ଦୁର୍ଗନ୍ଧରେ ଅତିଷ୍ଠ ଛାତ୍ରଛାତ୍ରୀ

ବେତନଟୀ : ବେତନଟୀ ସ୍ଥିତ ଚଣ୍ଡୀଛକରୁ ବଙ୍ଗଳାଛକ ପର୍ଯ୍ୟନ୍ତ ରହିଥିବା ଡ୍ରେନରୁ ବାହାରୁଥିବା ପଚାସଢ଼ା ଦୁର୍ଗନ୍ଧ ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରକାଶ ଯେ, ବେତନଟୀ ଚଣ୍ଡୀଛକରୁ ଏକ ଡ୍ରେନ୍‌ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ବହୁ ପୁରାତନ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଦେଇ ବଙ୍ଗଳାଛକ ପର୍ଯ୍ୟନ୍ତ ରହିଛି । ହେଲେ ଅତି ଦୁଃଖର କଥା ବହୁ ଦିନରୁ ଏକ ଜୈନିକ ମିଠା ଦୋକାନୀ ପ୍ରତିଦିନ ସେହି ଡ୍ରେନ୍‌ ଦେଇ ମିଠା ତିଆରି ଛେନା ପାଣି ଛାଡିବା ଏବଂ ଗୋଟିଏ ବ୍ରଏଲାର କୁକୁଡା ଦୋକାନରୁ ନିର୍ଗତ ଦୂଷିତ ପାଣି ଯାଇ ଡ୍ରେନ୍‌ରେ ଜମା ହେଉଛି । ଯାହାଫଳରେ ଡ୍ରେନ୍‌ରେ ଜମା ହୋଇ ରହିଥିବା ଦୂଷିତ ପାଣି ଓ ବସ୍ତୁ ପଚିସଢ଼ି ସେଥିରେ ପୋକ ବାହାରିବା ସହିତ ଡ୍ରେନ୍‌ରୁ ଅତି କଦର୍ଯ୍ୟ ଦୁର୍ଗନ୍ଧ ନିର୍ଗତ ହେଉଛି । ଯାହାଦ୍ୱାରା ଡ୍ରେନ୍‌  ଆଖପାଖରେ ଥିବା ଶତାଧିକ ଦୋକାନୀ, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଆସୁଥିବା ଶହଶହ ଶିକ୍ଷକଶିକ୍ଷୟିତ୍ରୀ, ଏମପିସି ହାଇସ୍କୁଲର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ, ସେହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଥିବା ହଜାର ହଜାର ଲୋକ ସେହି ଦୁର୍ଗନ୍ଧରେ ଅତିଷ୍ଠ ହୋଇଗଲଣି । ଏପରିକି ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ସମ୍ଭବପର ହେଉନାହିଁ । ଅନ୍ୟପକ୍ଷରେ ଦୁର୍ଗନ୍ଧ ଯୋଗୁଁ ସ୍କୁଲରେ ବସି ପାଠ ପଢିବା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ହେଉଛି । ଏହି ଦୁର୍ଗନ୍ଧ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଯଦି କୌଣସି ରୋଗରେ ପଡନ୍ତି ତା’ହେଲେ କିଏ ଦାୟୀ ରହିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦୁର୍ଗନ୍ଧ ବହୁ ଦିନରୁ ବାହାରୁଥିବା ହେତୁ ଛେନା ପାଣି ଡ୍ରେନ୍‌କୁ ଛାଡୁଥିବା ମିଠା ଦୋକାନ ବିରୋଧରେ ଏମ୍‌ପିସି ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ପକ୍ଷରୁ ବେତନଟୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ତାର କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ । ସେହିପରି ଏ ନେଇ ବେତନଟୀ ପଞ୍ଚାୟତକୁ ଅଭିଯୋଗ ପରେ ପଞ୍ଚାୟତ ପକ୍ଷରୁ ସେହି ମିଠା ଦୋକାନୀକୁ ନୋଟିସ କରାଯାଇଥିଲା । ଏବଂ ନୋଟିସ ନ ମାନିଲେ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସୂଚନା ରହିଛି । ଏଣୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ ଯଦି ଯଥା ଶୀଘ୍ର ନ କରାଯାଏ ତେବେ ସାଧାରଣ ଜନତା ଓ ଛାତ୍ର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ସେହି ଜୈନିକ ମିଠା ଦୋକାନ ଏବଂ କୁକୁଡା ଦୋକାନ ବିରୋଧରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ସୂଚାଇ ଦେଇଛନ୍ତି  ।