ମନ୍ଦିରରୁ ଚୋରି, ଜଣେ ଅଟକ
କାକଟପୁର : କାକଟପୁର ଥାନା ଅଧୀନ ବଲରା ସ୍ଥିତ ମାଧବାନନ୍ଦ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୁତ୍ତମାନେ ଠାକୁରଙ୍କ ଭିତର କବାଟ ତାଲା କାଟି ଠାକୁରଙ୍କ ବେକରେ ଥିବା ଏକ ରୁପାହାର ସହ ରୁପା ଆଖିକୁ ତାଡ଼ି ନେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସକାଳୁ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ସମୟରେ ଭିତର କବାଟ ତାଲା ଭଙ୍ଗା ହୋଇଥିବା ସହ ଠାକୁରଙ୍କ ବେକରେ ହାର ଏବଂ ଆଖି ନଥିବା ଦେଖି ଗ୍ରାମବାସୀ ଏବଂ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଚୋରି ଗହଣାର ଆନୁମାନିକ ମୂଲ୍ୟ ପଚାଶ ହଜାର ହେବ ବୋଲି ଗ୍ରାମବାସୀମାନେ କହିଛନ୍ତି । ଖବରପାଇ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ପୁଲିସ ଟିମ୍, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରିଥିଲେ । ସନ୍ଧାନୀ କୁକୁର ଭଙ୍ଗାଯାଇଥିବା ତାଲାକୁ ଶୁଙ୍ଘିବା ପରେ ମନ୍ଦିର ପାଖରୁ କାକଟପୁର ବିଦୁ୍ୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସନ୍ଧାନ କରି କାର୍ଯ୍ୟାଳୟ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶିବା ପରେ ପୁଲିସର ସନେ୍ଦହ ହୋଇଥିଲା । ଏନେଇ କାକଟପୁର ପୁଲିସ୍ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସୂଚନା ଥାଉକି ଗତ ୨/୩ ମାସ ହେବ କାକଟପୁରରେ ଲୁଟେରାମାନେ ସକ୍ରିୟ ହୋଇଛନ୍ତି । ବିଭିନ୍ନ ମଠ ଓ ମନ୍ଦିରକୁ ଟାର୍ଗେଟ କରି ସୁନା ଓ ରୁପା ଗହଣା ଚୋରି କରି ସ୍ଥାନୀୟ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି । ଏନେଇ ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ଗୌରୀଶଙ୍କର ସେଠୀ ପ୍ରକାଶ କରିଛନ୍ତି ।