି । ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାସ୍ତାର ଏହି ପରିସ୍ଥିତିକୁ ନେଇ ପଲ୍ଲୀସଭା, ଗ୍ରାମସଭା ସମେତ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମରେ ବାରମ୍ବାର ଲିଖିତ ଦାବିପତ୍ର ଦେଲା ପରେ ମଧ୍ୟ ଏହାକୁ ଅଣଦେଖା କରୁଛନ୍ତି ପ୍ରଶାସନିକ ଅଧିକାରୀ । ସେଥିପାଇଁ ଏହି ଅଞ୍ଚଳର ଚାଷୀ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଚାଷୀମାନେ କହୁଛନ୍ତି ସରକାର ଯଦି ଚାଷୀମାନଙ୍କ ପାଇଁ ସବୁକିଛି ସୁବିଧା କରୁଛନ୍ତି, ତାହେଲେ ଏହି ଦୁଇ ରାସ୍ତାର ମେଟାଲ ମୁରମ କାମ ହେଉନାହିଁ କାହିଁକି ? ଏହି ପ୍ରଶ୍ନର ଜବାବ ଦେବ କିଏ ?  ପ୍ରଶାସନ ଯଦି ଏହି ଅବ୍ୟବସ୍ଥାର ସୁବ୍ୟବସ୍ଥା ନ କରନ୍ତି, ତା’ହେଲେ  ଆଗାମୀ ଦିନରେ ଚାଷୀମାନେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।