ଦ୍ୱିତୀୟ ଟି-୨୦ :  ୫୧ ରନ୍‌ରେ ଜିତିଲା ଆଫ୍ରିକା

ଦ୍ୱିତୀୟ ଟି-୨୦ :  ୫୧ ରନ୍‌ରେ ଜିତିଲା ଆଫ୍ରିକା

ନ୍ୟୁଚଣ୍ଡିଗଡ :  ଡିକକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁଲ୍ଲାନପୁରରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୪ ୱିକେଟ୍‌ ହରାଇ ୨୧୩ ରନ କରିଛି । ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୧୪ ରନ ଦରକାର ଥିବା ବେଳେ ୧୬୨ରେ ଅଲ ଆଉଟ ହୋଇଥିଲା ଭାରତ । ଫଳରେ ଦକ୍ଷିଣ ଆଫ୍ରିକା ୫୧ ରନରେ ଏହି ମ୍ୟାଚ ଜିତି ଯାଇଥିଲା । ଡିକକ ୪୬ ବଲରୁ ୯୦ ରନର ଧୂଆଁଧାର ଇନିଂସ ଖେଳିଛନ୍ତି । ଡୋନୋଭାନ ଫେରରା ୧୬ ବଲରୁ ୩୯ ରନ ଓ ଡେଭିଡ୍‌ ମିଲର ଦ୍ରୁତ ୨୦ ରନ କରିଛନ୍ତି । ଶେଷ ୩ ଓଭରରେ ଭ୍ରମଣକାରୀ ଦଳ ୪୯ ରନ ସଂଗ୍ରହ କରିଛି ।
ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍‌ ମିଲର୍‌ ଏବଂ ଡୋନୋଭାନ୍‌ ଫେରେରା ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ।

    ଫଳସ୍ୱରୂପ, ଦକ୍ଷିଣ ଆଫ୍ରିକାର  ୨୧୩ ରନର ବିଶାଳ ସ୍କୋର କରି ପାରିଛି । ଏହାର ଜବାବରେ ପଡିଆକୁ ଓହ୍ଲାଇଥିଲା ଭାରତ । ଶୁଭମ ଗିଲ ଓ ଅଭିଷେକ ଶର୍ମା ବ୍ୟାଟିଂକୁ ଆସିଥିଲେ । ଶୁଭମ ଗିଲ ଶୂନ ରନରେ ଲୁଙ୍ଗି ନଙ୍ଗିଡି ଦ୍ୱାରା ଆଉଟ ହୋଇଥିଲେ । ଏହାପରେ ଅଭିଷେକ ୧୭ ନରରେ ମାର୍କୋ ଜନସେନଙ୍କ ଦ୍ୱାରା ଆଉଟ ହୋଇଥିଲେ । ଅକ୍ଷର ପଟେଲ ୨୧ରନରେ, ସୂର୍ଯ୍ୟକୁମାର ଯାଦବ ୫ ରନରେ, ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନରେ ଆଉଟ ହୋଇଥିଲେ । ଦକ୍ଷିଣ ଆଫ୍ରିକାର ଶାଣିତ ବୋଲିଂକୁ ମୁକାବିଲା କରିପାରିନଥିଲା ଭାରତ । ନିୟମିତ ବ୍ୟବଧାନରେ ୱିକେଟ ପଡି ଚାଲିଥିଲା । କେବଳ ଗୋଟିଏ ପଟେ ତିଳକ ବର୍ମା ଖୁଣ୍ଟ ଭାବେ ଛିଡା ହୋଇ ଦକ୍ଷିଣ ଆଫ୍ରିକାର ମୁକାବିଲା କରି ଥିଲେ । ସେ ୬୨ ରନ କରି ଆଉଟ ହୋଇଥିଲେ । ଭାରତର ସ୍କୋର ୧୫୭ରେ ୬ ହୋଇଥିବା ବେଳେ ଆଉ ୫ ରନରେ ୪ଟି ୱିକେଟ ପତନ ଘଟିଥିଲା । ଭାରତ ୧୯.୧ ଓଭରରେ ୧୬୨ କରି ଅଲ ଆଉଟ ହୋଇଥିଲା ।