ଧଉଳି ଥାନାର ଏସଆଇଙ୍କୁ ଆକ୍ରମଣ; ୨ ଗିରଫ

 ଭୁବନେଶ୍ୱର, ୧୩ା୧ : ହୋଟେଲରେ ପଶି ଭଙ୍ଗାରୁଜା କରିବା ସହ ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ବେଳେ, ହୋଟେଲରେ ଖାଉଥିବା ଧଉଳି ଥାନାର ଜଣେ ଏସଆଇ ଘଟଣା ଦେଖି ପ୍ରତିବାଦ କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ପୁଲିସ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏହି ଖବର ପାଇ ଥାନାର ପିସିଆର ୧୨ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଅଫିସରଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଆଜି ଥାନା କେସ ନମ୍ବର ୩ରେ ମାମଲା ରୁଜୁ କରାଯାଇ ଦଫା, ୧୨୧(୨)/ ୧୨୬(୨)/ ୩୨୪(୪)/ ୨୯୬(ଏ) ୧୧୫(୨)/ ୧୦୯/ ୩୦୮(୪)/୩(୫) ବିଏନଏସରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଧଉଳି ଅଞ୍ଚଳର ତୋଫାନ ସାମଲ ଓ ଅମୁଲ୍ୟ ପ୍ରଧାନ ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ନରେନ୍ଦ୍ର ପ୍ରଧାନ ଧଉଳି ଥାନା ଅଞ୍ଚଳରେ ହୋଟେଲ ସ୍ୱାଦ ନାମରେ ଏକ ହୋଟେଲ ରହିଛି । ରବିବାର ଦିନ ରାତିରେ ନିମ୍ନାକ୍ତ ଦୁଇ ଅଭିଯୁକ୍ତ ଅଭିଯୋଗକାରୀଙ୍କ ହୋଟେଲକୁ ଯାଇ ହୋଟେଲ ଭିତରେ ପଶି ଭିତରେ ଥିବା ସମସ୍ତ ଆସବାବପତ୍ରକୁ ଫୋପଡାଫୋପଡି କରିଥିଲେ । ଏହାକୁ ନେଇ ଅଭିଯୋଗକାରୀ ବିରୋଧ କରିବାରୁ ଉଭୟେ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ଅଭିଯୋଗକାରୀ ଏଥିରେ ସହମତି ପ୍ରକାଶ ନକରିବାରୁ, ଉଭୟ ଅଭିଯୁକ୍ତ ତାଙ୍କୁ ଜୀବନରେ ମାରିଦେବା ଲାଗି ଧମକ ଦେବା ସହିତ ଏକ କାଠଫାଳିଆ ସାହାର୍ଯ୍ୟରେ ତାଙ୍କ ବେକକୁ ଚାପି ଧରିଥିଲେ । ଏହା ଦେଖି ସେଠାରେ ରାତ୍ରୀ ଭୋଜନ କରୁଥିବା ଧଉଳି ଥାନାର ଜଣେ ପୁଲିସ ଅଧିକାରୀ ଉଭୟ ଅଭିଯୁକ୍ତଙ୍କୁ ଏଭଳି କାର୍ଯ୍ୟରୁ ଦୁରେଇ ରହିବାକୁ କହିଥିବା ବେଳେ, ଅଭିଯୁକ୍ତ ମାନେ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଖବର ଧଉଳି ଥାନାର ପିସିଆର-୧୨ ଖବର ପାଇ ସେଠାରେ ପହଞ୍ଚି ପୁଲିସ ଅଫିସରଙ୍କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ ।