ଦୁର୍ଘଟଣା ଜନିତ ବୀମା ଦେୟ ପ୍ରଦାନକୁ ଗୁରୁତ୍ୱ 

 ଭୁବନେଶ୍ୱର  : ବୀମା ସଂସ୍କାରକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧିମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖାରବେଳ ଭବନର ୫ମ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରଚଳିତ ପ୍ରକ୍ରିୟାଗୁଡ଼ିକର ସଂସ୍କାର, ନିୟାମକ ନମନୀୟତା ବୃଦ୍ଧି ଏବଂ ଦାବିର ସୁଗମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶ୍ରୀମତୀ ପାଢୀ ବୀମା ସମାଧାନ ପାଇଁ ଏକ ଦକ୍ଷ, ନାଗରିକ-ଅନୁକୂଳ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ସମାନ କାର୍ଯ୍ୟକାରିତା ପାଇଁ ଏକ କଷ୍ଟୋମାଇଜ୍ଡ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବିକଶିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ବୈଠକରେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ସିଏମ୍ଡି ଦୀପ୍ତେଶ କୁମାର ପଟ୍ଟନାୟକ, ପରିବହନ କମିଶନର ଅମିତାଭ ଠାକୁର, ଏମ୍ଡି କ୍ରୁଟ ଡକ୍ଟର ଏନ୍ ଥିରୁମାଲା ନାୟକ, ବୀମା କମ୍ପାନୀଗୁଡ଼ିକର ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।