ଦେଶର ଗୃହଶତ୍ରୁ ଓ ସେମାନଙ୍କ ନିବାରଣ
ଡ. ମନୋଜ କୁମାର ମହାନ୍ତି : ରାଜତନ୍ତ୍ରର ଅସ୍ଥିରତା ସହ ନିଜନିଜ ମଧ୍ୟରେ ଷଡଯନ୍ତ୍ରରେ ଲିପ୍ତଥିବା ଭାରତୀୟମାନଙ୍କୁ ଦିନେ ଘୋରୀ, ଖିଲିଜୀ, ମୋଗଲ ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ କରିବ ସେ କଥା କେହି କେବେ ଭାବି ନଥିଲେ । ଯେଉଁ ମହମ୍ମଦ ଘୋରୀ ପୃଥ୍ୱିରାଜ ଚୌହାନଙ୍କଠାରୁ ୧୧ଥର ହାରିହାରି ନିଜ ଜୀବନ ବଞ୍ଚାଇବା ଭୟରେ ଯୁଦ୍ଧକ୍ଷେତ୍ର ଛାଡି ପଳେଇ ଯାଇଥିଲା, ସେଇ ଘୋରୀ ଦିନେ ବେଇମାନ ଜୟଚନ୍ଦ୍ର ସାହାଯ୍ୟରେ ପୃଥ୍ୱିରାଜକୁ ଛଳରେ ହରାଇବାକୁ ସକ୍ଷମ ହୋଇଥିଲା । ଇବ୍ରାହିମ ଲୋଧିକୁ ଦିଲ୍ଲୀ ରାଜଗାଦିରୁ ହଟେଇବା ପାଇଁ ନିଜ ସମ୍ପର୍କୀୟ ଦୌଲତ ଖାଁ ଲୋଧୀ କାବୁଲ ଶାସକ ବାବରକୁ ଭାରତକୁ ନିମନ୍ତ୍ରଣ ଏକ ବୃହତ୍ ଷଡଯନ୍ତ୍ରର ପରିଭାଷା । ବଙ୍ଗର ଯୁବ ନବାବ ଶିରାଜ୍-ଉଦ୍ଦୌଲାର ସମ୍ପର୍କୀୟ ବିଶ୍ୱାସଘାତକ ମିର୍-ଜାଫର୍ ପାଇଁ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀଦ୍ୱାରା ଭାରତର ଜନସାଧାରଣଙ୍କୁ ଶହେନବେ ବର୍ଷର ନିର୍ଯାତନା ସହିବାକୁ ପଡ଼ିଥିଲା ।
ଭାରତରୁ ଇଂରେଜମାନଙ୍କଠାରୁ ଝାନସୀ ସାମ୍ରାଜ୍ୟକୁ ମୁକ୍ତରଖିବା ପାଇଁ ଝାନସୀର ବୀରାଙ୍ଗନା ଲକ୍ଷ୍ମୀବାଇ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ପୁଣି ସଦାଶିବ ନାରାୟଣ ଦ୍ୱାରା ଝାନସୀ ଦୁର୍ଗର ଦୁର୍ବଳ ପାର୍ଶ୍ୱ ବିଷୟରେ ବ୍ରିଟିଶମାନଙ୍କୁ ଜଣାଇ ଝାନସୀକୁ ବ୍ରିଟିଶ୍ ଶାସନରେ ଅନ୍ତର୍ଭୁକ୍ତ କରାଇବାରେ ରାସ୍ତା ଉନ୍ମୁକ୍ତ କରିଥିଲା । କିଛି ଭାରତୀୟ ବିଶ୍ୱାସଘାତକ ଓ ବେଇମାନ୍ ଇଂରେଜମାନଙ୍କ ସହ ମିଶି ଦେଶର ଏକତାକୁ ନଷ୍ଟ କରିଛନ୍ତି ସେକଥା ନକହିବା ଭଲ । ସବୁ ଘାତପ୍ରତିଘାତ ସତ୍ତେ୍ୱ୍ୱ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିବା ପୂର୍ବରୁ ଦୁଇ ପ୍ରମୁଖ ନେତା, ଦୁଇ ପ୍ରମୁଖ ଧାର୍ମିକ ଗୋଷ୍ଠୀଙ୍କ ଜିଦ୍ଖୋର୍ ଓ ଖଳ ପ୍ରକୃତିର ମନୋବୃତ୍ତିର ଫଳାଫଳର ରୂପରେଖ ନେଲା ଭାରତ ଓ ପାକିସ୍ଥାନ । ଭାରତୀୟ ମୁସଲମାନଙ୍କ ଭୋଟଦ୍ୱାରା ହିଁ ପାକିସ୍ଥାନ ଦେଶ ଗଠନ ହେଲା । ଭାରତକୁ ପୁଣିଥରେ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା କରାଗଲା । ରାଜତନ୍ତ୍ରକୁ ସବୁଦିନ ପାଇଁ ଭାରତରୁ ଲୋପକରି ଗଣତନ୍ତ୍ରର ସ୍ଥାପନପୂର୍ବକ ଜନସାଧାରଣଙ୍କୁ ସେମାନଙ୍କର ସମସ୍ତ ନାଯ୍ୟଦାବି ପ୍ରାପ୍ତି ପାଇଁ ସରକାର ହେଲେ ବଦ୍ଧପରିକର । ପ୍ରତ୍ୟେକ ଜୀବନ ସରକାର ପାଇଁ ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ ତାହା ସର୍ବସମ୍ମୁଖରେ ପ୍ରତିଶ୍ରୁତିବଦ୍ଧ ହେଲା ।
ଭାରତୀୟ ଗଣତନ୍ତ୍ରରେ ସ୍ୱାଧୀନତା ପରେ ଗାନ୍ଧୀଙ୍କର ଜାତୀୟ କଂଗ୍ରେସର ଭାରତରେ ଶାସନ ଓ ପରେପରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ସୃଷ୍ଟି । ରାଜନୀତିରେ ଶବ୍ଦର ଆକ୍ରମଣ, ଆକ୍ଷେପ, ପ୍ରତିବାଦ ସହ ସମୀକ୍ଷା ଓ ସମାଲୋଚନା ଏକ ଚିରାଚରିତ ଢଙ୍ଗ । ସବୁ ଜନତା ଦେଖୁଛନ୍ତି, ଗଣମାଧ୍ୟମ ଦ୍ୱାରା ତାହା ପ୍ରତିଫଳିତ ହେଉଛି । ଜନତାଙ୍କ ହାତରେ ସରକାର ତିଆରି କରିବାର ବହୁତ ବଡଭୂମିକା ସଦାସର୍ବଦା ରହିଆସିଛି । ରାଜନୀତିରେ ଉଷ୍ମତା ସମୟେ ସମୟେ ଦେଖିବାକୁ ମିଳେ । ବିରୋଧାଭାଷ ଗଣତନ୍ତ୍ରର ଏକ ମଜବୁତ ଅସ୍ତ୍ର । ନଚେତ୍ ଶାସକ ଦଳ ମନମୁଖୀ ଦୁର୍ନୀତିଖୋର ପାଲଟିଯିବାକୁ ବେଶୀ ସମୟ ଲାଗିବ ନାହିଁ । ଦେଶର ଆଇନକାନୁନ୍, ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୀତି, ବିଦେଶ ନୀତି, ପ୍ରତିରକ୍ଷା ସହ ଭାରତର ସଂପ୍ରଭୁତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷାକରିବା ହେଉଛି ଦେଶର ଶାସନକର୍ତ୍ତାଙ୍କ ମୁଖ୍ୟ ଦାୟିତ୍ୱ। ସବୁର ଊର୍ଦ୍ଧ୍ୱରେ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା । କାରଣ ଦେଶର ସୁରକ୍ଷା, ବିକାଶ ଓ ପ୍ରଗତି ସହ ସମ୍ପୂର୍ଣ୍ଣ ଜଡିତ । ଅସୁରକ୍ଷିତ ଦେଶରେ କେବେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ନୁହେଁ । ବିଶ୍ୱର ପ୍ରତ୍ୟେକ ପ୍ରଗତିଶୀଳ ଦେଶ ପଛରେ ତାର ଆଭ୍ୟନ୍ତରୀଣ ସୁରକ୍ଷାର ବୃହତ୍ ଭୂମିକା ଥାଏ । ଶିଳ୍ପ, ଶିକ୍ଷା ବୈଷୟିକ କ୍ଷେତ୍ରରେ ସୁରକ୍ଷିତ ନ ରହିଲେ ପୁଞ୍ଜିନିବେଶ କରିବାକୁ କେହି ଆଗ୍ରହ ପ୍ରକାଶ କରିବେ ନାହିଁ ।
ଇଉରୋପୀୟ, ପଶ୍ଚିମ ଦେଶ ଓ ଆରବ ଇସଲାମିକ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଏ । କିନ୍ତୁ ଭାରତ କ୍ଷେତ୍ରରେ ତାହାର ସମ୍ପୂର୍ଣ୍ଣ ବିପରୀତ । ଭାରତକୁ ନିଜର ବାସସ୍ଥଳୀ ଭାବେ ଅବୈଧ ଅନୁପ୍ରବେଶକାରୀଭାବେ ପାକିସ୍ଥାନୀ, ବଙ୍ଗଳାଦେଶୀ ଓ ରୋହିଂଗ୍ୟାମାନେ ପ୍ରାୟ ରାଜ୍ୟରେ ଆଡ୍ଡା ଜମାଇବାରେ ବ୍ୟସ୍ତ । ଖାଲି ସେତିକି ନୁହେଁ ସେମାନଙ୍କର ଆଧାର କାର୍ଡ, ଭୋଟର ପରିଚୟ,ରାସନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ପାସପୋର୍ଟ, ପାନକାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ସବୁ ଭାରତର ବନିସାରିଛି । ସେମାନେ ଭାରତର ନାଗରିକ ଭାବେ ନିଜକୁ ସ୍ୱୀକାର କରିସାରିଲେଣି । କାରଣ ଦେଶର ନାଗରିକ ପାଖରେ ହିଁ ଭୋଟ ଦେବାର ଅଧିକାର ରହିଛି । ଭୋଟର ଲିଷ୍ଟ ସହ ଭୋଟ ପରିଚୟ ଯଦି ଜଣେ ବ୍ୟକ୍ତି ପାଖରେ ଅଛି ସ୍ୱାଭାବିକ ଭାବେ ସେ ଏ ଦେଶର ନାଗରିକ । ଦେଶର ନାଗରିକ ହିଁ ସମ୍ବିଧାନର ସମସ୍ତ ଅଧିକାର ପାଇଁ ଲଢେଇ କରିବା ସହ ଭିନ୍ନଭିନ୍ନ ସମୟରେ ଧାରଣା ପ୍ରତିବାଦ ଓ ପ୍ରତିହିଂସା ଭଳି କାର୍ଯ୍ୟରେ ଉପସ୍ଥିତି ସ୍ୱାଭାବିକ । ଅଧିକାଂଶ ସମୟରେ ପ୍ରତିବାଦ ଓ ପ୍ରତିହିଂସା ଅତି ଉଗ୍ରରୂପ ଧାରଣ କରି ସାଧାରଣ ଧନଜୀବନକୁ ବିପର୍ଯ୍ୟସ୍ତ କରୁଛି । ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ଯେ ଏତେ ଅନୁପ୍ରବେଶକାରୀ ଆସିଲେ କିପରି ? ଯଦି ବି ଆସିଲେ ସେମାନଙ୍କର ଭାରତୀୟ ପରିଚୟପତ୍ର ପ୍ରସ୍ତୁତି ହେଲା କିପରି? ଭାରତୀୟ ଜନତାଙ୍କ ପରି ବାହ୍ୟ ଅନୁପ୍ରବେଶକାରୀଙ୍କ ଭୋଟ ପରିଚୟ ପ୍ରସ୍ତୁତି ସହ ଭୋଟର ତାଲିକାରେ ନାମ ପଞ୍ଜିକୃତ ପଛରେ ରାଜନୈତିକ ଦଳ ଯେ ପୂର୍ଣ୍ଣମାତ୍ରାରେ ସାମିଲ୍ ଏକଥା ଅସ୍ୱୀକାର କରିହେବ ନାହିଁ । ଭାରତୀୟ ଆଧାର କାର୍ଡ ପ୍ରସ୍ତୁତି ପାଇଁ ଆବଶ୍ୟକ ପ୍ରମାଣପତ୍ର ଭାରତର ଭିନ୍ନଭିନ୍ନ ରାଜ୍ୟରୁ କିପରି ସଂଗ୍ରହ କରାଗଲା ? ବାଂଲାଦେଶ,ପାକିସ୍ଥାନ,ନେପାଳ ଓ ମିଆଁମାରରୁ ଆସୁଥିବା ଲୋକମାନେ ଭାରତୀୟ ପ୍ରମାଣପତ୍ର ହାତେଇଲେ କିପରି ? ଏସବୁ ଶାସନ ଦାୟିତ୍ୱରେ ଥିବା ଦଳ ତା’ ଭୋଟ ପାଇଁ ଯାହାକୁ ନାହିଁ ତାହାକୁ ଭୋଟର ପରିଚୟ ପତ୍ର, ରାସନ କାର୍ଡ ଇତ୍ୟାଦି ଯୋଗାଇ ଦେବାର ପ୍ରସ୍ତୁତି କରିଚାଲିଛି ।
ଭାରତର ଗୁଜୁରାଟ ରାଜ୍ୟରେ ‘ଚଣ୍ଡଲ୍ ତଲବ୍’ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ମିନି ବଙ୍ଗଳାଦେଶ ଭାବେ ଏକ ବସତି ସ୍ଥାପନ କରିବାର ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ । ସ୍ଥାୟୀ ବାସିନ୍ଦାଭାବେ ବଂଶ ବିସ୍ତାର କରିବାକୁ ସୁଯୋଗ ଭାଜପା ସରକାର ଦେଲେ କିପରି ? ସବୁ ଆବଶ୍ୟକୀୟ ପରିଚୟପତ୍ର ପ୍ରସ୍ତୁତି ସହ ନିର୍ବାଚିତ ପ୍ରତିନିଧି ବାଛିବାପରେ ଏବେ ପ୍ରଶାସନର ନିଦ ଭାଙ୍ଗୁଛି । ଭାରତକୁ ନିଜର ବାସସ୍ଥାନ ,କର୍ମଭୂମି ଓ ଅର୍ଥ ରୋଜଗାର କରୁଥିବା ଲୋକମାନଙ୍କୁ ଦେଶରୁ ବାହାର କରିବା ଏତେ ସହଜ କଥା ନୁହେଁ । ଏହି ଚେର ଏତେ ଭିତରକୁ ଯାଇଛି ଯେ ତାର ମୂଳୋତ୍ପାଟନ ସମ୍ଭବ ନୁହେଁ । ଦୀର୍ଘଦିନ ଧରି ଭାରତକୁ ଧର୍ମଶାଳା ଭାବି ରହିବା ପରେ କେହି କଣ ଏ ମାଟିର ମୋହ ତୁଟେଇ ଏତେ ସହଜରେ ଯାଇପାରିବ । ଭାରତକୁ କବଜା କରିବା ପାଇଁ କେଉଁ ପ୍ରାଚୀନ କାଳରୁ ପ୍ରୟାସ ଓ ଷଡ଼ଯନ୍ତ୍ର ଚାଲିଛି ତାର ସମସ୍ତ ଐତିହାସିକ ତଥ୍ୟ ଇତିହାସରେ ଲିପିବଦ୍ଧ ।ପାର୍ସୀ,ଗ୍ରୀକ୍ ଆଫଗାନ, ମଙ୍ଗୋଲୀୟ, ମୋଗଲ, ପର୍ତ୍ତୁଗୀଜ୍, ଫ୍ରେଞ୍ଚ୍ ଓ ପରିଶେଷରେ ବ୍ରିଟିଶସାମ୍ରାଜ୍ୟ ସେମାନଙ୍କର ଆଧିପତ୍ୟ ବିସ୍ତାର କରିଛନ୍ତି । ସମସ୍ତଙ୍କର ସେଇ ଗୋଟେ ଲକ୍ଷ୍ୟ ଲୁଣ୍ଠନ, ସାମ୍ରାଜ୍ୟ ପ୍ରତିଷ୍ଠା ଓ ବିସ୍ତାର, ବାଣିଜ୍ୟ ଆଧିପତ୍ୟ ସହ ଭାରତୀୟ ସଭ୍ୟତାସଂସ୍କୃତିକୁ ନଷ୍ଟଭ୍ରଷ୍ଟ କରି ଭାରତୀୟଙ୍କୁ ଦମନ କରିବା, ଗୁଲାମ ଖଟେଇବା ତଥା ଭାରତର ଅର୍ଥନୀତିକୁ ଧ୍ୱଂସବିଧ୍ୱଂସ୍ତ କରି ଅରାଜକତା ଓ ଆତଙ୍କ ସୃଷ୍ଟି କରିବା ।
ସବୁ ଅରାଜକତା, ଆକ୍ରମଣ ଧମର୍ଘଟ ଅସହିଷ୍ଣୁତା ପଛରେ ଭାରତରେ ଲୁଚି ରହିଥିବା ଗୃହଶତ୍ରୁମାନେ ବୃହତ ଭୂମିକା ଗ୍ରହଣ କରିଆସିଛନ୍ତି ଏବଂ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଆମ ଆଖି ଆଗରେ । ଧର୍ମନିରପେକ୍ଷ ରାଷ୍ଟର ଦ୍ୱାହି ଦେଇ ଭାରତରେ କଣ ସବୁ ଘଟେଇ ଚାଲିଛନ୍ତି ତାହା ସ୍ପଷ୍ଟ ଜଳଜଳ ହୋଇ ଦିଶୁଛି । ଭାରତର ଯାହା ସବୁ ଘଟିଚାଲିଛି ଓ ଆଗାମୀ ଦିନରେ ଘଟିବ ସେ ସବୁ ପଛରେ ରାଜନୈତିକ ନେତୃତ୍ୱର ହାତ ଯେ ଅଛି ଏହା ସ୍ପଷ୍ଟ ଭାବରେ ବାରି ହେଉଛି । ଏସବୁ ସୁଯୋଗ ନେଇଛନ୍ତି ପଡୋଶୀ ରାଷ୍ଟ୍ର । ସେମାନେ ଭାରତୀୟମାନଙ୍କର ଏକତାକୁ ସଦାସର୍ବଦା ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ମୁମ୍ୱାଇ ଆକ୍ରମଣ, ୧୬/୧୧ ଆକ୍ରମଣ, ପଠାଣ କୋଟ, ଉରି ସୈନ୍ୟଶିବିର ଉପରେ ଆକ୍ରମଣ, ପୁଲୱାମା ଆକ୍ରମଣ ଏବଂ ସଦ୍ୟ ପହଲଗାମ ଆକ୍ରମଣ । ଏସିଆର ଭୂସ୍ୱର୍ଗ କହୁଥିବା କାଶ୍ମୀରରେ କେତେ ଯେ ରକ୍ତର ହୋଲି ଖେଳାଯାଉଛି ତାର ହିସାବ ନାହିଁ । କେତେବେଳେ କାଶ୍ମୀରବାସୀ ତ କେତେବେଳେ କାଶ୍ମୀର ହିନ୍ଦୁ । ଦେଶବିଦେଶର ଆସୁଥିବା ପର୍ଯ୍ୟଟକ ପୁଣି କେବେ ସାମରିକ ଯବାନ ସହ ପ୍ରତିରକ୍ଷା ଅଫିସର । କାଶ୍ମୀର କିଛି ଯୁବକ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ସମୟେ ସମୟେ ସେମାନଙ୍କର ଚେହେରା ପଦାକୁ ଆସୁଛି ।
ବିଛିନ୍ନତାବାଦର ମାନସିକତା ମଧ୍ୟ ସେମାନଙ୍କୁ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ କରୁଛି ।ନିକଟରେ ପଞ୍ଜାବର ଜ୍ୟୋତି ମାଲହୋତ୍ରା ଆଇଏସ୍ଆଇଏସ ଓ ପାକିସ୍ଥାନୀ ଆତଙ୍କସଂସ୍ଥାକୁ ଭାରତୀୟ ଗୋପନ ତଥ୍ୟ ଓ ସମ୍ବେଦନଶୀଳ ସ୍ଥାନର ଫଟୋଚିତ୍ର ପ୍ରଦାନରେ ଅବହେଳା କରିନାହିଁ । ଖାଲି ଜ୍ୟୋତି ନୁହେଁ ଜ୍ୟୋତିଭଳି ଅନେକ ଅନୁପ୍ରବେଶକାରୀ ଯୁବକଯୁବତୀ ଭାରତରେ ରହି ଭାରତର ଶାନ୍ତିଶୃଙ୍ଖଳା ଭଙ୍ଗସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପଦେବାର ଲାଗିଛନ୍ତି । ପ୍ରଶ୍ନ ଉଠେ, ଭାରତରେ ଏତେ ସୁରକ୍ଷାକର୍ମୀ, ଗୁଇନ୍ଦା ବିଭାଗ କାର୍ଯ୍ୟରତ ଥାଇ ମଧ୍ୟ ଅନୁପ୍ରବେଶ ହେଉଛି କିପରି ? ଦୀର୍ଘଦିନ ପର୍ଯ୍ୟନ୍ତ ସେମାନଙ୍କର ଚିହ୍ନଟ କରିବାରେ ସରକାର ଅସଫଳ କାହିଁକି ? ପରବର୍ତ୍ତୀ ସମୟରେ ଅନୁପ୍ରବେଶକାରୀମାନେ ସେମାନେ ସେମାନଙ୍କର ଲକ୍ଷ୍ୟରେ ସଫଳ ହେଉଛନ୍ତି କିପରି ? ଭାରତର ସୀମାରେ ସୁରକ୍ଷା ସହ ଆଭ୍ୟନ୍ତରୀଣ ସୁରକ୍ଷାକୁ କଡ଼ାକଡି ଧ୍ୟାନ ଦେବାର ଏହା ଏକ ଘଡିସନ୍ଧି ସମୟ । ଯଦି ଏହାର କାଣିଚାଏ ବିି ଅବହେଳା କରାଯାଏ ତାର ପରିଣାମ ଭାରତର ସମଗ୍ର ଜନସାଧାରଣଙ୍କୁ ଭୋଗିବାକୁ ପଡୁଛି ।
ଭଦ୍ରକ
ମୋ: ୮୮୯୫୩୪୧୦୩୩
Samir Kumar Rout