ଦେବୀ ଉପାସନା ଓ ଦଶହରା

ଦେବୀ ଉପାସନା ଓ ଦଶହରା

କିଶୋର କୁମାର ଜେନା : ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ "ଦେବୀ ପୂଜା' ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ବାସନ୍ତୀ ପୂଜା କୁହାଯାଏ । ଯେଉଁ ମା'ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତି ଉତଫୁଲ୍ଲ ହୋଇ ଜନ ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀ ପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ମହାନ ଶାରଦୀୟ ପର୍ବ ଭାରତର ପୁର ପଲ୍ଲୀରେ ଦଶହରା ପର୍ବ ରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମ ଦିବସ । ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ "ଦଶହରା' ବା "ଦଶବିଧ' ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ "ଗଙ୍ଗା ଦଶହରା' ନାମରେ ପରିଚିତ । ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହୁଏ । ଏହା ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ "ଦଶହରା' କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି ।


ଏହି ପବିତ୍ର ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ବିଜୟ ଦଶମୀ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତା ମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବ ମାନଙ୍କର ଯୁଦ୍ଧ କନ୍ୟା ମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲେ । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁ ପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା "ଦୁଃଖହା ଦଶମୀ' ନାମରେ ଖ୍ୟାତି ଲାଭ କରିଅଛି । ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଅଛି । ଏହି ପର୍ବର ମହତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି । କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପ୍ରାକକାଳରେ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲ ମାନଙ୍କସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ । ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ଼ଗ ପୂଜା କରାଯାଏ । ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି । ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ଠାରୁ ଆରମ୍ଭ ହୋଇଥିôବା ସୋମନାଥ ବ୍ରତର ଉଦଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ । ପରମ-ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ । ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର "କ୍ଷର' ବା ଶେଷ ନଥିବାରୁ ସେ "ଅକ୍ଷରୀ' । 
ମୋ: ୭୩୨୫୯୦୪୯୨୭