ଅପେକ୍ଷା ଅଭିଜ୍ଞତାର ବିଷୟ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଅପେକ୍ଷା କେମିତି ବ୍ୟକ୍ତିର ଅଭିଜ୍ଞତାର ସେ ବାବଦରେ କିଛି ଅନୁଭବର କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଅପେକ୍ଷା କରିବା ପ୍ରତ୍ୟେକ ବ୍ୟକ୍ତିର ଏକ ଅଭିଜ୍ଞତାର ବିଷୟ  । ସବୁବେଳେ ଗୋଟିଏ କଥା କୁହାଯାଏ ଯେ ଅପେକ୍ଷାର ଫଳ ମିଠା ବୋଲି  । କିନ୍ତୁ ଅପେକ୍ଷାର ବି ଏକ ସୀମା ଥାଏ  । ଧୈର୍ଯ୍ୟର ଫଳ ସବୁବେଳେ ଯେ ମଧୁର ବା ମିଠା ତାହା କହିହେବ ନାହିଁ  ।
ଏକ ସାଧାରଣ ଆପ୍ତ ବାକ୍ୟ ଭାବରେ "ଧୈର୍ଯ୍ୟର ଫଳ ମିଠା' ବୋଲି କୁହାଯାଏ  । ଏହା ଏକ ସାଧାରଣ ବାକ୍ୟ  । ଏହି ସାଧାରଣ ବାକ୍ୟରୁ ଆମେ ଯେତେବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନିକଟକୁ ଆସିବୁ, ସେତେବେଳେ ହୁଏତ "ଧୈର୍ଯ୍ୟର ଫଳ ମିଠା' ବୋଲି ବାକ୍ୟଟିକୁ ଗ୍ରହଣ କରିବା ସହଜ ହେବ ନାହିଁ  ।
ଗୋଟେ ପରିସ୍ଥିତି ସବୁବେଳେ ସମାନ ରହେ ନାହିଁ  । ତେଣୁ କୌଣସି ଏକ ଜଟିଳ ସମସ୍ୟା ସବୁଦିନ ରହିବ ବୋଲି କୌଣସି ନିଶ୍ଚିତତା ନାହିଁ  । ଏମିତିରେ ପରିସ୍ଥିତି ବଦଳିଯିବାକୁ ହୁଏତ ଆଉ କିଛି ନୂଆ ସମସ୍ୟା ସୃଷ୍ଟି ହୋଇ ଯାଇଥିବ କିମ୍ବା ବ୍ୟକ୍ତିର ଆୟୁଷ ସେତେ ପର୍ଯ୍ୟନ୍ତ ନଥିବ !
ତେବେ ଏହି ଆପ୍ତ ବାକ୍ୟ ସହିତ ଆଉ ଗୋଟିଏ କଥା ମଧ୍ୟ ଯୋଡାଯାଏ ଯେ ଅପେକ୍ଷା କରିଥିବା ଲୋକ, ଅପେକ୍ଷା କରି କରି ଯେଉଁଠୁ ଛାଡିଦିଏ, ସମୟ ଆଉ ଜଣେ ଲୋକକୁ ତା'ପର ଠାରୁ ସୁଯୋଗ ଦେଇଥାଏ  । ଏହା ମଧ୍ୟ ଏକ ସାଧାରଣ ବାକ୍ୟ  । ଏହାକୁ ବ୍ୟକ୍ତିଗତ ସ୍ତରକୁ ଆଣିଲେ ପୁଣି ସେହିଭଳି ଦେଖିବାକୁ ମିଳେ  । ଇଏ ଯେତିକି ସାଧାରଣ, ତାହା ନିରୁଦ୍ଧିଷ୍ଟ ଘଟଣା ପାଇଁ ପ୍ରଯୁଜ୍ୟ ନୁହେଁ  । କିଛି ଘଟଣାରେ ସାମଞ୍ଜସ୍ୟ ଥିଲେ ଆମେ ତାକୁ ସାଧାରଣ ବୋଲି ଗ୍ରହଣ କରିନେଉ  ।
ଏହି ଦୁଇଟି ଶବ୍ଦ ଉପରେ ଭାଗ୍ୟବାଦୀମାନେ ଗୁରୁତ୍ୱ ଦେଉଥିବା ବେଳେ, କର୍ମବାଦୀମାନେ ଏଭଳି ଶବ୍ଦ ଉପରେ ଆୌ ଗୁରୁତ୍ୱ ଦିଅନ୍ତି ହିଁ ନାହିଁ  । ସାଧାରଣ ଆପ୍ତ ବାକ୍ୟକୁ ନିର୍ଦ୍ଦିଷ୍ଟ ଘଟଣା ସହିତ ମିଳାଇ ପରୀକ୍ଷା କରିବା ହୁଏତ ସବୁ କ୍ଷେତ୍ରରେ ସମ୍ଭବ ନୁହେଁ  । ତେବେ ଈଶ୍ୱର ଭରସା ବୋଲି ଯେଉଁ ଶବ୍ଦଟି ରହିଛି ତାହା ମଧ୍ୟ ସମସ୍ତଙ୍କ ପାଇଁ ସମାନ ନୁହେଁ  । ଈଶ୍ୱର ପରିକଳ୍ପନା ସହିତ କର୍ମବାଦର ସମ୍ପର୍କ ରହିଥିବାରୁ ଈଶ୍ୱର କେବଳ ଏକ ଅବଲମ୍ବନ ମାତ୍ର  ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।