ନଜଗିଲେ ଉଜୁଡ଼ିଯାଏ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନକୁ ନଜଗିଲେ ଜୀବନ କେମିତି ଉଜୁଡ଼ିଯାଏ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଧାନ ଫସଲ ହେଉ କିମ୍ବା ଯେକୌଣସି ଫସଲ ହେଉ ଯଦି ଫସଲ ଅମଳ ସମୟରେ ଅମଳ ନକରିଲେ ତାକୁ ପଶୁ କିମ୍ବା ପକ୍ଷୀ ଖାଇଯିବେ । ନଚେତ୍ ଫସଲ ନଷ୍ଟ ହୋଇଯିବ । ଏହି କଥାଟିର ଆଲୋଚନା ସମୟରେ ଯେତେ ସବୁ ପ୍ରସଙ୍ଗ ଆସେ ସେସବୁ କହିବାର ମୂଳ ଉଦେ୍ଦଶ୍ୟ ହେଲା ପ୍ରତ୍ୟେକ ବିଷୟରେ ମଣିଷ ଜୀବନ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରେ । ଠିକ୍ ସମୟରେ ଠିକ୍ କାମ ନକରିଲେ ସମୟ ଗଡ଼ିଯିବା ପରେ ଆଉ ସେହି କାମକୁ କରି ହୁଏ ନାହିଁ । ପାଠ ପଢ଼ିବା ସମୟରେ ପାଠ ନପଢ଼ି ପରୀକ୍ଷା ସମୟରେ ପାଠ ପଢିଲେ କିଛି ଫଳ ମିଳେ ନାହିଁ । ବିହନ ବୁଣିବା ସମୟରେ ନବୁଣିଲେ ପରେ ବିହନରେ ଗଛ ଉଠେ ନାହିଁ । 
ଜୀବନ ଭଳି ଚାଷର ବିଭିନ୍ନ ଅବସ୍ଥା ଅଛି । ଚାଷକୁ ଏଠାରେ ଆମେ ଉଦାହରଣ ଭାବେ ନେଇପାରିବ । କେଉଁ ସମୟରେ ବିହନ ବୁଣାଯିବ, ପାଣି ମଡ଼ାଯିବ, କେଉଁ ସମୟରେ ଖତସାର ଦିଆଯିବ, ଗଛର ଯତ୍ନ ନିଆଯିବ ଆଦି ସବୁ ନିର୍ଦ୍ଧାରିତ ହୋଇ ରହିଛି । ସେହି ସମୟରେ ସେସବୁ ନକରିଲେ ଆଉ ଫସଲ ଅମଳ ହୁଏ ନାହିଁ; ବରଂ ଚାଷ ନଷ୍ଟ ହେଇଯାଏ । 
ଠିକ୍ ସେହିପରି ମନୁଷ୍ୟର ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ ବିଭିନ୍ନ ପ୍ରକାରର କାମ କରିବାର ପ୍ରକୃଷ୍ଟ ସମୟ ଆସେ । ଶୈଶବରେ ଜ୍ଞାନ ଅର୍ଜନ, ଯୌବନରେ ପରିଶ୍ରମ କରି ଧନ ଅର୍ଜନ, ବାର୍ଦ୍ଧକ୍ୟରେ ଅର୍ଜିତ ଧନରେ ନିଜେ ବଞ୍ଚିବା ସହିତ ସମାଜ ଠାରୁ ପାଇଥିବା ସହଯୋଗର ପ୍ରତିଦାନ ଆଦି କରିବାକୁ ପଡ଼େ । ଏହି ସବୁ କାର୍ଯ୍ୟ କରିବା କ୍ଷେତ୍ରରେ ଆଳସ୍ୟ ପରାୟଣ ହୋଇ ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ କାର୍ଯ୍ୟ ନକରିଲେ ହୁଏତ ଅନୁତାପ କରିବାକୁ ପଡ଼େ କିମ୍ବା ଅଳ୍ପ ପରିଶ୍ରମରେ ହେଉଥିବା କାମ ଅତ୍ୟନ୍ତ କଷ୍ଟରେ ହୁଏ । ଏହାକୁ ଏକ ଆପ୍ତ ବାକ୍ୟ ଭାବରେ ମନେ ରଖି ଜୀବନରେ ଠିକ୍ ସମୟରେ ଠିକ୍ କାର୍ଯ୍ୟ ବୁଦ୍ଧିମାନ ବ୍ୟକ୍ତିମାନେ ହିଁ କରିଥାନ୍ତି ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।