ଚୋରା ମୋରମ ବୋଝେଇ ଗାଡ଼ି ପାଇଁ ରାସ୍ତା ଭାଙ୍ଗି ଛିନ୍ଛତର

ଚୋରା ମୋରମ ବୋଝେଇ ଗାଡ଼ି ପାଇଁ ରାସ୍ତା ଭାଙ୍ଗି ଛିନ୍ଛତର

ଯଖପୁରା: ରାଜ୍ୟ ହୁଅନ୍ତୁ ଅଥବା କେନ୍ଦ୍ର ସରକାର ସୁଗମ ପରିବହନ ପାଇଁ ରାସ୍ତା ଘାଟ ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଉଭୟ ସରକାର ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ରାସ୍ତା ଘାଟକୁ ଉନ୍ନତ ମାନର କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଅତଏବ ରାସ୍ତା ଘାଟର ଉନ୍ନତି କରଣ କରି ଗମନାଗମନକୁ ସୁଗମ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ସେହି ଦୃଷ୍ଟିରୁ ଦାନଗଦୀ ବ୍ଲକ୍ ପଛରେ ପଡ଼ିନାହିଁ । ସେ ସରକାରୀ ଭାବରେ ହେଉ ଅଥବା ଜିଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବ୍ଲକ୍ର ଅନେକ ରାସ୍ତା ଘାଟ ଉନ୍ନତି କରାଯାଉଛି । ସେହି କ୍ରମରେ ୨୦୧୯/୨୦ ବର୍ଷରେ ଦାନଗଦୀ ବ୍ଲକ୍ ଅଧୀନସ୍ଥ ଯଖପୁରା ପଞ୍ଚାୟତର ଆଲିଆ ଦାଣ୍ଡିର ରାସ୍ତା ଉନ୍ନତି କାରଣ ପାଇଁ ଜିଲାଖଣିଜ ପାଣ୍ଠିରୁ ୩୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ଚୋରା ମୋରମ ବୋଝେଇ ଗାଡ଼ି ପାଇଁ  ରାସ୍ତା ଭାଙ୍ଗି ରୁଜି ଛିନ ଛତର ହୋଇଯାଇଛି । ଅଭିଯୋଗ ମତେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର ପତିଆରା ଦେଖାଇ ଏହି ରାସ୍ତା ଦେଇ ଟ୍ରିପ ଟ୍ରିପ ମୋରମ ବୋହି ନେଉଥିବାରୁ ରାସ୍ତାଟି ଭାଙ୍ଗି ଚୁର ଚୁର ହୋଇଯାଇଛି । ଦୁଇ ବର୍ଷ ପୂର୍ବରୁ ସଂପୃକ୍ତ ରାସ୍ତାଟି ନିର୍ମାଣ ହୋଇଥିଲା । ରାସ୍ତାର ଗୁରୁତ୍ୱ ଥିବାରୁ ଜିଲା ଖଣିଜ ପାଣ୍ଠିରୁ ଟଙ୍କା ବ୍ୟୟ କରି ରାସ୍ତାଟି ନିର୍ମାଣ କରାଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କର ଅନେକ ସୁବିଧା ହେଉଥିଲା । ଏହି ରାସ୍ତା ଉପରେ ପୁରା ପଞ୍ଚାୟତ ନିର୍ଭର କରୁଥିଲା । ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ଚାଷୀ  ଉପକୃତ ହେଉଥିଲେ । ୪-୫ ହଜାର ପଞ୍ଚାୟତ ବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିଲେ । ଯେହେତୁ ରାସ୍ତାଟି ଯଖପୁରା ଗ୍ରାମ ସହିତ ବାଲୁଙ୍ଗାବନ୍ଦୀ ଆଉ ଅଙ୍କୁରାପାଳ ଗ୍ରାମକୁ ସଂଯୋଗ ଥିଲା ତେଣୁ ଏହାର ଗୁରୁତ୍ୱ ଅଧିକ ଥିଲା । ତାପରେ ଏହି ରାସ୍ତା ଉପରେ ଚାଷୀ କୂଳ ବେଶୀ ନିର୍ଭର କରନ୍ତି । ବର୍ଷା ଦିନେ ଚାଷୀ ଏହି ରାସ୍ତା ଯୋଗୁଁ ନିଜ ନିଜର କ୍ଷେତକୁ ହଳ ଲଙ୍ଗଳ ଆଉ ଟ୍ରାକ୍ଟର ନେଇ ନିଜ କ୍ଷେତକୁ ଯାଇଥାନ୍ତି । ଏହି କାରଣରୁ ରାସ୍ତାଟି ସାଧାରଣ ଲୋକ ପାଇଁ ଗୁରୁତ୍ୱ ବହନ କରେ । ହେଲେ ରାସ୍ତାଟିକୁ ଦେଖିଲେ କେହି ବି କହି ପାରିବେ ନାହିଁ କି ମାତ୍ର ଦୁଇ ବର୍ଷର ଏହି ରାସ୍ତା । ପୁରା ରାସ୍ତାଟି ଭାଙ୍ଗି ଯାଇଛି । ସରକାର ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ନିର୍ମାଣ କରିଥିବା ରାସ୍ତାଟି କେବଳ କେତେ ଜଣ ମୋରମ ମାଫିଆ ପାଇଁ ନଷ୍ଟ ହୋଇଯାଇଛି ।ନିଜର ସ୍ୱାର୍ଥ ପୁରାଣ ପାଇଁ ସମୂହ ରାସ୍ତାକୁ ଭାଙ୍ଗି ଦିଆଯାଇଛି ବୋଲି ଯଖପୁରା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ମୋରମ ଲୁଟି ନିଜର ପକେଟ ଗରମ କରୁଥିବା ଲୁଟେରା ଗୋଷ୍ଟଷ୍ଠି ଆମ ରାସ୍ତାକୁ ଭଙ୍ଗିଦେଲେ ବୋଲି କ୍ଷଭୋ ପ୍ରକାଶ କରିଛନ୍ତି ଗ୍ରାମବାସୀ । ହେଲେସ୍ଥାନୀୟ ପ୍ରଶାସନ ଚୁପ୍ ବସିଛି । ରାସ୍ତା ନଷ୍ଟ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏହାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।