ଯଶସ୍ୱୀ ଐତିହାସିକ ଜଗନ୍ନାଥ ପଟ୍ଟନାୟକ

କେବଳ ଐତିହାସିକ ଭାବରେ ନୁହେଁ, ଜଣେ ରୁଚି ସମ୍ପନ୍ନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିଭାବରେ ତାଙ୍କର କର୍ମ ପରିସର ଭିତରେ ସେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତବର୍ଷରେ ନିଜକୁ ପ୍ରତିପାଦିତ କରିପାରିଥିଲେ । ଭାରତ ତଥା ଓଡ଼ିଶା ଇତିହାସକୁ ତାଙ୍କର ଅବଦାନ ଥିଲା ଚିରସ୍ମରଣୀୟ । ପ୍ରଫେସର ପଟ୍ଟନାୟକ ଥିଲେ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଖ୍ୟାତିସମ୍ପନ୍ନ ଐତିହାସିକ, ନିଷ୍ଠାପର, ଗବେଷକ, ସୁବକ୍ତା, ସୃଜନଶୀଳ ସାହିତି୍ୟକ, ଜାତୀୟସ୍ତରରେ ମଧ୍ୟ ଜଣେ ଛାତ୍ରବତ୍ସଳ ଅଧ୍ୟାପକ । ତାଙ୍କର ପୁସ୍ତକଗୁଡ଼ିକ ଜାତୀୟସ୍ତରରେ ମଧ୍ୟ ବିସ୍ମୟ ସୃଷ୍ଟି କରିଥିଲା । ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମରେ ମାର୍ଚ୍ଚମାସ ୧୫ ତାରିଖରେ ଦୋଳପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ ପ୍ରଫେସର ଜଗନ୍ନାଥ । ତାଙ୍କର ପିତା ଥିଲେ ଭୋଳାନାଥ ପଟ୍ଟନାୟକ ଏବଂ ମାତା ଥିଲେ ରମାମଣୀ ଦେବୀ ।
ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟକରି ଛାତ୍ରଛାତ୍ରୀଙ୍କ ମହଲରେ ଉଚ୍ଚପ୍ରଶଂସିତ ହୋଇଥିଲେ । ତାଙ୍କ ଲିଖିତ ପୁସ୍ତକଗୁଡ଼ିକର ସବୁ ଅଞ୍ଚଳର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ବେଶ୍ ଉପକୃତ ହୋଇଛନ୍ତି । କେବଳ ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ କିମ୍ବା ଜଣେ ସୁବକ୍ତାଭାବରେ ଖ୍ୟାତି ଅର୍ଜନ କରିନଥିଲେ । ସେ ଓଡ଼ିଶାର ଆଧୁନିକ ଓଡ଼ିଶା ସମ୍ପର୍କରେ ଯେଉଁ ପୁସ୍ତକ ରଚନା କରିଥିଲେ ତଥା ଅତ୍ୟନ୍ତ ତଥ୍ୟଭିତ୍ତିକ । ସ୍ୱାଧୀନତା ସଂଗ୍ରାମ ସମୟରେ ଓଡ଼ିଶାର କିଭଳି ଲୋମହର୍ଷଣକାରୀ ସଂଗ୍ରାମ ଜାରିଥିଲା ତାହା ସେ ତାଙ୍କ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ପୁସ୍ତକରେ ଲେଖିଛନ୍ତି । ଓଡ଼ିଶାର ବିଭିନ୍ନ ପତ୍ରପତି୍ରକାରେ ମଧ୍ୟ ସେ ତାଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ରଚନା କରି ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥିଲେ । ତାଙ୍କରି ତତ୍ତ୍ୱାବଧାନରେ ଅନେକ ସନ୍ଦର୍ଭ ଲେଖାଯାଇ ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କର ଗଭୀର ଦୃଷ୍ଟିକୋଣ ତଥ୍ୟ ଆରୋହଣ, ତଥ୍ୟର ଅନୁଶୀଳନ, ତର୍ଜମା ତାଙ୍କୁ ଯଶସ୍ୱୀ ଐତିହାସିକ ଭାବରେ ସ୍ୱୀକୃତି ଦେଇଥିଲା । ଓଡ଼ିଶା ଇତିହାସ କଂଗ୍ରେସର ସେ ଜଣେ ସକ୍ରିୟ ସଭ୍ୟ ଓ ସଭାପତି ଥିଲେ । ସେ ପୂଜ୍ୟପୂଜା ସଂସଦ, ଇରମ ସହିଦ ସ୍ମୃତି ସଂସଦ ଇତ୍ୟାଦି ସହିତ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ ଏବଂ ଈଶ୍ୱରଙ୍କ ପ୍ରତି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା । କଳିଙ୍ଗରେ ଜୈନଧର୍ମ ସମ୍ପର୍କରେ ତାଙ୍କର ରଚନା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ୫ମ ଶତାବ୍ଦୀରେ ଭୁବନେଶ୍ୱରରେ ଏକ ଅଶୋକ ସ୍ତମ୍ଭକୁ ଶିବଲିଙ୍ଗରେ ପରିଣତ କରାଯାଇଥିଲା । ତାଙ୍କ ମତରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ହେଉଛି ଏହି ଧର୍ମ ସମ୍ପର୍କୀୟ । ଜୈନ ଓ ବୌଦ୍ଧଧର୍ମର ବିପରୀତ ପ୍ରତିକ୍ରିୟା ହେଉଛି ଜଗନ୍ନାଥ ଚେତନା । ଏହିପରିଭାବେ ସେ ବିଭିନ୍ନ ଧର୍ମଚେତନା ସମ୍ପର୍କରେ ନିଜର ସ୍ୱାଧୀନ ଯୁକ୍ତିଯୁକ୍ତ ନିରପେକ୍ଷ ମତ ପ୍ରତିପାଦନ କରିଛନ୍ତି । ଯାହା ତାଙ୍କର ଐତିହାସିକ ହିଷ୍ଟୋଗ୍ରାଫି ସମ୍ପର୍କରେ ଆଲୋକପାତ କରିଥାଏ । ପ୍ରାଗ୍ ଐତିହାସିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ସଂଗ୍ରହଂ କରି ପିପିଲିକୁ ଇତିହାସ ପୃଷ୍ଠାରେ ସ୍ଥାନିତ କରିବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳର ଗୌରବ ଗାଥାକୁ ସର୍ବଜନବିଦିତ କରିଯାଇଛନ୍ତି । ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ତାଙ୍କର ବହୁ ରଚନା ରହିଛି ଯାହା  ଏକ ନିର୍ଦ୍ଦିଷ୍ଟ ସମୟର ଇତିହାସ ପାଇଁ ତାଙ୍କର ସର୍ବଶ୍ରେଷ୍ଠ ଦାନ । ବହୁ ବିପ୍ଳବୀ ଓ ସ୍ୱାଧୀନତା ସଂଗ୍ରମୀକୁ ସେ ଲୋକଲୋଚନକୁ ଆଣି ଇତିହାସ ସୃଷ୍ଟି କରିଥିଲେ । ସ୍ୱାଧୀନତା ସଂଗ୍ରାମକାଳରେ ଆଦିବାସୀମାନଙ୍କର ସଚେତନତା, ସାମନ୍ତ ରାଜାମାନଙ୍କର ଅତ୍ୟାଚାର ବିରୁଦ୍ଧରେ ପ୍ରଜାମାନଙ୍କର ବିପ୍ଳବ ଇତ୍ୟାଦି ସମ୍ପର୍କରେ ସେ ଗବେଷଣା ଏବଂ ତଥ୍ୟଭିତ୍ତିକ ଉଲ୍ଲେଖ କରିଛନ୍ତି । ଯାହା ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ପାଇଁ ବେଶ୍ ଉପାଦେୟ ହୋଇଛି । ତାଙ୍କର ସମସ୍ତ ଗବେଷଣାତ୍ମକ ପୁସ୍ତକ ଓ ପ୍ରବନ୍ଧ ପ୍ରଶଂସନୀୟ । ସେହି ଥିଲେ ଜଣେ ଶ୍ରେଷ୍ଠ ଗବେଷକ । ସବୁ ଯୁବ ଐତିହାସିକମାନଙ୍କ ପାଇଁ ସେ ଥିଲେ ପ୍ରେରଣାର ଉତ୍ସ । ତାଙ୍କର ରଚିତ ପୁସ୍ତକ ପ୍ରବନ୍ଧ ବହୁତ ପ୍ରଶଂସନୀୟ । ବହୁ ପ୍ରତିଷ୍ଠିତ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ । ସେ ଓଡ଼ିଶାର କୋଣଅନୁକୋଣକୁ ପରିଭ୍ରମଣ କରି ଜନସାଧାରଣମାନଙ୍କୁ ଅନୁ୍ମାନ କରି ତାଙ୍କ ସମ୍ପର୍କରେ ଇତିହାସ ରଚନା କରିଛନ୍ତି । ପାଠ୍ୟପୁସ୍ତକ ଭିତରେ ୩ ଗୋଟି ପୁସ୍ତକ ତାଙ୍କର ସର୍ବଶ୍ରେଷ୍ଠ ରଚନା ଭାବେ ପରିଗଣିତ, ସେଗୁଡ଼ିକ ହେଲା ‘ୱର୍ଲଡ ଆଫ୍ଟର ୧୯୬୨’, ହିଷ୍ଟ୍ରି ଅଫ ଇଂଲଣ୍ଡ (୧୯୬୯), ବ୍ରିଟିଶ ରୁଲ ଇନ ଇଣ୍ଡିଆ (୧୯୭୧)’  ।
ସେ ଓଡ଼ିଶା ସାହିତ୍ୟ ଏକାଡେମୀ, କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧା ସାହିତ୍ୟ ସଂସଦ, ନୀଳଶୈଳ, ବୌଦ୍ଧ ପ୍ରତିଷ୍ଠାନ ବାଲେଶ୍ୱର, ସୃଷ୍ଟି ଓ ସ୍ର୍ରଷ୍ଟା, ଉକ୍ରଳ କର୍ମଜୀବୀ ସାମ୍ବାଦିକ ସଂଘ, ପଣ୍ଡିତ ନୀଳକଣ୍ଠ ଦାସ ସଂସଦ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିିିତି ଇତ୍ୟାଦି ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହେବା ସଙ୍ଗେ ସଙ୍ଗେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଗ୍ରନ୍ଥର ସମ୍ପାଦକ, ସୃଜନୀର ସମ୍ପାଦକ, ରକ୍ତତୀର୍ଥ ଇରମ୍ ସ୍ମାରକୀ ଗ୍ରନ୍ଥର ମୁଖ୍ୟ ସମ୍ପାଦକ, ଗଣଭୂମିର ସମ୍ପାଦକଭାବେ କାର୍ଯ୍ୟ ସମ୍ପାଦକ କରୁଥିଲେ । ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଇତିହାସ ପାଇଁ ସେ ସବୁବେଳେ ସଦାଚେଷ୍ଟିତ ଥିଲେ ।
ସେ ଐତିହାସିକ ଗବେଷଣା ସହ ବିଭିନ୍ନ ଅନୁଷ୍ଠାନ ଯଥା ରାଜ୍ୟ ଅଭିଲେଖାଗାର, ରାଜ୍ୟ ସଂଗ୍ରହାଳୟ, ରାଜ୍ୟସ୍ତରୀୟ ବୀର୍ସାମୁଣ୍ଡା ସ୍ମୃତି ସମିତି, ପ୍ରଜାତନ୍ତ୍ର ପାଠାଗାର ଜଳେଶ୍ୱର ପାଠାଗାର ଓ ସାଂସ୍କୃତିକ ମଣିଷ ତାଳଚେର ଫର୍ଟିଲାଇଜର ସାଂସ୍କୃତିକ ସମିତି ସହ ଜଡ଼ିତ ଥିଲେ । ତାଙ୍କର ୪୨ ଗୋଟି ଇଂରାଜୀ ଗବେଷଣାମୂଳକ ପ୍ରବନ୍ଧ ଓଡିଶା ରିଭ୍ୟୁ, ଦ ଟେଲିଗ୍ରାଫ,ଦ ଷ୍ଟେଟ୍ସମ୍ୟାନ  ଇତ୍ୟାଦିରେ ପ୍ରକାଶ କରିଥିଲେ । ଧରଣୀଧର, ବିର୍ସା ମୁଣ୍ଡା, ଚକରା ବିଶୋୟୀ, ପାଇକମାନଙ୍କ ସାହସିକତା, ରଘୁଦିବାକର, ବେଜଲଗେଟ୍ ହତ୍ୟା, ଚାଖି ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ଗଜପତି, ଆମ୍ବେଦକର, ଲକ୍ଷ୍ମଣନାୟକ, ବୀରସୁରେନ୍ଦ୍ର ସାଏ, ଗୌରୀଶଙ୍କର ଇତ୍ୟାଦି ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱାଧୀନତା ସଂଗ୍ରାମକୁ ନେଇ ଅନେକ ପୁସ୍ତକ ରଚନା କରିଥିଲେ ।
ଏହି ମହାନ ଐତିହାସିକ ୨୦୦୨ ମସିହା ସେପ୍ଟେମ୍ବର ୨୩ ତାରିଖ ଦିନ ସନ୍ଧ୍ୟା ୬ଟା୨୫ ମିନିଟ୍ରେ ମହାପ୍ରାୟାଣ ହେଲେ ସତ ମାତ୍ର ତାଙ୍କର ଅଜସ୍ର ଲିଖିତ ପାଠ୍ୟପୁସ୍ତକ ଆଜି ମଧ୍ୟ ହଜାର ହଜାର ତାଙ୍କଭଳି ପ୍ରାଜ୍ଞଶିକ୍ଷକ ସୃଷ୍ଟି କରିପାରିବା ପାଇଁ ସକ୍ଷମ ହୋଇଛି । 
ମୋ:୯୮୫୩୩୫୦୩୮୪