ପରିବାରର ବାର୍ଷିକ ଆୟ ୫୮ ହଜାର ଟଙ୍କା ବଢ଼ିଛି
- ଆସିବ ସ୍ୱତନ୍ତ୍ର ନିଯୁକ୍ତି ନୀତି
- ମୁଣ୍ଡପିଛା ଋଣଭାର ୨୬୯୭୮ ଟଙ୍କା
- ମିଶନ ପାୱାରରେ ସବୁ ଗାଁକୁ ବିଜୁଳି, ପାଣି ଓ ରାସ୍ତା
- ନୂଆପଡ଼ା ପାଇଁ ନବୀନଙ୍କୁ ସମୟ ଅଛି, ହେଲେ ବିଧାନସଭା ପାଇଁ ନାହିଁ
ଭୁବନେଶ୍ୱର : ବିଜେଡ଼ି ସରକାର ଅମଳରେ ଚାଷୀ ପରିବାରର ମାସିକ ଆୟ ଥିଲା ୫୧୧୨ ଟଙ୍କା ଥିଲା । ହେଲେ ଆମ ସରକାରରେ ଚାଷୀଙ୍କ ଆୟ ବାର୍ଷିକ ଆଉ ୫୮ ହଜାର ଟଙ୍କା ବଢ଼ିଛି । ଧାନ ଇନପୁଟ ସହାୟତା ବାବଦରେ ବର୍ଷକୁ ହାରାହାରି ୩୮ ହଜାର ଟଙ୍କା, ସୁଭଦ୍ରା ବାବଦରେ ୧୦ ହଜାର ଟଙ୍କା ଓ ପିଏମ-ସିଏମ କିଷାନ ଯୋଜନାରେ ଆଉ ୧୦ ହଜାର ଟଙ୍କା ମିଳୁଛି । ରାଜ୍ୟର ନିଯୁକ୍ତିରେ ସ୍ୱଚ୍ଛତା ପାଇଁ ଏକ ନୀତି ଆସିବ । ରଙ୍ଗ ମରା ବିକାଶ ନୁହେଁ, ପ୍ରକୃତ ବିକାଶ ଲୋକେ ଦେଖୁଛନ୍ତି । ଦୁଇ ବର୍ଷ ମଧ୍ୟରେ ‘ମିଶନ ପାୱାର’ରେ ସବୁ ଗାଁକୁ ବିଜୁଳି, ପାଣି ଓ ରାସ୍ତା ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ନୂଆପଡ଼ା ପାଇଁ ସମୟ ଅଛି, ହେଲେ ବିଧାନସଭା ପାଇଁ ନାହିଁ । ଏଠି ଆଲୋଚନାରେ ଅଂଶଗ୍ରହଣ ନକରି କେବଳ ଏକ୍ସରେ ପୋଷ୍ଟ କରିଦେଲେ ବିକାଶ ହେବନାହିଁ ବୋଲି ମୋହନ କହିଛନ୍ତି ।
ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଲେଯେ, ଚଳିତ ଆର୍ଥିକ ବର୍ଷ ପାଇଁ ମୂଳ ବଜେଟ୍ରେ ୨ ଲକ୍ଷ ୯୦ ହଜାର କୋଟିର ପ୍ରାବଧାନ ରହିଥିଲା । ଏବେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ କେବଳ ୧୩ ହଜାର ୭୧୬ କୋଟି ଟଙ୍କା ଖର୍ଚ୍ଚ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହେବ । ଗତ ବଜେଟରେ ପୁଞ୍ଜି ଖର୍ଚ୍ଚ ବାବଦକୁ ୬୫ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟୟବରାଦ ହୋଇଥିଲା । କଂଗ୍ରେସ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସାକ୍ଷାତକାରରେ କହିଲେଯେ, ମୋ ରାଜ୍ୟର ଆର୍ଥିକ ସ୍ଥିତି ଏତେ ଉତ୍କଟଯେ, ମୁଁ ଚାହିଁଲେ ବି ମାସକୁ ୫ ଶହ କୋଟି ଟଙ୍କା ପୁଞ୍ଜି ପାଇଁ ଖର୍ଚ୍ଚ କରିପାରୁନାହିଁ । ବର୍ଷକୁ ପ୍ରାୟ ୫ ହଜାର କୋଟି ଟଙ୍କା ପୁଞ୍ଜି ବାବଦକୁ ଖର୍ଚ୍ଚ କରିପାରୁଛନ୍ତି । କିନ୍ତୁ, ସେ ବର୍ଷକରେ ଭିତ୍ତିଭୂମି ପାଇଁ ଯେତେ ଖର୍ଚ୍ଚ କରୁଛନ୍ତି, ଆମ ସରକାର ମାସରେ ସେତିକି ଖର୍ଚ୍ଚ କରୁଛନ୍ତି । ଆଉ ହିମାଳଚ ପ୍ରଦେଶ ପାଇଖାନା ସିଟ ପିଛା ଟାକ୍ସ ଲଗାଇବାକୁ ଯୋଜନା କରିଥିବାବେଳେ ଆଉ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ଘରୁ ଅଳିଆ ଆବର୍ଜନା ନିଷ୍କାସନ କରିବା ପାଇଁ ଅଳିଆ ଟାକ୍ସ ଲଗେଇଛନ୍ତି । ତେଣୁ, ବୁଦ୍ଧିମାନ ଓଡିଶାର ଜନ ସାଧାରଣ ଆପଣଙ୍କ ଏହି ପ୍ରକାର ଅର୍ଥନୀତି ପରିଚାଳନା ଚାହୁଁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆମ ସରକାରର ଅର୍ଥନୈତିକ ପରିଚାଳନା ଦେଶର ସବୁ ରାଜ୍ୟ ଅପେକ୍ଷା ସର୍ବୋତ୍ତମ । ଓଡ଼ିଶାର ମହାଲେଖାକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ବଳକା ୧.୩% ଥିବାବେଳେ, ଋଣ ଭାର ଓ ଜିଏସଡ଼ିପି ଅନୁପାତ ୧୧.୯% ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୨% ରହିଛି । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣଭାର ୨୬୯୭୮ ଟଙ୍କା ରହିଅଛି।
ଅତିରିକ୍ତ ଖର୍ଚ୍ଚ ଦାବିରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୪୩୨୯ କୋଟି ଟଙ୍କା, ଗଣଶିକ୍ଷା ବିଭାଗ ପାଇଁ ୨ ହଜାର କୋଟି ଟଙ୍କା, ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୧୫୯ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି ଟଙ୍କା, ମହିଳା ତଥା ମିଶନ ଶକ୍ତି ପାଇଁ ୧୫୫୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । କେନ୍ଦ୍ର ସରକାରଙ୍କ ଦୂରଦର୍ଶୀ ନୀତି ଯୋଗୁଁ ଆଜି ସାରା ବିଶ୍ୱରେ ଏକ ମାନ୍ଦା ସ୍ଥିତି ଚାଲିଥିବା ବେଳେ, ଭାରତ ଏକମାତ୍ର ଦେଶ ଯେଉଁଠି ବିକାଶର ହାର ବିଶ୍ୱର ସବୁଠାରୁ ଅଧିକ । ଗତ ତ୍ରୈମାସିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଯାହା ପୃଥିବୀର ସବୁଠାରୁ ଅଧିକ । ଟ୍ରମ୍ଫ ଟାରିଫର ଅନିଶ୍ଚିତତା ସତ୍ତେ୍ୱ ଏହି ଅଭିବୃଦ୍ଧି ନିଶ୍ଚିତ ଭାବେ ଉଲ୍ଲେଖନୀୟ । ଜିଏସଟି ୨.୦ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ କମିଥିବାରୁ ଅକ୍ଟୋବର ମାସର ମୁଦ୍ରାସ୍ଫିତି ହ୍ରାସ ପାଇଛି । ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବାକୁ ରିଭଲଭିଂ ପାଣ୍ଠି ବାବଦରେ ୨ ହଜାର କୋଟି ଟଙ୍କା ସହ ଅତିରିକ୍ତ ୩ ହଜାର କୋଟି ଟଙ୍କା ଏବଂ ପିଡ଼ିଏସ ରିହାତି ବାବଦରେ ଅତିରିକ୍ତ ୧୩୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା କୃଷକ ମାନଙ୍କଠାରୁ ପ୍ରାୟ ୧୦ ନିୟୁତ ଟନ୍ ଧାନ କିଣାଯାଇପାରିବ ଓ ସେମାନଙ୍କୁ ସଠିକ ସମୟରେ ସେମାନଙ୍କ ପ୍ରାପ୍ୟ ଦିଆଯାଇପାରିବ । ମୁଁ ଏହି ଗୃହ ମାଧ୍ୟମରେ ରାଜ୍ୟର ସମସ୍ତ ଅନ୍ନଦାତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବାକୁ ଚାହେଁଯେ, ଜଣେବି ଯୋଗ୍ୟ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହେବେ ନାହିଁ । ଏଥିପାଇଁ ଯଦି କିଛି ପ୍ରକ୍ରିୟାରେ ସଂଶୋଧନ ଆବଶ୍ୟକ, ତେବେ ବି ଆମ ସରକାର ତାହାକୁ ବିଚାର କରିବେ ବୋଲି ସେ କହିଛନ୍ତି ।
ବିଜେଡ଼ି ଅମଳରେ ଚାଷୀଙ୍କ ଏମିତି ବିକାଶ ହେଲାଯେ, ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା ସହିତ ସାରା ଦେଶରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଥିଲା । କିନ୍ତୁ, ଆମ ସରକାର ଅମଳରେ ତାହା ହେବ ନାହିଁ । ସମୃଦ୍ଧ ଓଡିଶା, ସୁଭଦ୍ରା ଯୋଜନା ପରି କାର୍ଯ୍ୟକ୍ରମ ଯୋଗୁଁ ପ୍ରତି ପରିବାର ଆୟ ବାର୍ଷିକ ପ୍ରାୟ ଅଧିକ ୫୮ ହଜାର ଟଙ୍କା ହୋଇପାରିଛି । ସୁଭଦ୍ରାରେ ଅଧିକ ହିତାଧିକାରୀ ଯୋଡି ହେବା ଫଳରେ ଅଧିକ ୨୯୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ପାଇଁ ୨ ଶହ କୋଟି ଏବଂ ମମତା ଯୋଜନା ପାଇଁ ଆଉ ୧୪୨ କୋଟି ବ୍ୟୟବରାଦ ହୋଇଛି । ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ସାରା ଦେଶରେ ଏକ ମଡେଲ ହେବାକୁ ଯାଉଛି । ଏସବୁ ସ୍କୁଲକୁ ୫ଟି ଢାଞ୍ଚାରେ କେବଳ ରଙ୍ଗମାରି ବିଶ୍ୱସ୍ତରୀୟ ସ୍କୁଲ ଘୋଷଣା କରାଯିବ ନାହିଁ, ପ୍ରକୃତରେ ବିଶ୍ୱସ୍ତରୀୟ ସ୍କୁଲ ନିର୍ମାଣ କରାଯିବ । ମେଡିକାଲ କଲେଜରେ ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆମ ସରକାର ଆସିବା ପରେ ୩୭ ହଜାରରୁ ଅଧିକ ସରକାରୀ ପଦପଦବୀ ପୂରଣ କରିବା ସହିତ ଆସନ୍ତା ୪ ମାସରେ ପ୍ରାୟ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରିରହିଛି । ଗତ ସରକାର ଅମଳରେ ବିଭିନ୍ନ ପରୀକ୍ଷା ପାଇଁ ଅନାମଧେୟ ଠିକା ସଂସ୍ଥାଙ୍କୁ ସରକାରୀ ଚାକିରୀ ପରି ଗୁରୁତ୍ୱପୂର୍ଣ୍ଣ କାମକୁ ଠିକାରେ ଦିଆଯାଇଥିଲା । ଯାହା ଫଳରେ ପରୀକ୍ଷା କାହାର ଗ୍ୟାରେଜ୍ରେ ହେଉଥିଲା ତ କାହା ଛାତ ଉପରେ । କିନ୍ତୁ ଆମ ସରକାର ସରକାରୀ ସ୍ୱୀକୃତ ବିଶ୍ୱସନୀୟ ସଂସ୍ଥା ଦ୍ୱାରା ନିଯୁକ୍ତି ପରୀକ୍ଷା କରିବେ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏଯାବତ ୭୧୯ ପ୍ରସ୍ତାବ ମଧ୍ୟରୁ ୪୧୬ ଶିଳ୍ପ ପ୍ରସ୍ତାବ ମଞ୍ଜୁର ହୋଇଛି । ଏହାଦ୍ୱାରା ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୨.୮୩ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ବର୍ତ୍ତମାନ ଓଡିଶାରେ ୭୫ ହଜାର କୋଟିରୁ ଅଧିକ ରେଳ ପ୍ରକଳ୍ପର କାର୍ଯ୍ୟ ଜାରିରହିଛି ଏବଂ ୧୨ ହଜାର କୋଟିରୁ ଅଧିକ ଜାତୀୟ ରାଜପଥର କାର୍ଯ୍ୟ ଜାରିରହିଛି । ଯେଉଁମାନେ ୨୪ ବର୍ଷର ଶାସନର ଦ୍ୱାହି ଦେଇ ଓଡିଶା ବିକାଶ କଥା କହୁଛନ୍ତି ସେମାନଙ୍କୁ ମୁଁ ଗୋଟିଏ କଥା ପଚାରବି, ଏଇଟା କି ପ୍ରକାର ବିକାଶ ଯେଉଁଠି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ, ରୋଗୀ ଓ ପ୍ରସୂତି ଖଟିଆରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୁହା ହେଉଛନ୍ତି । ଆଜି ବି ଗାଁରେ ବିଜୁଳି ନହିଁ, ଲୋକେ ଡିବି ଆଲୁଅରେ ରହୁଛନ୍ତି । ପିଇବା ପାଇଁ ଲୋକେ ଘରେ ସ୍ୱଚ୍ଛ ଜଳ ପାଉନାହାନ୍ତି । ଯଦି ଆପଣଙ୍କର ବିକାଶର ଏଇଟା ସଂଜ୍ଞା, ତେବେ ଏପରି ବିକାଶ ଆମର ଦରକାର ନାହିଁ । ତେଣୁ, ଆଗାମୀ ଦୁଇ ବର୍ଷରେ ଓଡିଶାର ସମସ୍ତ ଗାଁକୁ ବିଜୁଳି, ପିଇବା ପାଣି ଏବଂ ରାସ୍ତା ସଂଯୋଗ କରିବା ପାଇଁ ସରକାର ‘ମିଶନ ପାୱାର’ କରିଛନ୍ତି । ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ବଜେଟର ପ୍ରାୟ ୪୪% ମୋଟ ବ୍ୟୟ ହୋଇଛି । ଏବର୍ଷ ରାଜ୍ୟ ସରକାର ସମ୍ବଳ ସଂଗ୍ରହ ନେଇ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ କରିପାରିବେ । ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ୮.୩୩% ଅଭିବୃଦ୍ଧି ହାସଲ ହୋଇଅଛି । ଏହା ବଜେଟ୍ ଆକଳନର ୫୪% ଅଟେ । ଏହି ସମୟ ମଧ୍ୟରେ ଆମକୁ ୫୦୪୬୨ କୋଟିର କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ସହ କେନ୍ଦ୍ରୀୟ ସହାୟତା ମିଳିଛି । ଯାହା ଗତବର୍ଷ ଠାରୁ ପ୍ରାୟ ୬ ହଜାର କୋଟି ଟଙ୍କା (୧୩%) ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।